ପୁଣି ଜବତ ହେଲା ବାଘ ଛାଲ; ଶିକାର ରୋକିବା ପାଇଁ ହେଲ୍ପଲାଇନ୍ ନମ୍ବର ଜାରି କଲା କ୍ରାଇମ୍ ବ୍ରାଞ୍ଚ୍
ବୋଲଗଡ଼ରେ ରାତିଅଧିଆ ଚଢ଼ାଉ କରି ଏକ କଲରାପତରିଆ ବାଘର ଛାଲ ଜବତ କରିବା ସହ ଦୁଇ ଜଣଙ୍କୁ ଗିରଫ କରିଛି କ୍ରାଇମ୍ ବ୍ରାଞ୍ଚର STF । ହେଲ୍ପଲାଇନ୍ ନମ୍ବରରେ ଶିକାର ବା ଶିକାରୀ ବିଷୟରେ ସୂଚନା ଦେଉଥିବା ଲୋକଙ୍କୁ ପୁରସ୍କାର ମିଳିବ ।

ଜବତ ହୋଇଥିବା ଛାଲ ଓ ଗିରଫ ହୋଇଥିବା ଦୁଇ ଜଣ ଅଭିଯୁକ୍ତ
- News18 Odia
- Last Updated: April 3, 2021, 1:37 AM IST
ଭୁବନେଶ୍ୱର: କିଛି ଦିନର ନିରବତା ପରେ ପୁଣି ଥରେ ବାଘ ଛାଲ ଜବତ କରିଛି କ୍ରାଇମ୍ ବ୍ରାଞ୍ଚ୍ ଏସ୍.ଟି.ଏଫ୍. । ଖୋର୍ଦ୍ଧା ବୋଲଗଡ଼ ଅଞ୍ଚଳରୁ ଏକ କଲରାପତରିଆ ବାଘ ଛାଲ ଜବତ କରିବା ସହ ଏହାର ମୁଲଚାଲ ପାଇଁ ଆସିଥିବା ଦୁଇ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ଏସ୍.ଟି.ଏଫ୍. ।
ଗିରଫ ହୋଇଥିବା ଦୁଇ ଅଭିଯୁକ୍ତ – ନୟାଗଡ଼ର ସୁଧୀର ବେହେରା ଓ ସୁବାସ ବେହେରା – ଚାରି ଲକ୍ଷ ଟଙ୍କାରେ ବାଘ ଛାଲକୁ ବିକ୍ରି କରିବା ପାଇଁ ଯୋଜନା କରୁଥିବା ଏସ୍.ଟି.ଏଫ୍. ତଦନ୍ତରୁ ଜଣାପଡ଼ିଛି । ଉଭୟଙ୍କ ପାଖରୁ ବାଘ ଛାଲ ସମେତ ଶିକାରରେ ବ୍ୟବହୃତ ବିଭିନ୍ନ ସାମଗ୍ରୀ ଜବତ କରିଛି ଏସ୍.ଟି.ଏଫ୍. । ଗୁରୁବାର ବିଳମ୍ବିତ ରାତିରେ ଏହି ରେଡ୍ ହୋଇଥିଲା ।
ଏହା ବି ପଢ଼ନ୍ତୁ ଓ ଦେଖନ୍ତୁ VIDEO | ‘ଚଲି ଚଲି…’ ପୂରା ଗୀତ ରିଲିଜ୍ ହେଲା; ଜୟଲଳିତାଙ୍କ ରୂପରେ କଙ୍ଗନାଙ୍କ ଅଭିନୟ ଦେଖନ୍ତୁ
ଏହା ବି ପଢ଼ନ୍ତୁ | ସଚିନ ତେନ୍ଦୁଲକରଙ୍କୁ ହସପିଟାଲରେ ଭର୍ତ୍ତି କରାଗଲା; ୫ ଦିନ ପୂର୍ବେ କରୋନା ପଜିଟିଭ୍ ହୋଇଥିଲେ
ଜବତ ବାଘ ଛାଲର ରାସାୟନିକ ପରୀକ୍ଷା ପାଇଁ ଏହାର ନମୁନା ଡେରାଡୁନରେ ଥିବା ୱାଇଲ୍ଡଲାଇଫ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆକୁ (WII) ପଠାଯିବ । ସେଥିରୁ ଜଣା ପଡ଼ିବ ବାଘଟିକୁ କେବେ ଓ ଆପାତତଃ କେଉଁଠି ଶିକାର କରାଯାଇଛି । ତାକୁ ଗୁଳି କରି ନା ଆଉ କେଉଁ ଉପାୟରେ ଶିକାର କରାଯାଇଛି ତାହା ବି ଏହି ପରୀକ୍ଷା ଦ୍ୱାରା ସ୍ପଷ୍ଟ ହେବ ବୋଲି କହିଛନ୍ତି ଭୋଇ।
ଏହା ବି ପଢ଼ନ୍ତୁ | ଗୋଟିଏ ଝିଅ ସହ ପ୍ରେମ ପାଇଁ ନବମ ଶ୍ରେଣୀର ଛାତ୍ର ନିଜ ସହପାଠୀକୁ ଗୁଳି ମାରି ହତ୍ୟା କଲା
ବନ୍ୟ ଜନ୍ତୁ ଶିକାର ରୋକିବାରେ ସାଧାରଣ ଲୋକଙ୍କ ସହଯୋଗ ପାଇଁ ନିବେଦନ କରିଛି ଏସ୍.ଟି.ଏଫ୍.। ଶିକାର ଘଟଣା ବା ଶିକାରୀଙ୍କ କାର୍ଯ୍ୟକଳାପ ନେଇ ଖବର ଦେବାକୁ ଜନସାଧାରଣଙ୍କୁ ନିବେଦନ କରିବା ସହ ଏକ ହେଲ୍ପଲାଇନ୍ ନମ୍ବର ଜାରି କରାଯାଇଛି । ନମ୍ବରଟି ହେଲା ୯୪୩୯୨୬୩୬୪୬ । ଏହି ନମ୍ବରରେ ଫୋନ୍ କରି ତଥ୍ୟ ଦେଲେ ନାମ ଗୋପନ ରଖିବା ସହ ତଥ୍ୟପ୍ରଦାନକାରୀଙ୍କୁ ପୁରସ୍କାର ଦିଆଯିବ ବୋଲି କହିଛନ୍ତି ଭୋଇ ।
ଏହା ବି ପଢ଼ନ୍ତୁ ଓ ଦେଖନ୍ତୁ VIDEO | ମା’ ଦେଖ୍, ମୁଁ ଶିକାର କରିଛି! ହରିଣର ବେକକୁ ଧରିଥିବା ଚିତା ବାଘ ଛୁଆର VIDEO ଭାଇରାଲ୍ ହେଲା
‘‘ଶିକାରୀମାନେ ପ୍ରଥମେ ମହାବଳ ବାଘ ଶିକାର କରିବାକୁ ଟାର୍ଗେଟ କରିଥାନ୍ତି । ହେଲେ ଆମ ରାଜ୍ୟରେ ମହାବଳ ବାଘ ସଂଖ୍ୟା କମ୍ ଥିବାରୁ କଲରାପତାରିଆ ବାଘ ଶିକାର କରୁଛନ୍ତି । ବାଘ ଛାଲର ଦେଶ ବାହାରେ ଅଧିକ ଚାହିଦା ରହିଛି । ବିଶେଷ କରି କାରିବୀଆନ୍ ଦେଶମାନଙ୍କରେ ଲୋକେ ବାଘ ଛାଲରେ ଜ୍ୟାକେଟ୍ ତିଆରି କରି ପିନ୍ଧିବାକୁ ଭଲ ପାଆନ୍ତି । ବାଘର ନଖ ଓ ନିଶର ବି ବହୁତ ଚାହିଦା ରହିଛି । ତେଣୁ ରାଜ୍ୟରେ ଏକ ବଡ଼ ରାକେଟ୍ କାମ କରୁଛି । ଅଧିକ ତଦନ୍ତ କଲେ ଏହି ରାକେଟର ପର୍ଦ୍ଦାଫାସ ହୋଇପାରିବ,’’ କହିଛନ୍ତି ସ୍ନେକ୍ ହେଲ୍ପଲାଇନର ସାଧାରଣ ସମ୍ପାଦକ ଶୁଭେନ୍ଦୁ ମଲ୍ଲିକ ।
ଗତ ଗୋଟିଏ ବର୍ଷରେ କ୍ରାଇମ୍ ବ୍ରାଞ୍ଚ୍ ଏସ୍.ଟି.ଏଫ୍. ଜବତ କରିଛି ୧୨ଟି ବାଘ ଛାଲ, ଛଅଟି ହାତୀ ଦାନ୍ତ, ଦୁଇଟି ହରିଣ ଛାଲ ଓ ଦୁଇଟି ଜୀବନ୍ତ ବଜ୍ରକାପ୍ତା । ବନ୍ୟ ଜନ୍ତୁ ଶିକାର କରିବା ଅଭିଯୋଗରେ ୧୩ଟି ମାମଲା ରୁଜୁ ହୋଇଛି ଗତ ବର୍ଷକରେ ଓ ଗିରଫ ହୋଇଛନ୍ତି ୨୪ ଜଣ ।