News18 Odia Digital
ସୁନ୍ଦରଗଡ଼: ବାଘ ଧରିବାକୁ କେତେ କଣ ଯୋଜନା। ହେଲେ ଛୁ ମାରିଲା ବାଘ। ଜାଲ ବିଛାଯାଇଥିଲା, ଯନ୍ତା ରଖାଯାଇଥିଲା, ଛେଳି ବି ବନ୍ଧାଯାଇଥିଲା। ହେଲେ ଟିକିଏ ମଉକା ଦେଖି ଜାଲ କଡ଼ରେ ବାହାରି ଛୁ ମାରିଲା ବାଘ।
ସୁନ୍ଦରଗଡ଼ ଜିଲ୍ଲା ବଡ଼ଗାଁ ଫରେଷ୍ଟ ରେଞ୍ଜ ଗେଲବାହାଳ ପାଖରେ ଦେଖିବାକୁ ମିଳିଛି ଏହି ଦୃଶ୍ୟ। ଗେଲବାଳ ଗାଁ ପାଖରେ କଲରାପତରିଆ ବାଘ ବୁଲୁଥିବା ଖବର ସାମ୍ନାକୁ ଆସିବା ପରେ, ସଙ୍ଗେ ସଙ୍ଗେ ତତ୍ପର ହୋଇ ଉଠିଥିଲା ବନ ବିଭାଗ।
ବାଘକୁ ଧରିବା ପାଇଁ ଲାଗି ପଡ଼ିଥିଲେ ବନ ବିଭାଗର ଟିମ୍। ଯେଉଁ ଅଞ୍ଚଳରେ ବାଘକୁ ଗ୍ରାମବାସୀ ଦେଖିଥିଲେ ସେହି ଅଞ୍ଚଳରେ ବନ ବିଭାଗ କର୍ମଚାରୀ ପହଞ୍ଚି ଯନ୍ତା ବସାଇଥିଲେ। ଜାଲ ବି ବିଛାଇଥିଲେ। ବାଘର ଖାଇବା ପାଇଁ ଏକ ଛେଳିକୁ ଯନ୍ତା ପାଖରେ ମଧ୍ୟ ବନ୍ଧା ଯାଇଥିଲା। ବନ କର୍ମଚାରୀମାନେ ସାଜସରଂଜାମ ସହ ଲୁଚି ରହିଥିଲେ।
ପଢ଼ନ୍ତୁ ଏହି ଖବର: ଟିଭିରୁ ଅଭିନୟ କ୍ୟାରିୟର ଆରମ୍ଭ କରିଥିଲେ ପିଣ୍ଟୁ ନନ୍ଦ; ଏହି ଫିଲ୍ମ ପାଇଁ ପାଇଥିଲେ ଶ୍ରେଷ୍ଠ ପୁରସ୍କାରସମସ୍ତେ ଭାବିଥିଲେ, ବାଘ ଜଙ୍ଗଲ ଭିତରୁ ଛେଳି ଖାଇବାକୁ ଆସିଲେ, ଯନ୍ତାରେ ପଡ଼ିଯିବ। ଯଦି ଯନ୍ତାରୁ ଖସିଯିବାକୁ ଚେଷ୍ଟା କରେ ତେବେ ଜାଲରେ ପଡ଼ିବ। ତାପରେ ବାଘକୁ ଟ୍ରାଙ୍କୁଲାଇଜ କରି କାବୁ କରିନେବେ।
ଟ୍ରାଙ୍କୁଲାଇଜ ପାଇଁ ବିଶେଷଜ୍ଞମାନେ ମଧ୍ୟ ପ୍ରସ୍ତୁତ ହୋଇରହିଥିଲେ। କିନ୍ତୁ ସେମିତି କିଛି ବି ହେଲାନି। ବାଘଧରା ଅଭିଯାନ ଦେଖିବାକୁ ପ୍ରବଳ ଲୋକ ରୁଣ୍ଡ ହୋଇଯିବାରୁ, କୋଳାହଳ ଦେଖି ବୁଦା ଭିତରୁ ଦୌଡ଼ି ପଳାଇଲା ବାଘ। ଜାଲ କଡ଼ରେ ଥିବା ଫାଙ୍କା ଜାଗା ଦେଇ ଲମ୍ଫ ମାରି ଆଖି ପିଛୁଳାକେ ଅନ୍ତର୍ଦ୍ଧାନ ହୋଇଗଲା ବାଘ। ବନ କର୍ମଚାରୀମାନେ ନିରୁପାୟ ହୋଇ ଚାହିଁ ରହିଲେ ସିନା କିଛି କରିପାରିଲେନି।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।