News18 Odia Digital
ଭୁବନେଶ୍ବର: ଭୁବନେଶ୍ୱର ଶହୀଦ ନଗରସ୍ଥିତ ହୋଟେଲ ଏମ୍ପାୟାର୍ସ ପରିସରରେ ଚାଲିଥିବା ତିନି ଦିନିଆ ଉତ୍କଳ ଖାଦ୍ୟ ମହୋତ୍ସବ ଶେଷ ହୋଇଛି। ମୁଖ୍ୟତଃ ଓଡ଼ିଆ ଘରର ପାରମ୍ପରିକ ଖାଦ୍ୟକୁ ପ୍ରଚାର ପ୍ରସାର କରିବା ଓ ଜାତୀୟ ତଥା ଆନ୍ତର୍ଜାତୀୟ ସ୍ତରରେ ଏହାକୁ ସ୍ବତନ୍ତ୍ର ପରିଚିତି ଦେବା ଏହାର ଲକ୍ଷ୍ୟ ଥିଲା ବୋଲି ଆୟୋଜକଙ୍କ ପକ୍ଷରୁ କୁହାଯାଇଛି।
ସାରା ରାଜ୍ୟ ପାଳୁଥିବା ୮୭ତମ ଉତ୍କଳ ପ୍ରତିଷ୍ଠା ଦିବସ ଅବସରରେ ଏଭଳି ଏକ ଆୟୋଜନ ପରିକଳ୍ପନା କରାଯାଇଥିଲା। ଏ ନେଇ ଏମ୍ପାୟାର୍ସ ହୋଟେଲର ପରିଚାଳକ ସଞ୍ଜୟ ମିଶ୍ରଙ୍କ ସୂଚନା ଅନୁସାରେ, ଧୀରେ ଧୀରେ ହଜି ହଜି ଯାଉଛି ଓଡ଼ିଆ ଘରର ପାରମ୍ପରିକ ଖାଦ୍ୟ ପସରା। ଆଧୁନିକତାର ଛାପରେ ବିଭିନ୍ନ ପ୍ରକାର ପାରମ୍ପରିକ ଓଡ଼ିଆ ଘରର ଖାଦ୍ୟ ଉପରୁ ମୁହଁ ଫେରାଇ ନେଉଛନ୍ତି ଓଡ଼ିଆମାନେ। ଏଭଳି ସମୟରେ ସେହି ପୁରୁଣା ଖାଦ୍ୟର ଆଦର ଫେରାଇ ଆଣିବା ସହିତ ଓଡ଼ିଆ ଖାଦ୍ୟର ମହତ୍ଵ ବିଷୟରେ ଲୋକଙ୍କୁ ସୂଚନା ଦେବାପାଇଁ ଏଭଳି ଏକ କାର୍ଯ୍ୟକ୍ରମର ପରିକଳ୍ପନା କରାଯାଇଥିଲା। ଖୁସି କଥା ହେଲା ଯେ ଏଭଳି ଆୟୋଜନ କେବଳ ଗୋଟିଏ ଦିନ ଭିତରେ ସୀମିତ ରଖାଯାଇ ନଥିଲା। ଅଧିକରୁ ଅଧିକ ଲୋକଙ୍କୁ ଆଗ୍ରହୀ କରାଇବା ପାଇଁ ଏପ୍ରିଲ ପହିଲାରୁ ୩ ତାରିଖ ପର୍ଯ୍ୟନ୍ତ ମୋଟ ତିନି ଦିନ ଧରି ଏହି କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା।
ହୋଟେଲ ଏମ୍ପାୟାର୍ସର ସେଲସ ମ୍ୟାନେଜର ସରୋଜ ମହାନ୍ତିଙ୍କ ସୂଚନା ଅନୁସାରେ, କୋଭିଡର ପ୍ରଭାବ କାରଣରୁ ଗତ ୨ ବର୍ଷ ଧରି ଏହି କାର୍ଯ୍ୟକ୍ରମ ଆୟୋଜନ ହୋଇପାରିନଥିଲା। ଏବେ କୋଭିଡର ପ୍ରଭାବ କମିବା ପରେ ଆମେ ଏହାର୍ ଆୟୋଜନ ଉପରେ ଗୁରୁତ୍ୱ ଦେଉଛୁ।

ହୋଟେଲ ଏମ୍ପାୟାର୍ସ ପରିସରରେ ଚାଲିଥିବା ତିନି ଦିନିଆ ଉତ୍କଳ ଖାଦ୍ୟ ମହୋତ୍ସବ ଶେଷ ହୋଇଛି
ସେହିପରି ହୋଟେଲର ସେଫ୍ ଲଳିତ ଶତପଥୀଙ୍କ ଅନୁସାରେ, ଓଡ଼ିଆ ଘରର ପାରମ୍ପରିକ ଖାଦ୍ୟର ପ୍ରଚାର ପ୍ରସାର ପାଇଁ ଏହା ଏକ ଛୋଟ ପ୍ରୟାସ। ଉତ୍କଳ ଦିବସରୁ ଆରମ୍ଭ ହୋଇଥିଲା ଏହି ପ୍ରୟାସ।
ଏଥର ଖାଦ୍ୟ ତାଲିକାରେ ବଟର ମିଲକ, ଚିକେନ୍ ପକୋଡା, ମାଛ ପକୋଡା, ପଣସ ପକୋଡା, ଦହିବରା, ଆଳୁଦମ, କାଞ୍ଜି, ଲାଛା ଓନିଅନ ସାଲାଡ଼, କାକୁଡି ଷ୍ଟିକ ସାଲାଡ଼, ଗଜାମୁଗ ନଡ଼ିଆ, ବଢିଚୁରା, ବାଇଗଣ ଚଟଣି, ଆଳୁ ଭରତା, ଆମ୍ବଖଟା, ରାଶି ପାମ୍ପଡ଼, କୁକୁଡ଼ା ଆଳୁ ଝୋଳ, ଚିଙ୍ଗୁଡ଼ି ଛେଞ୍ଚଡ଼ା, ସୋରିଷ ମାଛ, ଛେନା ତରକାରୀ, ଭେଜିଟେବୁଲ ଛୁଙ୍କ, ପୋଟଳ ରସା, ଛତୁ ଆଳୁ ରାଇ, କଖାରୁ ଫୁଲ ଭଜା, ବାଇଗଣୀ, ଆଳୁ ଛୁଇଁ ଭଜା, ଶାଗ ଭଜା, ମୁଗ ଡାଲି, ଡାଲମା, କାନିକା, ଖେଚୁଡ଼ି, ସାଧା ଅନ୍ନ, ପରଟା, ରୁଟି, ଖିରି, ରସଗୋଲା ଜିଲାପି, ଭଜା ମଣ୍ଡା, କାକାରା ଓ ଏଣ୍ଡୁରି ରହିଛି। ଏସବୁ କମ ଦାମରେ ମଧ୍ୟ ଉପଲବ୍ଧ ହୋଇଥିଲା ବୋଲି ସେ ସ୍ପଷ୍ଟ କରିଛନ୍ତି।
ଏହି ଅବସରରେ ହୋଟେଲର କିଛି କର୍ମଚାରୀ ପାରମ୍ପରିକ ଓଡ଼ିଆ ଘରର ବେଶରେ ସଜେଇ ହୋଇ ଗ୍ରାହକଙ୍କୁ ଖାଦ୍ୟ ପରସିଥିଲେ। ଗ୍ରାହକମାନେ ବି ଏହି ଖାଦ୍ୟର ଭରପୁର ମଜା ନେଇଥିଲେ। ରାଜ୍ୟ ବାହାରର ଗ୍ରାହକମାନେ ଏଭଳି ଆୟୋଜନକୁ ପ୍ରଶଂସା କରିଥିଲେ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।