BMC ନିର୍ବାଚନ ପାଇଁ ବାଜିନି ବିଗୁଲ; ପ୍ରସ୍ତୁତ ହେଲେଣି ତିନି ଦଳ

ଭୁବନେଶ୍ୱର ମହାନଗର ନିଗମ ନିର୍ବାଚନ ପାଇଁ ବାଜି ନାହିଁ ଆନୁଷ୍ଠାନିକ ବିଗୁଲ। କିନ୍ତୁ ତିନି ପ୍ରମୁଖ ରାଜନୈତିକ ଦଳ ବିଜେପି, ବିଜେଡ଼ି ଓ କଂଗ୍ରେସ ପକ୍ଷରୁ ଯୋଜନାବଧ୍ୟ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି ।

BMC ନିର୍ବାଚନ ପାଇଁ ତିନି ପ୍ରମୁଖ ରାଜନୈତିକ ଦଳ ପ୍ରସ୍ତୁତ ହେଉଛନ୍ତି (ପ୍ରତୀକାତ୍ମକ ଛବି)

BMC ନିର୍ବାଚନ ପାଇଁ ତିନି ପ୍ରମୁଖ ରାଜନୈତିକ ଦଳ ପ୍ରସ୍ତୁତ ହେଉଛନ୍ତି (ପ୍ରତୀକାତ୍ମକ ଛବି)

  • Share this:
News18 Odia Digital

ଭୁବନେଶ୍ୱର: ଭୁବନେଶ୍ୱର ମହାନଗର ନିଗମ ନିର୍ବାଚନ ପାଇଁ ବାଜି ନାହିଁ ଆନୁଷ୍ଠାନିକ ବିଗୁଲ। କିନ୍ତୁ ତିନି ପ୍ରମୁଖ ରାଜନୈତିକ ଦଳ ବିଜେପି, ବିଜେଡ଼ି ଓ କଂଗ୍ରେସ ପକ୍ଷରୁ ଆରମ୍ଭ ହୋଇଯାଇଛି ଯୋଜନାବଧ୍ୟ ପ୍ରସ୍ତୁତି। ତୃଣମୂଳ ସ୍ତରରେ ଲୋକଙ୍କ ପାଖରେ ପହଁଚିବାକୁ ବିଜେପି ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଥିଲା ବେଳେ ଦଳର ଭୁବନେଶ୍ବର ଜିଲ୍ଲା  ସଂଗଠନ ପକ୍ଷରୁ ଆୟୋଜନ ହୋଇଛି ଦୁଇ ଦିନିଆ  କାର୍ଯ୍ୟ କାରିଣୀ। ଅନୁରୂପ ଭାବେ ନିଗମର ବସ୍ତିବାସିନ୍ଦାଙ୍କ ନିକଟତର ହେବାକୁ କଂଗ୍ରେସ  ଉଦ୍ୟମ କରୁଥିବା ବେଳେ ବିଜୁ ସ୍ୱାସ୍ଥ୍ୟକାର୍ଡ ବଣ୍ଟନ ଜରିଆରେ ବିଜେଡି ବି ଲୋକଙ୍କର ନିକଟତର ହେବାକୁ ଚେଷ୍ଟା କରିଛି।

ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତି କହିଛନ୍ତି,"ବିପର୍ଯ୍ୟସ୍ତ ଆଇନଶୃଙ୍ଖଳା ପରିସ୍ଥିତି, ପରିମଳ ଅବ୍ୟବସ୍ଥା, ଜଳ ନିଷ୍କାସନ ସମସ୍ୟା, ସ୍ବାସ୍ଥ୍ୟ ସମସ୍ୟା, ମହିଳା ସୁରକ୍ଷା ଓ ବସ୍ତି ବାସିନ୍ଦାଙ୍କ ସମସ୍ୟା ଆଦି ପ୍ରସଙ୍ଗରେ କାର୍ଯ୍ୟକାରିଣୀରେ ଆଲୋଚନା ହୋଇଛି । ଭୁବନେଶ୍ୱର ମହାନଗର ନିଗମ ନିର୍ବାଚନରେ ଦଳର କର୍ମୀ ଓ ନେତା କିଭଳି ଏ ସବୁ ପ୍ରସଙ୍ଗକୁ ଲୋକଙ୍କ ନିକଟରେ ପହଞ୍ଚାଇବେ ସେ ନେଇ ରଣନୀତି ପ୍ରସ୍ତୁତ କରିଛି ଦଳ । ମହାନଗର ନିଗମ ଅଞ୍ଚଳରେ ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନା କାର୍ଯ୍ୟକାରୀ ହେବାର ବିଫଳତା ଓ କେନ୍ଦ୍ରର ବିଭିନ୍ନ ଯୋଜନା ଲୋକଙ୍କ ପାଖରେ କେମିତି ପହଞ୍ଚୁ ନାହିଁ। ଏ ସବୁ ପ୍ରସଙ୍ଗକୁ ପ୍ରଥମେ ମଣ୍ଡଳ ଏବଂ ପରେ ୱାର୍ଡ ସ୍ତରକୁ ନେଇ ଯିବାକୁ ଦଳ କାର୍ଯ୍ୟକାରିଣୀରେ ସ୍ଥିର କରିଛି ।

ସେହିଭଳି ରାଜ୍ୟ କଂଗ୍ରେସ ମଧ୍ୟ ନିଜ ପ୍ରସ୍ତୁତି ଜୋରଦାର କରିଛି। ବିଶେଷ କରି ଭୁବନେଶ୍ବର ବସ୍ତିବାସିନ୍ଦାଙ୍କ ନିକଟତର ହେବାକୁ ଦଳ ଚେଷ୍ଟା କରିଛି। ଶନିବାର ଭୁବନେଶ୍ୱର ମହାନଗର ନିଗମ ଅଧିନସ୍ଥ ଡୁମଡୁମା ସୁବାଷ ନଗର ବସ୍ତି ଉଚ୍ଛେଦକୁ ବିରୋଧ କରି ଧାରଣା ବସିଥିବା  ବସ୍ତିବାସିନ୍ଦାଙ୍କୁ ଭେଟିଥିଲେ କଂଗ୍ରେସ ପ୍ରଭାରୀ ଏ. ଚେଳ୍ଲାକୁମାର ଓ ସଭାପତି ନିରଞ୍ଜନ ପଟନାୟକ।

ଏହି ରେସରେ ବିଜୁ ଜନତା ଦଳ ବି ପଛରେ ପଡିନାହିଁ। ଭୁବନେଶ୍ୱର ଲୋକଙ୍କ ଦୃଷ୍ଟି ଓ ସମର୍ଥନ ଯୋଗାଡ଼ କରିବା  ଉଦ୍ୟମରେ ଲାଗିପଡିଛନ୍ତି ଦଳର ନେତା ଓ କର୍ମୀ। ୱାର୍ଡସ୍ତରରେ ଆରମ୍ଭ ହୋଇଛି ସ୍ୱାସ୍ଥ୍ୟ କାର୍ଡ ବଣ୍ଟନ କାର୍ଯ୍ୟକ୍ରମ ଓ ସରକାରଙ୍କ ଅନ୍ୟ ସବୁ ଯୋଜନାକୁ ପ୍ରଚାରକୁ ଜୋରଦାର କରିବ ବୋଲି କହିଛନ୍ତି  ବିଜେଡ଼ି ବିଧାୟକ ସୁଶାନ୍ତ ରାଉତ।
Published by:Soumya Das
First published: