ହୋମ୍ » ଓଡ଼ିଶା ନ୍ୟୁଜ୍ » ଓଡ଼ିଶା»ବିଜୁଙ୍କ ସାହସିକତା ଉପରେ ବହିର ଉନ୍ମୋଚ଼ନ ସମାରୋହରେ ଏକାଠି ହେଲେ ତିନି ଦଳର ନେତା

ବିଜୁଙ୍କ ସାହସିକତା ଉପରେ ବହିର ଉନ୍ମୋଚ଼ନ ସମାରୋହରେ ଏକାଠି ହେଲେ ତିନି ଦଳର ନେତା

ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ସାହସକିତାର କାହାଣୀ ବଖାଣୁଛି ଚ଼ିତ୍ରାଙ୍କନ ମାଧ୍ୟମରେ ସୁନ୍ଦର ଭାବେ ସଙ୍କଳିତ ବହି ‘ଦ ଆଡଭେଞ୍ଚର୍ସ ଅଫ ଦ ଡେୟାର ଡେଭିଲ୍ ଡେମୋକ୍ରାଟ’ । ଆଧୁନିକ ଓଡ଼ିଶାର ଗଠନରେ ବିଜୁ ବାବୁଙ୍କ ଅତୁଳନୀୟ ଭୂମିକା ଓ ତାଙ୍କ ଘଟଣାବହୁଳ ଜୀବନ ବିଷୟରେ ଏଥିରେ ରହିଛି ଅନେକ ତଥ୍ୟ ।

ବିଜୁଙ୍କ ସାହସିକତା ଉପରେ ବହିର ଉନ୍ମୋଚ଼ନ ସମାରୋହରେ ଏକାଠି ହେଲେ ତିନି ଦଳର ନେତା
ବିଜୁବାବୁଙ୍କ ଉପରେ ପ୍ରକାଶିତ ଚ଼ିତ୍ର ବହିର ଏକ ପୃଷ୍ଠା ଓ (ଡାହାଣ) ବହିଟିକୁ ପଢ଼ୁଛନ୍ତି ନବୀନ ପଟ୍ଟନାୟକ
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଭୁବନେଶ୍ବର: ପ୍ରବାଦ ପୁରୁଷ ତଥା ଓଡ଼ିଶାର ପୂର୍ବତନ ମୁଖ୍ୟ ମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ପାଇଁ ଦଳଗତ ନିର୍ବିଶେଷରେ ଗୋଟିଏ ସ୍ଥାନରେ ଏକାଠି ହୋଇଥିଲେ ରାଜ୍ୟର ରାଜନେତାମାନେ । କେବଳ ବିଜୁଙ୍କ ଅନୁଗତ ନୁହେଁ, ବିଜୁଙ୍କ ତତ୍କାଳୀନ ବିରୋଧୀ ବି ଆଜି ଭୂରି ଭୂରି ପ୍ରଂଶସା କରିଥିଲେ ତାଙ୍କୁ । ଅବସର ଥିଲା ବିଜୁ ବାବୁଙ୍କ ଉପରେ ଆଧାରିତ ପୁସ୍ତକ ‘ଆଡଭେଞ୍ଚର୍ସ ଅଫ୍ ଦ ଡେୟାର ଡେଭିଲ୍ ଡେମୋକ୍ରାଟ୍’ର ଲୋକାର୍ପଣ ଉତ୍ସବ ।

କଳିଙ୍ଗ ଫାଉଣ୍ଡେସନ୍ ପକ୍ଷରୁ ଆୟୋଜିତ ପୁସ୍ତକ ଉନ୍ମୋଚ଼ନ ସମାରୋହରେ ସମସ୍ତେ ବିଜୁବାବୁଙ୍କ ଘଟଣାବହୁଳ ମହାନ ଜୀବନରୁ ତାଙ୍କର ସାହସ ଓ ସ୍ନେହର ପରିଚ଼ାୟକ ଅନେକ ଦୃଷ୍ଟାନ୍ତ ବଖାଣିଥିଲେ । ‘ଦ ଆଡଭେଞ୍ଚର୍ସ ଅଫ୍ ଦ ଡେୟାର ଡେଭିଲ୍ ଡେମୋକ୍ରାଟ୍’ ବହିଟିକୁ ପ୍ରକାଶ କରିଛି କଳିଙ୍ଗ ଫାଉଣ୍ଡେସନ୍ ଟ୍ରଷ୍ଟ  । ‘ଝଡର ଇଗଲ୍’ ଉପନାମରେ ପ୍ରସିଦ୍ଧ ବିଜୁ ବାବୁଙ୍କ ପାଇଁ ବହିର ଏ ଟାଇଟଲ୍ ସମସ୍ତଙ୍କୁ ଉପଯୁକ୍ତ ଲାଗିଥିଲା ।

ବିଜୁ ପଚ୍ଚନାୟକଙ୍କ ନାଆଁ ସହିତ ‘ବୀର ପୁରୁଷ’, ‘ଟଲ୍ ମ୍ୟାନ୍’, ‘ଇଣ୍ଡୋନେସିଆର ବରପୁତ୍ର’ ଓ ଓଡ଼ିଶାର ପୂର୍ବତନ ମୁଖ୍ୟ ମନ୍ତ୍ରୀ ଆଦି ପୂର୍ବରୁ ଯୋଡ଼ି ରହିଛି । ଏବେ ଇଲଷ୍ଟ୍ରେସନ୍ (ଚ଼ିତ୍ରାଙ୍କନ) ମାଧ୍ୟମରେ ସୁନ୍ଦର ଭାବେ ସଙ୍କଳନ କରାଯାଇଥିବା ଏହି ପୁସ୍ତକ ଜରିଆରେ ଲୋକେ ଜାଣିବେ ତାଙ୍କ ସାହସିକତା ବିଷୟରେ ଆଉ କିଛି କଥା । ପୁସ୍ତକ ଉନ୍ମୋଚ଼ନ ଅବସରରେ ବିଜୁ ଅନୁଗତ ଓ ତତ୍କାଳୀନ ବିଜୁ ବିରୋଧୀ ସାମିଲ୍ ହୋଇ ବିଜୁ ବାବୁଙ୍କ ସ୍ମୃତି ଚ଼ାରଣ କରିବା ସହ ତାଙ୍କ ସାହସିକତାକୁ ପ୍ରଶଂସା କରିଥିଲେ । ବହିଟିକୁ ଉନ୍ମୋଚନ କରି ବିଜୁଙ୍କ ପୁତ୍ର ତଥା ବର୍ତ୍ତମାନର ମୁଖ୍ୟ ମନ୍ତ୍ରୀ ନବୀନ ପଟ୍ଟନାୟକ ସେହି ସାହାସୀ, ଯୋଦ୍ଧା ଓ ବିରଳ ବ୍ୟକ୍ତିତ୍ବଙ୍କ ସମ୍ପର୍କରେ ମଧ୍ୟ କହିଥିଲେ ।

ବହିଟିର ଉନ୍ମୋଚ଼ନ ସମାରୋହରେ ବିରୋଧୀ ଦଳ ନେତାମାନଙ୍କ ସହ ନବୀନ ପଟ୍ଟନାୟକ


ଏକଦା ବିଜୁ ବାବୁଙ୍କ ସାଙ୍ଗରେ ଥିବା ନରସିଂହ ମିଶ୍ର, ଯିଏ ଏବେ କଂଗ୍ରେସ ବିଧାୟକ ଦଳ ନେତା ଓ ନବୀନଙ୍କ ବିରୋଧୀ, କହିଥିଲେ ଯେ ବିଜୁ ବାବୁ ଥିଲେ ତାଙ୍କ ‘‘କ୍ୟାରିୟରର ଟର୍ଣ୍ଣିଂ ପଏଣ୍ଟ’’ । ବିଜେପି ନେତା କନକ ବର୍ଦ୍ଧନ ସିଂହଦେଓ କହିଥିଲେ ବିଜୁବାବୁ କେମିତି ଥରେ ତାଙ୍କୁ ‘‘ଜେଲରେ ପୂରାଇ ଅଚ଼ିହ୍ନା କନକକୁ ରାତାରାତି ପରିଚିତ କରାଇଥିଲେ ସାରା ଓଡ଼ିଶାରେ’’ ।

ଦ କ୍ରିଏଟିଭ୍ ୱାର୍କସପ୍ ପକ୍ଷରୁ କଳିଙ୍ଗ ଫାଉଣ୍ଡେସନ୍ ସହାୟତାରେ ଏହି କମିକ୍ ବହିଟି ଉନ୍ମୋଚ଼ିତ ହୋଇଥିଲା । ଚ଼ିତ୍ରାଙ୍କନ ମାଧ୍ୟମରେ ବିଜୁ ବାବୁଙ୍କ ସାହସିକତାର କାହାଣୀ ବଖାଣୁଥିବା ବହିଟି ହୋଇଛି ଆଧୁନିକ ଓଡ଼ିଶାର ଗଠନରେ ବିଜୁ ବାବୁଙ୍କ ଭୂମିକାକୁ ନେଇ ରେଭେନ୍ସା କଲେଜର ଯୁବକମାନଙ୍କ କଥୋପକଥନରୁ । ଦ୍ବିତୀୟ ଅଧ୍ୟାୟରେ ମହାତ୍ମା ଗାନ୍ଧିଙ୍କ ପ୍ରଥମ ଓଡ଼ିଶା ଗସ୍ତ ସମୟରେ ତାଙ୍କ ଦ୍ବାରା ଅନୁପ୍ରାଣିତ ବିଜୁଙ୍କ ସ୍ବାଧୀନତା ସଂଗ୍ରାମର କାହାଣୀ ଦର୍ଶାଯାଇଛି ।

ଆକାଶରେ ଉଡ଼ିବାକୁ ଭଲ ପାଉଥିବା ବିଜୁଙ୍କ ସର୍ଜିକାଲ ଷ୍ଟ୍ରାଇକ୍ ର କାହାଣୀ ତୃତୀୟ ଅଧ୍ୟାୟରେ ଓ ପରିଶେଷରେ ସୁପରହିରୋ ସାଜି ଇଣ୍ଡୋନେସିଆର ପ୍ରଧାନ ମନ୍ତ୍ରୀଙ୍କୁ ବଞ୍ଚାଇବାର କାହାଣୀ ରହିଛି । ଆଜିର ଯୁବ ପିଢ଼ି ବହିଟିକୁ ନେଇ ବେଶ୍ ଉତ୍ସାହ ପ୍ରକାଶ କରିଛନ୍ତି । ମାର୍ଚ୍ଚ ୫ରେ ବିଜୁ ବାବୁଙ୍କ ୧୦୪ତମ ଜୟନ୍ତୀ ପାଳନ ହୋଇଥିଲା ।
First published: March 6, 2020, 7:54 PM IST