ଚଳଚଞ୍ଚଳ ହୋଇ ଉଠିଛି ଓଡ଼ିଆ ସିନେ ଇଣ୍ଡଷ୍ଟ୍ରି; ଗୋଟିଏ ବ୍ୟାନରରେ ନିର୍ମିତ ହେଉଛି ତିନୋଟି ଫିଲ୍ମ

ବିଭିନ୍ନ ଫୋରମରେ ଦର୍ଶକଙ୍କୁ ମନୋରଞ୍ଜନ ଯୋଗାଇ ଦେବା ପାଇଁ ଅଣ୍ଟା ଭିଡ଼ିଛନ୍ତି ପ୍ରଯୋଜକ ଓ ନିର୍ଦ୍ଦେଶକ । ଏହି କ୍ରମରେ ନେକ୍ସଟ୍ ଡ଼ୋର ଫିଲ୍ମସ୍ ବ୍ୟାନରରେ ଏକାଥରେ ନିର୍ମାଣ ହେବାକୁ ଯାଉଛି ତିନୋଟି ଫିଲ୍ମ ।

ଗୋଟିଏ ବ୍ୟାନରରେ ନିର୍ମିତ ହେଉଛି  ତିନୋଟି ଓଡ଼ିଆ ଫିଲ୍ମ (ପ୍ରତୀକାତ୍ମକ ଛବି)

ଗୋଟିଏ ବ୍ୟାନରରେ ନିର୍ମିତ ହେଉଛି ତିନୋଟି ଓଡ଼ିଆ ଫିଲ୍ମ (ପ୍ରତୀକାତ୍ମକ ଛବି)

  • Share this:
News18 Odia Digital

ଭୁବନେଶ୍ୱର: ଲମ୍ବା ବ୍ୟବଧାନ ପରେ ଏବେ ଚଳଚଞ୍ଚଳ ହୋଇ ଉଠିଛି ଓଡ଼ିଆ ସିନେ ଇଣ୍ଡଷ୍ଟ୍ରି  ବିଭିନ୍ନ ଫୋରମରେ ଦର୍ଶକଙ୍କୁ ମନୋରଞ୍ଜନ ଯୋଗାଇ ଦେବା ପାଇଁ ଅଣ୍ଟା ଭିଡ଼ିଛନ୍ତି ପ୍ରଯୋଜକ ଓ ନିର୍ଦ୍ଦେଶକ । ଏହି କ୍ରମରେ ନେକ୍ସଟ୍ ଡ଼ୋର ଫିଲ୍ମସ୍ ବ୍ୟାନରରେ ଏକାଥରେ ନିର୍ମାଣ ହେବାକୁ ଯାଉଛି ତିନୋଟି ଫିଲ୍ମ ।

ନିକଟରେ ତିନୋଟି ଫିଲ୍ମର ଶୁଭମହୁରତ ଗୋଟିଏ ସ୍ଥାନରେ ହୋଇଯାଇଛି । ପ୍ରଥମ ଓଡ଼ିଆ ଫିଲ୍ମଟିର ନାଁ 'ପ୍ରୀତିବନ୍ଧନ' ଥିବା ବେଳେ ଦ୍ୱିତୀୟ ଫିଲ୍ମର ନାଁ ରହିଛି ' ମରିଚିକା'। ଏହାସହିତ ତୃତୀୟ ଫିଲ୍ମଟି ହେଲା' ମେହେନ୍ଦି '। ଏହାର କାରଣ ହେଲା ଓଡ଼ିଶାର କଳା, ସଂସ୍କୃତି ଓ ପରମ୍ପରା ଆଧାରରେ 'ପ୍ରୀତିବନ୍ଧନ' ଫିଲ୍ମଟି ପ୍ରସ୍ତୁତ ହେଉଛି । ଫିଲ୍ମର ନିର୍ଦ୍ଦେଶନା ଦାୟିତ୍ୱରେ ଅଛନ୍ତି ରାଶେସ ମହାନ୍ତି ଓରଫ ସିଲୁ । ସଙ୍ଗୀତ ନିର୍ଦ୍ଦେଶନା ଦାୟିତ୍ୱରେ ଅଭିଜିତ୍ ମଜୁମଦାର ଥିବା ବେଳେ ପ୍ରଯୋଜନା ଦାୟିତ୍ୱରେ ଅଛନ୍ତି ପ୍ରଶାନ୍ତ ନାୟକ ଓ ନରେନ୍ଦ୍ର ପାତ୍ର । ପ୍ରଯୋଜନା ସଂସ୍ଥା ପକ୍ଷରୁ କୁହାଯାଇଛି ସଂସ୍କୃତି ଓ ପରମ୍ପରାଧର୍ମୀ ଫିଲ୍ମଟି ହୋଇଥିଲେ ବି ଏଥିରେ ବ୍ୟବସାୟିକ ସଫଳତାକୁ ଗୁରୁତ୍ୱ ଦେବା ପାଇଁ ପ୍ରୟାସ କରାଯାଇଛି । ମୋଟ ଉପରେ ଏହା ଏକ ପରମ୍ପରାଧର୍ମୀ ବ୍ୟବସାୟିକ ଫିଲ୍ମ ଓ ଏହାକୁ ଦର୍ଶକମାନେ ପସନ୍ଦ କରିବେ ବୋଲି ସଂସ୍ଥା ଆଶା ରଖିଛି । ନିର୍ଦ୍ଦେଶକ ରାଶେସ ମହାନ୍ତି କହିଛନ୍ତି,"ଦର୍ଶକଙ୍କ ଗ୍ରହଣୀୟତାକୁ ଗୁରୁତ୍ୱ ଦେଇ ଏହି ଫିଲ୍ମକୁ ନିର୍ମାଣ କରାଯାଉଛି । ଯେଭଳି ସବୁବର୍ଗର ଦର୍ଶକ ଏହାକୁ ପସନ୍ଦ କରିବେ ସେଥିପାଇଁ କାହାଣୀରେ ବିଶେଷ ଗୁରୁତ୍ୱ ଦିଆଯାଇଛି"।

ନେକ୍ସଟ୍ ଡ଼ୋର ଫିଲ୍ମସ୍‌ର ଦ୍ୱିତୀୟ ଅବଦାନ ହେଉଛି ‘ମରିଚିକା’ । ଏହାର କାହାଣୀ ଓ ନିର୍ଦ୍ଦେଶନା ଦାୟିତ୍ୱରେ ଅଛନ୍ତି ଆଲୋକ ବେହେରା । ଟାଇଟେଲ ଦୃଷ୍ଟିରୁ ଏହି ସିନେମାଟି ପାରମ୍ପରିକ ସିନେମା ଭାବେ ଲୋକଙ୍କ ମନକୁ ଆସୁଥିବା ବେଳେ ବାସ୍ତବରେ ଏହାକୁ ସମୟୋପଯୋଗୀ ଗ୍ରହଣୀୟତା ପାଇଁ ପ୍ରୟାସ କରାଯାଇଛି । ଏଥିରେ ଟିନ୍ ଏଜର ଲଭ୍ ଷ୍ଟୋରୀ ସହିତ କାହାଣୀରେ ଟୁଇଷ୍ଟ ଓ ଓଡ଼ିଆ ଦର୍ଶକଙ୍କ ମାନସିକତାକୁ ପ୍ରାଥମିକତା ଦିଆଯାଇଛି । ବିଶେଷକରି ଏକ ସୁନ୍ଦର ଓ ସମୟୋପଯୋଗୀ କାହାଣୀକୁ ବଳିଷ୍ଠ ଭାବେ ଉପସ୍ଥାପନା କରିବା ପାଇଁ ଚେଷ୍ଟା କରାଯାଇଛି ଏହି ସିନେମାରେ।

ସେହିଭଳି ନେକ୍ସଟ୍ ଡ଼ୋର ଫିଲ୍ମସ୍‌ର  ତୃତୀୟ ଅବଦାନ ହେଉଛି ‘ମେହେନ୍ଦି’ । ସାଧାରଣ ଭାବେ ସିନେମାର ଟାଇଟେଲ  ମେହେନ୍ଦି ରଖାଯାଇଥିବା ବେଳେ ଓଡ଼ିଆ ଘରର ବାହାଘର ଓ ନୋକ୍‌ଝୋକ୍ କଥାକୁ ଏଥିରେ ଗୁରୁତ୍ୱ ଦିଆଯାଇଛି ବୋଲି ଅନେକ ଭାବିଥାଇ ପାରନ୍ତି । ବାସ୍ତବରେ କିନ୍ତୁ ଫିଲ୍ମର କାହାଣୀ ସମ୍ପୂର୍ଣ୍ଣ ଭିନ୍ନ । ଏଥିରେ ରୋମାନ୍ସ ଓ ହେଟ୍ ଷ୍ଟୋରୀକୁ ଚମାତ୍କାର ଭାବେ ଅନ୍‌ସ୍କ୍ରିନ୍‌ରେ ପ୍ରୟୋଗ କରାଯିବା ପାଇଁ ଯୋଜନା ରହିଛି । ସିନେମାର କାହାଣୀ ଓ ନିର୍ଦ୍ଦେଶନା ଦାୟିତ୍ୱରେ ଅଛନ୍ତି ସୁଧାକର ବସନ୍ତ । "ଏଥିରେ ସୁନ୍ଦର କାହାଣୀ ସହ ଲଭ୍‌,

ଫାଇଟିଂ ଓ କମେଡ଼ିକୁ ବିଶେଷ ଗୁୁରୁତ୍ୱ ଦିଆଯାଇଛି । ସିନେମାଟି ଯେଭଳି ଦର୍ଶକ ଗ୍ରହଣୀୟତା ଲାଭ କରିବ ତାହା ଉପରେ ରୀତିମତ ଗୁରୁତ୍ୱ ଦିଆଯାଇଛି," କହିଛନ୍ତି ସୁଧାକର ବସନ୍ତ ।

ପ୍ରଯୋଜକ ନରେନ୍ଦ୍ର ପାତ୍ର କହିଛନ୍ତି," ତିନୋଟି ଯାକ ଫିଲ୍ମ ଆସନ୍ତା ରଜ ଓ ଦଶହରାରେ ମୁକ୍ତିଲାଭ କରିବା ପାଇଁ ଯୋଜନା ରଖାଯାଇଛି । କୌଣସି ଓଟିଟି ପ୍ଲାଟଫର୍ମରେ ନୁହେଁ, ବରଂ ବଡ଼ ପରଦାରେ ଏହା ମୁକ୍ତିଲାଭ କରିବ । ଉକ୍ତ ତିନୋଟି ଯାକ୍ ଫିଲ୍ମ ମିଡ଼ିୟମ ବଜେଟର ଫିଲ୍ମ ବୋଲି ସଂସ୍ଥା ସ୍ପଷ୍ଟ କରିଛି"।
Published by:Soumya Das
First published: