News18 Odia Digital
ଭୁବନେଶ୍ବର: ବୁଧବାରଠୁ ଆରମ୍ଭ ହୋଇଛି ବିଜେଡ଼ିର ପ୍ରଶିକ୍ଷଣ ଶିବିର। ନିର୍ବାଚନ ପାଇଁ ଏବେଠୁ ସଜବାଜ। ତୃଣମୂଳ କର୍ମୀଙ୍କୁ ଏବେଠୁ ପ୍ରସ୍ତୁତ କଲାଣି ବିଜେଡି। ୧୪୭ ନିର୍ବାଚନ ମଣ୍ଡଳୀରେ ପ୍ରଶିକ୍ଷଣ ପାଇଁ ବିଜେଡି ଯୋଜନା କରିଥିବା ବେଳେ ବୁଧବାରଠୁ ଯାଜପୁର ଧର୍ମଶାଳାରୁ ଆରମ୍ଭ ହୋଇଛି ଅଭିଯାନ।
୨୦୨୪ ପାଇଁ କ୍ଷେତ୍ର ପ୍ରସ୍ତୁତି। ତୃଣମୂଳ କର୍ମୀଙ୍କୁ ଏବେଠୁ ପ୍ରସ୍ତୁତ କଲାଣି ବିଜେଡି। ଘରକୁ ଯିବେ କର୍ମୀ ଓ ଛାମୁଆ ନେତା। ଦଳ ଓ ସରକାରଙ୍କ ଭଲ କାମ ବାବଦରେ ଲୋକଙ୍କୁ ଅବଗତ କରାଇବେ।
ସରକାରୀ ଯୋଜନାର ଲୋକେ କିପରି ସୁବିଧା ପାଇବେ ସେ ନେଇ ତୃଣମୂଳ ସ୍ତରରେ କାମ କରିବେ। ୧୪୭ ନିର୍ବାଚନ ମଣ୍ଡଳୀ ପାଇଁ ଶସକ ଦଳ ବିସ୍ତୃତ ଯୋଜନା କରିଥିବା ବେଳେ ଯାଜପୁର ଧର୍ମଶାଳାରୁ ଆରମ୍ଭ ହୋଇଛି ପ୍ରଶିକ୍ଷଣ ଶିବିର। ଯୁବ, ଛାତ୍ର ଓ ମହିଳା ଭଳି ଛାମୁଆ ସଙ୍ଗଠନ ସହ ନିର୍ବାଚିତ ପଞ୍ଚାୟତ ପ୍ରତିନିଧିମାନଙ୍କୁ ଦିଆଯାଇଛି ତାଲିମ।
ଏହି ବୁଥ ସ୍ତରୀୟ କର୍ମକର୍ତ୍ତାଙ୍କୁ ପ୍ରଶିକ୍ଷଣ ଦେଇଛନ୍ତି ଟିମ ନବୀନଙ୍କ ବରିଷ୍ଠ ଓ ଅଭିଜ୍ଞ ନେତା। ସଙ୍ଗଠନ ମଜବୁତ ସହ ଭୋଟ ପ୍ରତିଶତ କିପରି ବୃଦ୍ଧି ପାଇବ ସେ ନେଇ କାମ କରିବେ ଏହି ନେତାମାନେ।
ବିଧାୟକ ଅରୁଣ ସାହୁ କହିଛନ୍ତି,"ଆଗାମୀ ଦିନରେ ତୃଣମୂଳ ସ୍ତରରେ କିଭଳି ଦଳକୁ ମଜବୁତ କରାଯିବ ଓ ରାଜ୍ୟ ସରକାରଙ୍କ ବିକାଶ ମୂଳକ କାର୍ଯ୍ୟକୁ ଲୋକଙ୍କ ପାଖରେ ପହଞ୍ଚାଯାଇ ପାରିବ, ସେ ସମ୍ପର୍କରେ କର୍ମୀମାନଙ୍କୁ ତାଲିମ ଦେବା ହେଉଛି ଏହି ପ୍ରଶିକ୍ଷଣ ଶିବିରର ମୂଳ ଲକ୍ଷ୍ୟ। ଆଗାମୀ ଦିନରେ ରାଜ୍ୟର ବିଭିନ୍ନ ନିର୍ବାଚନ ମଣ୍ଡଳୀରେ ଏହିଭଳି ପ୍ରଶିକ୍ଷଣ ଶିବିରମାନ ଆୟୋଜନ କରାଯିବ।
ସେପଟେ ବୁଥ ମଜବୁତ ପାଇଁ ରୋଡମ୍ୟାପ କରିଛି ବିଜେପି। ଦୁର୍ବଳ ସ୍ଥାନକୁ ଫୋକସ କରୁଛି ଦଳ। ଆସନ୍ତା ୨୫ ତାରିଖ ସୁଦ୍ଧା ସରିବ ବୁଥ କମିଟି ସୁଦୃଢ଼ୀକରଣ କାର୍ଯ୍ୟ।
ରାଜ୍ୟ ଶାଖାକୁ ଅଧିକ ଶକ୍ତି ଦେବାକୁ ଘନ ଘନ ଓଡ଼ିଶା ଗସ୍ତ କରୁଛନ୍ତି କେନ୍ଦ୍ର ନେତୃତ୍ୱ। ଅମିତ ଶାହଙ୍କ ଟାସ୍କକୁ ନେଇ ବିଜେପି ମଇଦାନକୁ ଓହ୍ଲାଇଥିବା ବେଳେ ଅଧିକ ଶକ୍ତି ଦେବାକୁ ୨୯ ତାରିଖରେ ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେବି ନଡ୍ଡା। ବୁଥ କର୍ମକର୍ତ୍ତାଙ୍କ ସହ ସିଧା ସଳଖ କଥା ହେବେ ନଡ୍ଡା। ପ୍ରଭାରୀ ସୁନିଲ ବାଂଶଲ ଓଡ଼ିଶା ଆସୁଥିବା ବେଳେ ମାସକ ମଧ୍ୟରେ ଏହା ତାଙ୍କର ଦ୍ବିତୀୟ ଗସ୍ତ।
ବିଜେପି ସାଧାରଣ ସମ୍ପାଦକ ଭୃଗୁ ବକ୍ସିପାତ୍ର କହିଛନ୍ତି, ‘‘ନିର୍ବାଚନକୁ ଆଖିରେ ରଖି ଆମେ ପ୍ରସ୍ତୁତ ହେଉଛୁ। ପୁରୀରେ ରାଜ୍ୟ ସ୍ତରୀୟ ପ୍ରଶିକ୍ଷଣ ଶିବିର ସରିଛି। ରାଷ୍ଟ୍ରୀୟ ଅଧକ୍ଷ ଜେପି ନଡ୍ଡା ମଧ୍ୟ ୨୯ ଓ ୩୦ ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି। ନିରନ୍ତର ଭାବେ ସଙ୍ଗଠନିକ ପ୍ରକ୍ରିୟା ଚାଲିଛି। ଯେଉଁ ଠି ଯେଉଁଠି ଆମର ସ୍ଥିତି ଦୁର୍ବଳ ଅଛି ସେଠି ମଜବୁତ କରିବାକୁ ଦଳର କେନ୍ଦ୍ରୀୟ ନେତୃତ୍ୱ ବରାବର ଓଡ଼ିଶା ଆସୁଛନ୍ତି। ନରେନ୍ଦ୍ର ମୋଦି ସରକାରଙ୍କ ଲୋକାଭିମୁଖୀ ଯୋଜନାକୁ ଲୋକଙ୍କ ପାଖରେ ପହଞ୍ଚାଇବା ଓ ରାଜ୍ୟ ସରକାରଙ୍କ ଲୋକ ବିରୋଧୀ ବ୍ୟବସ୍ଥାକୁ ଲୋକ ଲୋଚନକୁ ଆଣିବା ଓ ତାକୁ ଆହୁରି ଶାଣିତ କରିବ ଆକ୍ରମଣ ୨୦୨୪ ନିର୍ବାଚନ ପ୍ରସ୍ତୁତି କରାଇବା ବୁଥ ସ୍ତରରେ, ପଞ୍ଚାୟତରେ, ୱାର୍ଡ ସ୍ତରରେ ଓ ବିଧାନସଭା ଓ ଲୋକସଭା ନିର୍ବାଚନ ମଣ୍ଡଳୀ ସ୍ତରରେ ଉଭୟ କାମ ପ୍ରକ୍ରିୟରେ ଅଛି।
ସେହିପରି କଂଗ୍ରେସ ବିଧାୟକ ତାରାପ୍ରସାଦ ବାହିନୀପତି କହିଛନ୍ତି, ‘‘୨୨ ସହ ୫୦ କିଲୋମିଟର ପଦଯାତ୍ରା ହେବ। ପଦଯାତ୍ରା ସାରିବା ପରେ ଆମର ପ୍ରତେକ ବ୍ଲକ, ପ୍ରତେକ ଜିଲ୍ଲାରେ ଟ୍ରେନିଂ କରିବୁ। ଆମେ ଆମ କର୍ମୀଙ୍କୁ କହିବୁ ଦେଶ ସ୍ୱାଧୀନତା ଠୁ ଆରମ୍ଭ କରି ଆଜି ସୁଦ୍ଧା କଣ କରିଛୁ। ଟଙ୍କିକିଆ ଚାଉଳ କିଏ ଦେଇଛି. ଇନ୍ଦିରା ଆବାସ କିଏ ଦେଇଛି, ବୁଡ଼ା ବୁଢ଼ୀଙ୍କୁ ପେନସନ କିଏ ଦେଇଛି, ନରେଗା ଯୋଜନା, ଆରଟିଆଇ ଯୋଜନା କିଏ ଦେଇଛି। ଯେତେ ଯୋଜନା କଂଗ୍ରେସ ଦେଇଛି ତାକୁ ଲୋକଙ୍କ ପାଖରେ ପହଁଚାଇବୁ।’’
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।