ଦିପୁ ହତ୍ୟାକାଣ୍ଡ ମାମଲା: ଆତ୍ମସମର୍ପଣ କଲେ ଅଭିଯୁକ୍ତ; ହତ୍ୟାର କାରଣ ଖୋଜୁଛି ପୋଲିସ

ସୁନ୍ଦରପଦା ନୂଆସାହିର ଦିପୁ ହତ୍ୟାକାଣ୍ଡ ଘଟଣାରେ ଜେଲରେ ଆତ୍ମସମର୍ପଣ କରିଥିବା ତିନି ଅଭିଯୁକ୍ତକୁ ରିମାଣ୍ଡରେ ନେଇ ପଚରାଉଚରା ଆରମ୍ଭ କରିଛି ଏୟାରଫିଲ୍ଡ ଥାନା ପୋଲିସ । ଶନିବାର ତିନି ଅଭିଯୁକ୍ତଙ୍କୁ ନିଜ ହେପାଜତକୁ ନେଇଥିଲା ପୋଲିସ ।

ତିନି ଅଭିଯୁକ୍ତକୁ ରିମାଣ୍ଡରେ ନେଇ ପଚରାଉଚରା ଆରମ୍ଭ କରିଛି ଏୟାରଫିଲ୍ଡ ଥାନା ପୋଲିସ (ପ୍ରତୀକାତ୍ମକ ଛବି)

ତିନି ଅଭିଯୁକ୍ତକୁ ରିମାଣ୍ଡରେ ନେଇ ପଚରାଉଚରା ଆରମ୍ଭ କରିଛି ଏୟାରଫିଲ୍ଡ ଥାନା ପୋଲିସ (ପ୍ରତୀକାତ୍ମକ ଛବି)

  • Share this:
News18 Odia Digital

ଭୁବନେଶ୍ୱର: ରାଜ୍ୟ ରାଜଧାନୀ ଏୟାରଫିଲ୍ଡ ଥାନା ଅଧିନ ସୁନ୍ଦରପଦା ନୂଆସାହିର ଦିପକ ରାଉତ ଓରଫ ଦିପୁ ରାଉତ ହତ୍ୟାକାଣ୍ଡ ଘଟଣାରେ ଜେଲରେ ଆତ୍ମସମର୍ପଣ କରିଥିବା ତିନି ଅଭିଯୁକ୍ତକୁ ରିମାଣ୍ଡରେ ନେଇ ପଚରାଉଚରା ଆରମ୍ଭ କରିଛି ଏୟାରଫିଲ୍ଡ ଥାନା ପୋଲିସ । ଭୁବନେଶ୍ୱର ଏସ.ଡି.ଜେ.ଏମ୍ କୋର୍ଟରୁ ୫ଦିନ ରିମାଣ୍ଡର ଅନୁମତି ମିଳିବା ପରେ ଶନିବାର ତିନି ଅଭିଯୁକ୍ତଙ୍କୁ ଝାରପଡା ଜେଲରୁ ନିଜ ହେପାଜତକୁ ନେଇଥିଲା ପୋଲିସ ।

ପୋଲିସ ରିମାଣ୍ଡରେ ଥିବା ତିନି ଅଭିଯୁକ୍ତ ହେଲେ, ବିକି ମାଲିଆ, ଗୁଣ ମାଲିଆ ଓ ସୁଜିତ ପଣ୍ଡା । ଡି.ସି.ପି ଅଫିସରେ ଥିବା ସ୍ପେସାଲ ସ୍କ୍ୱାର୍ଡରେ ଅଭିଯୁକ୍ତଙ୍କୁ ରଖି ହତ୍ୟାକାଣ୍ଡର କାରଣ ଖୋଜୁଛି ପୋଲିସ । ଜିରୋ ନାଇଟରେ କ’ଣ ହୋଇଥିଲା ? କାହିଁକି ଦିପୁକୁ ହତ୍ୟାକଲେ ? ହତ୍ୟାପଛର କାରଣ କ’ଣ ? ଆଉ କାହାର ହତ୍ୟାକାଣ୍ଡରେ  ସମ୍ପୃକ୍ତି ରହିଛି କି ? ଏଭଳି ଅନେକ ଅସମାହିତ ପ୍ରଶ୍ନର ଉତର ଖୋଜିବ ବୋଲି ଏୟାରଫିଲ୍ଡ ଥାନା ପକ୍ଷରୁ କୁହାଯାଇଛି ।

“ଆମେ ତିନି ଅଭିଯୁକ୍ତକୁ ନେଇ ଏବେ ପଚରାଉଚରା ଚାଲିଛି । କିଭଳି ଦିପୁକୁ ହତ୍ୟା କରାଯାଇଛି ଓ ହତ୍ୟାରେ ବ୍ୟବହୃତ ଅସ୍ତ୍ର କେଉଁଠି ଲୁଚାଇଛନ୍ତି, ସେସବୁକୁ ନେଇ ଜେରା ଚାଲିଛି । ଘଟଣା ସ୍ଥଳରୁ ଅନେକ କିଛି ପ୍ରମାଣ ମିଳିଛି । ତେଣୁ ଅଭିଯୁକ୍ତଙ୍କୁ ଆଉ କ୍ରାଇମସିନ୍ ରିକ୍ରିଏସନ୍ କରିବା ଆବଶ୍ୟକ ନାହିଁ । ତେବେ ସେଦିନ ଘଟଣା ଦିନ କେଉଁମାନେ ସେହି  ସ୍ଥାନରେ ଥିଲେ ତାହା ମଧ୍ୟ ତଦନ୍ତ ତଦନ୍ତ ପରିସରଭୁକ୍ତ ରହିଛି," କହିଛନ୍ତି ଭୁବନେଶ୍ୱର ଜୋନ୍‌-୨ ଏ.ସି.ପି  ଅନିରୁଦ୍ଧ ରାଉତରାୟ ।

ଗତ ଜିରୋ ନାଇଟ ରାତିରେ କୋଭିଡ ନିୟମ ଉଲ୍ଲଙ୍ଘନ କରି ସୁନ୍ଦରପଦା ନୁଆସାହିରେ ଭୋଜି ହେଉଥିଲା । ପରେ କୌଣସି କାରଣ ପାଇଁ ଦିପୁକୁ ହତ୍ୟା କରାଯାଇଥିଲା । ଏହି ଘଟଣାରେ ପୋଲିସ ଅଭିଯୁକ୍ତଙ୍କୁ ଧରିବାରେ ସକ୍ଷମ ହୋଇ ପାରି ନଥିଲା ବେଳେ, ଗତ ୫ତାରିଖ ଦିନ ବିକି ମାଲିଆ ଓ ସୁରଜ ପଣ୍ଡା କୋର୍ଟରେ ଆତ୍ମସମର୍ପଣ କରିଥିଲେ । ପରଦିନ ଅନ୍ୟତମ ଅଭିଯୁକ୍ତ ଗୁଣ ମାଲିଆ ମଧ୍ୟ କୋର୍ଟରେ ଆତ୍ମସମର୍ପଣ କରିଥିଲେ । ତେଣୁ ତିନିଜଣଙ୍କୁ ରିମାଣ୍ଡରେ ନେଇ ହତ୍ୟାକାଣ୍ଡର କାରଣ ଉପରୁ ପରଦା ହଟାଇବାକୁ ଚେଷ୍ଟା କରାଯିବ ବୋଲି କମିଶନରେଟ ପୋଲିସ ପକ୍ଷରୁ କୁହାଯାଇଛି ।
Published by:Soumya Das
First published:
)}