News18 Odia Digital
ବ୍ରହ୍ମପୁର: ବ୍ରହ୍ମପୁର ସହରର ତିନି ଶିଳ୍ପୀଙ୍କ ଜଗନ୍ନାଥଙ୍କୁ ନେଇ ନୂତନ କଳାକୃତି। ନିଜର କଳା ମାଧ୍ୟମରେ କିଭଳି ଜଗନ୍ନାଥଙ୍କ ସଂସ୍କୃତି ଓ ପରମ୍ପରାର ଆହୁରି ଅଧିକ ବିଶ୍ବ ବିଦିତ ହେବ ସେଥି ନିମନ୍ତେ ସମସ୍ତ ଶିଳ୍ପୀ ନିଜର ପ୍ରୟାସ କରିଛନ୍ତି।
ଆମ୍ବପୁଆ ସ୍ଥିତ ମନୀଷା କୁମାରୀ ପଣ୍ଡା ଜଗନ୍ନାଥଙ୍କ ଦଶ ଅବତାର, ନବଗୁଞ୍ଜର ସହ ଅଦରକାରୀ ସାମଗ୍ରୀରେ ଜଗନ୍ନାଥଙ୍କ ସୁନ୍ଦର ସୁନ୍ଦର କଳାକୃତି ନିର୍ମାଣ କରିଛନ୍ତି । ସେହିପରି ସହରର ବାଲୁକା ଶିଳ୍ପ ସତ୍ୟ ମହାରଣା ବାଉଁଶ ଓ ଆଇସକ୍ରିମ କାଠିରେ ମଧ୍ୟ ଜଗନ୍ନାଥଙ୍କ ନନ୍ଦିଘୋଷ ରଥ ନିର୍ମାଣ କରିଛନ୍ତି । ଏହି ରଥରେ ଜଗନ୍ନାଥଙ୍କ ମୂର୍ତ୍ତି, ଓଲଟ ଶୁଆ, ପତିତପାବନ ସ୍ଥାପନ କରି ଅତି ସୁନ୍ଦର ଭାବେ ରଥ ନିର୍ମାଣ କରିଛନ୍ତି ସତ୍ୟ । ସହରର ଶ୍ରୀରାମନଗର ସ୍ଥିତ ହରଗୋବିନ୍ଦ ମହାରଣା ମଧ୍ୟ ସ୍ପଟିକରେ ପୁରୀର ଜଗନ୍ନାଥଙ୍କ ମନ୍ଦିର ସମେତ ତିନି ଠାକୁରଙ୍କ ରଥ ନିର୍ମାଣ କରିଛନ୍ତି ସେ । ସମସ୍ତ କଳାକାରଙ୍କ ଏକ ମାତ୍ର ଉଦେଶ୍ୟ ଜଗନ୍ନାଥଙ୍କ କଳା ସଂସ୍କୃତିକୁ ଆହୁରି ଆଗକୁ ବଢ଼ାଇବା ।
‘‘ବିଭିନ୍ନ ଅଦରକାରୀ ସାମଗ୍ରୀରେ ମଧ୍ୟ କଳାକୃତି କରିଛନ୍ତି । ବିଶେଷ କରି ପ୍ଲାଷ୍ଟିକ ବୋତଲ, ମାଟି ପାତ୍ର, ଶୁଖିଲା ଖାଦ୍ୟ, ଓସ୍ତ ପତ୍ର, ଶାଳଗ୍ରାମ, ପଥର ଖଣ୍ଡ, ମେଡ଼ିସିନ୍ ଷ୍ଟ୍ରିପ୍ ଭଳି ଅଦରକାରୀ ସାମଗ୍ରୀ ଅତି ସୁନ୍ଦର ଭାବେ ଜଗନ୍ନାଥଙ୍କ କଳାକୃତି କରିଛନ୍ତି । ପରିବାରର ସହଯୋଗରେ ସାତ ଦିନ ମଧ୍ୟରେ ଏହି ସମସ୍ତ କଳାକୃତି କରିଥିବା କହିଛନ୍ତି,‘‘ ଶିଳ୍ପୀ ମନୀଷା ପଣ୍ଡା।
‘‘ବାଉଁଶରେ ନିର୍ମିତ ରଥର ଉଚ୍ଚତା ହେଲା ୨୦ ଇଞ୍ଚ ଓ ଓସାର ହେଉଛି ୧୩ ଇଞ୍ଚ । ବାଉଁଶ ରଥରେ ଜଗନ୍ନାଥଙ୍କ ପ୍ରତିମୂର୍ତ୍ତି, ଶାରଥୀ, ଦଧିନଉତି, ଘୋଡ଼ା, ପତିତପାବନ ବାନା, ଓଲଟ ଶୁଆ ମଧ୍ୟ ବାଉଁଶରେ ନିର୍ମିତ କରି ରଥରେ ତାହାକୁ ସ୍ଥାପନ କରାଯାଇଛି । ସେହିପରି ଆଇସକ୍ରିମ କାଠିରେ ନିର୍ମାଣ କରିଥିବା ରଥର ଉଚ୍ଚତା ୭ ଇଞ୍ଚ ଓ ୬ ଇଞ୍ଚ ଓସାର । ରଥରେ ଜଗନ୍ନାଥଙ୍କ ପ୍ରତିମୂର୍ତ୍ତି ସହିତ ଶାରଥୀ, ଦଧିନଉତି, ଘୋଡ଼ା, ପତିତପାବନା ବାନା ମଧ୍ୟ ରହିଛି । ଏହି ଦୁଇଟି ରଥ ନୂତନ ଧରଣର ରହିଥିବା ବେଳେ ଏହା ନିଶ୍ଚିତ ଭାବେ କୌଣସି ନା କୌଣସି ରେକର୍ଡ଼ରେ ସାମିଲ ହେବ ବୋଲି ଆଶା ରହିଛି,‘‘ କହିଛନ୍ତି ବାଲୁକା ଶିଳ୍ପୀ ସତ୍ୟ ନାରାୟଣ ମହାରଣା ।
ବ୍ରହ୍ମପୁର ସହରର ଏହି ତିନୋଟି ଶିଳ୍ପୀ ନିଜ ନିଜର ସାମର୍ଥ୍ୟ ଅନୁଯାୟୀ ବିଭିନ୍ନ ସାମଗ୍ରୀରେ ଜଗନ୍ନାଥଙ୍କ ଏଭଳି କଳାକୃତି କରିଥିବା ବେଳେ ବିଭିନ୍ନ ରେକର୍ଡ଼ରେ ସାମିଲ ହେବା ନେଇ ଆଶାବାଦୀ ଅଛନ୍ତି ଶିଳ୍ପୀ ମାନେ ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।