କଟକ: ବାରବାଟୀ ଷ୍ଟାଡିୟମ୍ରେ ଭାରତ ଓ ୱେଷ୍ଟଇଣ୍ଡିଜ ମଧ୍ୟରେ ରବିବାର ହେବାକୁ ଥିବା ଦିନିକିଆ କ୍ରିକେଟ ମ୍ୟାଚ଼୍ ପାଇଁ ଟିକେଟ୍ ବିକ୍ରି ଶେଷ ହୋଇଯାଇଛି । ଦର୍ଶକମାନଙ୍କ ପାଇଁ ମୋଟ ୧୦,୦୫୦ଟି ଟିକେଟ ବିକ୍ରି ପାଇଁ କାଉଁଟରକୁ ଆସିଥିଲା, କିନ୍ତୁ ଟିକେଟ କିଣିବା ପାଇଁ ଷ୍ଟାଡିୟମ ପରିସରରେ ୩୦,୦୦୦ ରୁ ବେଶୀ ଦର୍ଶକଙ୍କ ଭିଡ଼ ଦେଖିବାକୁ ମିଳିଥିଲା । ଟିକେଟ ନ ପାଇ ଫେରି ଯାଇଛନ୍ତି ଅନେକ ଦର୍ଶକ ।
ଶୁକ୍ରବାର ଷ୍ଟାଡିୟମରେ ନେଟ୍ସ୍ ଅଭ୍ୟାସ କରିବେ ଭାରତ ଓ ୱେଷ୍ଟଇଣ୍ଡିଜ ଦଳର ଖେଳାଳିମାନେ । ବାରବାଟୀ ଦଖଲ ପାଇଁ ରବିବାର ଦିନ ଏଇ ଦୁଇ ଦେଶ ମଧ୍ୟରେ ହେବ ଦିବାରାତ୍ର ଲଢ଼େଇ । ଦୁଇ ଦେଶ ମଧ୍ୟରେ ଅନୁଷ୍ଠିତ ହେଉଥିବା ତିନିଟିକିଆ ଦିନିକିଆ ସିରିଜ୍ର ଏହା ହେଉଛି ଶେଷ ଓ ନିର୍ଣ୍ଣାୟକ ମ୍ୟାଚ୍ ।
ଦୁଇଟି ଯାକ ଟିମ୍ର ସ୍ଥିତି ୧-୧ ରେ ବରାବର ଥିବାରୁ ବାରବାଟୀ ଦଖଲ ପାଇଁ ଉଭୟ ଟିମ୍ ମଧ୍ୟରେ ଏକ ସଙ୍ଘର୍ଷପୂର୍ଣ୍ଣ ମ୍ୟାଚ୍ ଦେଖିବାକୁ ମିଳିବ । ତେଣୁ ଏହି ମ୍ୟାଚର ରେମାଞ୍ଚକର ଅନୁଭୁତି ନେବା ପାଇଁ କ୍ରିକେଟ ପ୍ରେମୀମାନଙ୍କ ମଧ୍ୟରେ ନାହିଁ ନ ଥିବା ଉତ୍ସାହ ଦେଖିବାକୁ ମଳିଥିଲା । ଟିକେଟ ବିକ୍ରି ସମୟରେ ଏହି ଉତ୍ସାହ ସ୍ପଷ୍ଟ ବାରି ହୋଇ ପଡିଥିଲା ।

ଏମିତି ଭିଡ଼ ଆଗରୁ କେବେ ଦେଖାଯାଇ ନ ଥିଲା ।
‘‘ବିଶାଖାପାଟନମ୍ରେ ଖେଳାଯାଇଥିବା ମ୍ୟାଚ୍ରେ ଟିମ୍ ଇଣ୍ଡିଆର ଦମ୍ଦାର ପ୍ରଦର୍ଶନ ଦେଖି ମୁଁ ବାରବାଟୀରେ ମଧ୍ୟ ସେହି ଭଳି ଏକ ଆକର୍ଷଣୀୟ ମ୍ୟାଚ୍ର ଆଶା କରୁଛି । ରବିବାର ଦିନ ଭାରତ ହିଁ ଏହି ମ୍ୟାଚ୍ଟିକୁ ଜିତିବ,’’ କହିଛନ୍ତି ଟିକେଟ୍ ପାଇଁ ଲାଇନ୍ରେ ଛିଡ଼ା ହୋଇଥିବା ନୟାଗଡ଼ ବାସିନ୍ଦା ବିକାଶ ।
ଟିକେଟ ପାଇଁ କ୍ରିକେଟ ପ୍ରେମୀମାନଙ୍କର ଏହି ଭିଡ ଭିତରେ ପ୍ରଥମ ଥର ଲାଗି ହଜାର ହଜାର ସଂଖ୍ୟାରେ ମହିଳାମାନଙ୍କ ଉପସ୍ଥିତି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥିଲା । ଅନ୍ୟମାନଙ୍କ ଭଳି ମହିଳାମାନେ ମଧ୍ୟ ଘଣ୍ଟାଘଣ୍ଟା ଧରି ଟିକେଟ ପାଇଁ ଲାଇନରେ ଛିଡ଼ା ହୋଇଥିଲେ ।
‘‘ମୁଁ ବିରାଟ କୋହଲିଙ୍କର ଜଣେ ବଡ଼ ଫ୍ୟାନ ଏବଂ ତାଙ୍କୁ ଦେଖିବା ପାଇଁ ହିଁ ଚ଼ାରି ଘଣ୍ଟା ଲାଇନରେ ଛିଡା ହୋଇ ଟିକେଟ କରିଛି,” କହିଛନ୍ତି ଆସାମ୍ର ଗୌହାଟିରୁ ଆସିଥିବା ପ୍ରିୟାଙ୍କା ଡେକା।

ହଜାର ହଜାର ମହିଳା ଟିକେଟ କିଣିବାକୁ ଆସିଥିଲେ ।
ସକାଳ ୯ଟା ବେଳେ ବିକ୍ରି ଆରମ୍ଭ ହେବାକୁ ଥିବା ବେଳେ ଟିକେଟ ପାଇଁ ବିଳମ୍ବିତ ରାତିରୁ ହିଁ ଷ୍ଟାଡିୟମ ପରିସରରେ ଦର୍ଶକ ଜମା ହେବା ଆରମ୍ଭ କରିଥିଲେ । ସକାଳ ହେଉ ହେଉ ଷ୍ଟାଡିୟମ୍ ପରିସରରେ ପ୍ରାୟ ୩୦,୦୦୦ ଲୋକଙ୍କ ସମାଗମ ହୋଇଥିଲା ।
୧୩ ପ୍ଲାଟୁନ୍ ପୋଲିସ୍ ଫୋର୍ସ୍ ମୁତୟନ ହୋଇଥିଲେ ମଧ୍ୟ ଭିଡ଼ ନିୟନ୍ତ୍ରଣକୁ ନେଇ ପୋଲିସ୍କୁ ମଧ୍ୟ ନାକେଦମ ହେବାକୁ ପଡିଥିଲା । ଏପରିକି ମଝିରେ ପୋଲିସକୁ ମୃଦୁ ଲାଠି ଚ଼ାଳନା ମଧ୍ୟ କରିବାକୁ ପଡିଥିଲା ।
ଏହି ଭିଡର ସୁଯୋଗ ନେଇ କିଛି ଦଲାଲ ସେମାନଙ୍କ ଲୋକଙ୍କୁ ଛିଡ଼ା କରି ଟିକେଟ୍ କିଣି ନେଉଥିବା ଓ ପ୍ରତି ୭୦୮ ଟଙ୍କାର ଟିକେଟକୁ ୨,୦୦୦ ଟଙ୍କାରେ ବିକ୍ରି କରୁଥିବା ଅଭିଯୋଗ କରିଛନ୍ତି ଟିକେଟ ନ ପାଇ ନିରାଶ ହୋଇ ଫେରିଥିବା ପୂର୍ଣ୍ଣଚନ୍ଦ୍ର ବାରିକ ।
ସେପଟେ ମ୍ୟାଚ୍ ପାଇଁ ବାରବାଟୀ ଷ୍ଟାଡିୟମ୍ ସମ୍ପୁର୍ଣ୍ଣ ପ୍ରସ୍ତୁତ ଥିବା ବେଳେ ଆସନ୍ତା କାଲି ଅପରାହ୍ନ ଦୁଇଟାରେ ୱେଷ୍ଟଇଣ୍ଡିଜ୍ ଓ ୫ଟା ବେଳେ ଟିମ ଇଣ୍ଡିଆ ନେଟ୍ସ୍ ପାଇଁ ବାରବାଟୀ ଷ୍ଟାଡିୟମ୍କୁ ଆସିବାର କାର୍ଯ୍ୟ ସୂଚୀ ନିର୍ଦ୍ଧାରଣ ହୋଇଛି ବୋଲି ଓସିଏ ତରଫରୁ କୁହାଯାଇଛି ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।