ମୋ ସରକାରରେ ସାମିଲ ହୋଇଛି ଆଉ ୩ ବିଭାଗ; ୧୯୯ ଜଣ କର୍ତ୍ତୃପକ୍ଷ ସଂଗ୍ରହ କରୁଛନ୍ତି ଫିଡବ୍ୟାକ୍

ମୋ ସରକାରରେ ସାମିଲ ହେଲା ଅର୍ଥ ବିଭାଗ, ପୂର୍ତ୍ତ, ବାଣିଜ୍ୟ ଓ ପରିବହନ ବିଭାଗ। ତୃଣମୂଳ ସ୍ତରରୁ ମିଳୁଥିବା ଫିଡବ୍ୟାକରୁ କର୍ମଚାରୀଙ୍କ ବ୍ୟବହାରିକ ପରିବର୍ତ୍ତନ ଆଣିବାରେ ଅନେକ ବିଭାଗ ସଫଳ ହୋଇଥିବା କହିଛନ୍ତି ମୁଖ୍ୟମନ୍ତ୍ରୀ।

ମୋ ସରକାରରେ ସାମିଲ ହୋଇଛି ଆଉ ୩ ବିଭାଗ

ମୋ ସରକାରରେ ସାମିଲ ହୋଇଛି ଆଉ ୩ ବିଭାଗ

  • Share this:
News18 Odia Digial

ଭୁବନେଶ୍ବର: ମୋ ସରକାରରେ ସାମିଲ ହୋଇଛି ଆଉ ୩ ବିଭାଗ। ଅର୍ଥ ବିଭାଗ, ପୂର୍ତ୍ତ, ବାଣିଜ୍ୟ ଓ ପରିବହନ ବିଭାଗ। ଏହି ୩ ବିଭାଗକୁ ମିଶାଇ ସମୁଦାୟ ୩୧ ବିଭାଗ ସାମିଲ ହୋଇଛି। ପୂର୍ବରୁ ୨୮ଟି ବିଭାଗର ୨୩୩ଟି ସେବା ମୋ ସରକାରରେ ସାମିଲ ହୋଇଥିଲା । ଆଉ ଏବେ ଏହି ୩ଟି ବିଭାଗକୁ ମିଶାଇ ୩୧ଟି ବିଭାଗର ୨୫୦ଟି ସେବା ସାମିଲ ହୋଇଛି। ଏହା ସହ ମୋ ସରକାରରେ ୧୧,୨୯୮ ସରକାରୀ କାର୍ଯ୍ୟାଳୟ ସାମିଲ ହୋଇଥିବା ବେଳେ ୧୯୯ ଜଣ କର୍ତ୍ତୃପକ୍ଷ ଫିଡବ୍ୟାକ ସଂଗ୍ରହ କରିବାରେ ନିୟୋଜିତ ଅଛନ୍ତି।

ଏହି ଅବସରରେ ଅଧିକରୁ ଅଧିକ ଲୋକଙ୍କ ପାଖରେ ପହଞ୍ଚିବାକୁ ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶ ଦେବା ସହ ନିୟମିତ ତଦାରଖ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ୨୦୧୯ ଅକ୍ଟୋବର ୨ ତାରିଖ ଗାନ୍ଧି ଜୟନ୍ତୀରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୋ ସରକାର କାର୍ଯ୍ୟକ୍ରମ ଆରମ୍ଭ କରିଥିଲେ।
ମୁଖ୍ୟମନ୍ତ୍ରୀ ନବୀନ ଗୁରୁବାର ମୋ ସରକାର ଉପକ୍ରମ ସମ୍ପର୍କରେ ଏକ ସମୀକ୍ଷା କରିବା ସହ ବୈଠକରେ ସମସ୍ତ ବିଭାଗ ଏହି କାର୍ଯ୍ୟକ୍ରମରେ ଅଧିକରୁ ଅଧିକ ଲୋକଙ୍କୁ ସାମିଲ କରିବାକୁ ପରାମର୍ଶ ଦେଇଥିଲେ।

ମୁଖ୍ୟମନ୍ତ୍ରୀ କହିଥିଲେ, "ରାଜ୍ୟର ପ୍ରଶାସନିକ ବ୍ୟବସ୍ଥାକୁ ମୋ ସରକାର ଏକ ନୂଆ ମଡେଲ ଦେଇପାରିଛି। ଗତ ଦୁଇ ଦଶକ ମଧ୍ୟରେ ଓଡ଼ିଶାରେ ବ୍ୟାପକ ବିକାଶ ହୋଇଛି ଓ ଓଡ଼ିଶା ଅନେକ କ୍ଷେତ୍ରରେ ଆଦର୍ଶ ସୃଷ୍ଟି କରିଛି।’’

ଦୁଇ ବର୍ଷ ତଳେ ଆରମ୍ଭ ହୋଇଥିବା ମୋ ସରକାର କାର୍ଯ୍ୟକ୍ରମ ଏବେ ରାଜ୍ୟର ପ୍ରଶାସନିକ ବ୍ୟବସ୍ଥାକୁ ଏକ ନୂଆ ମଡେଲ ଦେବାରେ ସଫଳ ହୋଇଛି ମୋ ସରକାର। ସରକାର ଓ ସରକାରୀ ଅନୁଷ୍ଠାନ ଗୁଡିକ ପ୍ରତି ଲୋକଙ୍କ ଦୃଷ୍ଟିଭଙ୍ଗୀରେ ମୋ ସରକାର ବ୍ୟାପକ ପରିବର୍ତ୍ତନ ଆଣିଛି। ଜନସାଧାରଣ ଓ ସରକାରୀ ଅନୁଷ୍ଠାନ ମଧ୍ୟରେ ଆସ୍ଥା ସୃଷ୍ଟି କରିବାରେ ମଧ୍ୟ ଏହା ସଫଳ ହୋଇପାରିଛି। ଲୋକଙ୍କ ଫିଡବ୍ୟାକ ରେକର୍ଡ କରାଯାଇଛି ଓ ସେମାନଙ୍କ ମତାମତ ଭିତ୍ତିରେ ଯେଉଁ ଅବଧାରଣା ସୃଷ୍ଟି ହୋଇଛି, ତା ଉପରେ ପଦକ୍ଷେପ ମଧ୍ୟ ନିଆଯାଉଛି।

ତୃଣମୂଳ ସ୍ତରରୁ ଯେଉଁ ଫିଡବ୍ୟାକ ମିଳୁଛି, ତାହା ଉତ୍ସାହଜନକ ବୋଲି ପ୍ରକାଶ କରି ମୁଖ୍ୟମନ୍ତ୍ରୀ କହିଛନ୍ତି, “ମୁଁ ଯେଉଁ ମତାମତ ପାଉଛି, ସେଥିରୁ ଜଣାଯାଉଛି ଯେ କର୍ମଚାରୀଙ୍କ ବ୍ୟବହାରିକ ପରିବର୍ତ୍ତନ ଆଣିବାରେ ଅନେକ ବିଭାଗ ସଫଳ ହେଉଛନ୍ତି। ଖୁସିର କଥା, ସରକାରୀ ଅଧିକାରୀ ଓ କର୍ମଚାରୀମାନେ ନାଗରିକମାନଙ୍କୁ ସେବା ପ୍ରଦାନ କରିବା ସମୟରେ ବର୍ତ୍ତମାନ ଅଧିକ ଦାୟିତ୍ବସମ୍ପନ୍ନ ଓ ସହୃଦୟତାର ସହ ବ୍ୟବହାର କରୁଛନ୍ତି।”

ଏହି କାର୍ଯ୍ୟକ୍ରମ ଦ୍ବାରା ପ୍ରଶାସନିକ ପ୍ରକ୍ରିୟା ଏବେ ଅଧିକ ସହଭାଗୀତାଭିତ୍ତିକ ହୋଇପାରିଛି ଓ ଏହି ପ୍ରକ୍ରିୟା ମଧ୍ୟରେ ନାଗରିକମାନେ ସରକାରୀ କାର୍ଯ୍ୟକ୍ରମ ଗୁଡିକର ଅଂଶୀଦାର ମଧ୍ୟ ହୋଇପାରିଛନ୍ତି।

ଏ ଦିଗରେ ନିରନ୍ତର ପ୍ରୟାସ ଦ୍ବାରା ଏକ ସମତା ଓ ନ୍ୟାୟଭିତ୍ତିକ ଅନ୍ତର୍ଭୁକ୍ତି ସମାଜ ଗଠନ ହୋଇପାରିବ ବୋଲି ସେ କହିଥିଲେ। ନାଗରିକମାନଙ୍କ ସନ୍ତୋଷ ଏକ ଲକ୍ଷ୍ୟ ନୁହେଁ, ଏହା ଏକ ନିରନ୍ତର ଯାତ୍ରା। ଆମ ସମସ୍ତଙ୍କୁ ନିରନ୍ତର ଉନ୍ନତି କରିବାର ଓ ଲୋକଙ୍କ ସମସ୍ୟା ସମାଧାନ ଦିଗରେ ଅଧିକ ସକ୍ରିୟ ହେବାର ଆବଶ୍ୟକତା ରହିଛି। ବିଭାଗ ଗୁଡିକର ଭୂମିକା ଲୋକଙ୍କ ମତାମତ ସଂଗ୍ରହ କରିବାରେ ଶେଷ ହୋଇଯିବା ଉଚିତ୍ ନୁହେଁ, ବରଂ ଏଥିରେ ଯେଉଁ ସମସ୍ୟା ଅଛି, ସେଗୁଡିକ ସମାଧାନ କରିବା ପାଇଁ ପଦକ୍ଷେପ ନେବା ମଧ୍ୟ ଜରୁରୀ। ଯେଉଁ କର୍ମଚାରୀମାନେ ଲୋକଙ୍କ ସେବା ଯୋଗାଇ ଦେବାରେ ଉଲ୍ଲେଖନୀୟ ପ୍ରଦର୍ଶନ କରୁଛନ୍ତି, ସେମାନଙ୍କୁ ବିଭାଗ ଗୁଡିକ ସେମାନଙ୍କୁ ମାନ୍ୟତା ଦେବାର ଆବଶ୍ୟକତା ମଧ୍ୟ ରହିଛି ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ।

ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ୬ଟି ବିଭାଗର କାର୍ଯ୍ୟକ୍ରମ ସମୀକ୍ଷା ହୋଇଥିଲା । ଗୃହ ବିଭାଗ, ସ୍ବାସ୍ଥ୍ୟ ଓ ପରିବାରକଲ୍ୟାଣ, ଜଙ୍ଗଲ ପରିବେଶ ଓ ଜଳବାୟୁ ପରିବର୍ତ୍ତନ, ଶିଳ୍ପ, ଅଣୁ କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ଏବଂ ଜଳ ସମ୍ପଦ ବିଭାଗ।

ଆଲୋଚନାରେ ଭାଗ ନେଇ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର କହିଥିଲେ ଯେ ଲୋକଙ୍କ ଠାରୁ ଫିଡବ୍ୟାକ ଗ୍ରହଣ କରିବାର ସବୁଠାରୁ ବଡ଼ କାର୍ଯ୍ୟକ୍ରମ। ଏଥିରେ ପ୍ରାୟତଃ ସବୁ ବିଭାଗ ସାମିଲ ହୋଇଥିବା ବେଳେ, ଏହି କାର୍ଯ୍ୟକ୍ରମକୁ ନିୟମିତ ଭାବେ ତଦାରଖ କରିବାର ଆବଶ୍ୟକତା ରହିଛି ବୋଲି ସେ ମତ ଦେଇଥିଲେ।

ମୁଖ୍ୟମନ୍ତ୍ରୀଙ୍କ ୫-ଟି ସଚିବ ଭି.କେ. ପାଣ୍ଡିଆନ କହିଥିଲେ ଯେ ଅଧିକାଂଶ ବିଭାଗର ଫିଡବ୍ୟାକ ବ୍ୟବସ୍ଥା ବହୁତ ଉନ୍ନତମାନର ଅଛି। ସାଧାରଣ ଲୋକଙ୍କ ଠାରୁ ମତାମତ ସଂଗ୍ରହ କରିବାରେ ବିଭାଗମାନେ ତତ୍ପରତା ଦେଖାଇବା ସହ ଭୁଲ କରୁଥିବା କର୍ମଚାରୀଙ୍କ ଉପରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଉପରେ ଗୁରୁତ୍ବ ଦେବାର ଆବଶ୍ୟକତା ଅଛି। ସାଧାରଣ ଲୋକଙ୍କ ସହିତ ବିଭିନ୍ନ ବିଭାଗରେ ବିଶେଷକରି ଇଞ୍ଜିନିୟରିଂ ବିଭାଗ ଗୁଡିକରେ ସେବା ପ୍ରଦାନକାରୀ ସଂସ୍ଥାମାନଙ୍କ ଠାରୁ ମଧ୍ୟ ମୋ ସରକାରର କାର୍ଯ୍ୟକ୍ରମରେ ଫିଡବ୍ୟାକ ସଂଗ୍ରହ କରିବାର ବ୍ୟବସ୍ଥା କରାଯିବା ଜରୁରୀ ବୋଲି ସେ କହିଥିଲେ।
Published by:Lipina Das
First published: