ଭୁବନେଶ୍ୱର: ବାଘୁଣୀ ସୁନ୍ଦରୀ ଫେରିଯିବ ତା’ ଜନ୍ମ ସ୍ଥାନ ମଧ୍ୟପ୍ରଦେଶର ବାନ୍ଧବଗଡ଼ ଅଭୟାରଣ୍ୟକୁ । ଏ ନେଇ ଓଡ଼ିଶାର ମୁଖ୍ୟ ଶାସନ ସଚିବଙ୍କୁ ଚିଠି ଲେଖିଛି ଜାତୀୟ ବାଘ ସଂରକ୍ଷଣ ପ୍ରାଧିକରଣ (ଏନଟିସିଏ) । ଏସ୍ଓପି ପାଳନ କରିବାରେ ରାଜ୍ୟ ସରକାର ବିଫଳ ହୋଇଛି ବୋଲି କହି ଏନଟିସିଏ ଏହି ନିଷ୍ପତ୍ତି ନେଇଛି ।
ରାଜ୍ୟ ସରକାରଙ୍କୁ ଲେଖାଯାଇଥିବା ଚିଠିରେ ଏନଟିସିଏ କହିଛି ଯେ ଅନୁଗୁଳର ସାତକୋଶିଆ ବ୍ୟାଘ୍ର ଅଭ୍ୟୟାରଣ୍ୟର ଏନକ୍ଲୋଜର୍ରେ ବନ୍ଦୀ ଥିବା ବାଘୁଣୀ ସୁନ୍ଦରୀକୁ ଫେରାଇ ନିଆଯିବ । ଏହି ବାଘୁଣୀକୁ କାହ୍ନା ଅଭୟାରଣ୍ୟର ଘୋରେଲା କେନ୍ଦ୍ରରେ ରଖାଯିବ ।
ସାତକୋଶିଆ ବ୍ୟାଘ୍ର ପ୍ରକଳ୍ପର ବିକାଶ ପାଇଁ ଦିଆଯାଇଥିବା କେନ୍ଦ୍ରୀୟ ସହାୟତାର ଆକଳନ ପାଇଁ ଏନଟିସିଏ ଏକ କମିଟି ଗଠନ କରିଥିଲେ । ସାତକୋଶିଆ ବ୍ୟାଘ୍ର ପ୍ରକଳ୍ପରେ ବାଘ ସଂଖ୍ୟା ବୃଦ୍ଧି ପାଇବା ନେଇ ବୈଷୟିକ କମିଟିର ଦୁଇ ଥର ବୈଠକ ବସିଥିଲା । ୨୦୧୭-୧୮ ବର୍ଷରେ କେନ୍ଦ୍ର ସରକାର ସାତକୋଶିଆ ବ୍ୟାଘ୍ର ପ୍ରକଳ୍ପର ବିକାଶ ପାଇଁ ପର୍ଯ୍ୟପ୍ତ ଅର୍ଥ ଦେଇଥିଲେ ।
ସାତକୋଶିଆ ବ୍ୟାଘ୍ର ପ୍ରକଳ୍ପ ବାଘଙ୍କ ପାଇଁ ସୁରକ୍ଷିତ ନୁହେଁ ବୋଲି ମତ ପ୍ରକାଶ ପାଉଛି । ୧୪ ନଭେମ୍ବର ୨୦୧୮ରେ ସାତକୋଶିଆରେ ଥିବା ଏକ ପୁରୁଷ ବାଘର ମୃତ୍ୟୁ ଘଚିଥିଲା । ଏହାକୁ ଏନଟିସିଏର ବରିଷ୍ଠ ଅଧିକାରୀମାନେ ଆସି ତଦନ୍ତ କରିଥିଲେ । ପ୍ରାଥମିକ ତଦନ୍ତରେ ଶିକାରୀ ଗୁଳିରେ ବାଘର ମୃତ୍ୟ ଘଟିଥିବା ରିପୋର୍ଟରେ ଜଣାପଡ଼ିଥିଲା ।
ସାତକୋଶିଆ ବ୍ୟାଘ୍ର ପ୍ରକଳ୍ପ ଏନଟିସିଏ ଗଢିଥିବା କମିଟିର ରିପୋର୍ଟ ଅନୁସାରେ ମରିଥିବା ପୁରୁଷ ବାଘ କାହ୍ନା ଏବଂ ମାଇ ବାଘ ସୁନ୍ଦରୀ ପାଇଁ ଥିବା ଏସ୍ଓପି ଓ ଗାଇଡ୍ଲାଇନ ସଠିକ ଭାବେ ପାଳନ ହେଉ ନ ଥିଲା । ରାଜ୍ୟ ଜଙ୍ଗଲ ବିଭାଗକୁ ଏନଟିସିଏ ଅବଗତ କରାଇଥିଲେ ମଧ୍ୟ ବିଭାଗ ଏହାକୁ ଗୁରୁତ୍ୱର ସହ ନେଇ ନ ଥିଲା ।
ବାଘୁଣୀ ସୁନ୍ଦରୀକୁ ଧରାଯାଇଥିବା ସମୟରେ ୱାଇଲ୍ଡ୍ ଲାଇଫ ପ୍ରୋଟେକ୍ସନ୍ ଆକ୍ଟ୍ ୧୯୭୨ କୁ ପାଳନ କରାଯାଇ ନ ଥିଲା । ଏବେ ବାଘୁଣୀକୁ ଏକ ଛୋଟ ଏନ୍କ୍ଲୋଜର୍ରେ ବର୍ଷେରୁ ଅଧିକ ସମୟ ଧରି ରଖାଯାଇଛି, ଯାହା ନିୟମର ବିରୋଧାଚ଼ରଣ କରୁଛି । ସୁନ୍ଦରୀର ସୁରକ୍ଷା ପାଇଁ ତାକୁ ଫେରାଇ ନିଆଯିବାକୁ ଏନଟିସିଏ କହିଛି ।
ମଧ୍ୟପ୍ରଦେଶରୁ ଓଡ଼ିଶା ଆସିବା ପରେ ପ୍ରଥମେ ଏକ ଏନକ୍ଲୋଜର ଭିତରେ ଓ ପରେ ସାତକୋଶିଆ ଅଭୟାରଣ୍ୟରେ ସୁନ୍ଦରୀକୁ ଛଡ଼ା ଯାଇଥିଲା । ହେଲେ ମଣିଷ ମାରିବା ହରକତ୍ କାରଣରୁ ଜଙ୍ଗଲ ବିଭାଗକୁ ତାକୁ ଟ୍ରାଙ୍କୁଲାଇଜ୍ କରିବାକୁ ବାଧ୍ୟ ହୋଇଥିଲା । ଏହା ଥିଲା ଗତବର୍ଷ ନଭେମ୍ବର ପ୍ରଥମାର୍ଦ୍ଧର ଘଟଣା । ଆଉ ସେବେ ଠାରୁ ରାଇଗୁଡ଼ାରେ ଏକ ଏନକ୍ଲୋଜର୍ରେ ବନ୍ଦୀ ଜୀବନ ବିତାଉଛି ସୁନ୍ଦରୀ ।
ପ୍ରଥମେ ସାତକୋଶିଆ ଅଭ୍ୟୟରଣ୍ୟରେ ବାଘୁଣୀ ସୁନ୍ଦରୀକୁ ଛାଡି଼ବା ପରେ ସୁନ୍ଦରୀର ଆତଙ୍କରେ ସ୍ଥାନୀୟ ଲୋକେ ଆତଙ୍କିତ ହୋଇପଡି଼ଥିଲେ । ମଣିଷ ଏବଂ ଗୋରୁଗାଇ ସୁନ୍ଦରୀର ଆକ୍ରମଣର ଶିକାର ହୋଇଥିଲେ । ବାଘୁଣୀକୁ ଖୋଜିବା ପାଇଁ ବନ ବିଭାଗ ଟ୍ରାଙ୍କୁଲାଇଜର୍ ଟିମ୍ ସହ ଲାଗିପଡି଼ଥିଲା । ନନ୍ଦନକାନନରୁ ହାତୀର ମଧ୍ୟ ସାହାଯ୍ୟ ଲୋଡ଼ାଯାଇଥିଲା । ଏମିତି ଅନେକ ଉନ୍ମତ୍ତ କାଣ୍ଡ ପାଇଁ ସୁନ୍ଦରୀକୁ ଏନ୍କ୍ଲୋଜର୍ରେ ରଖାଯାଇଥିଲା ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।