News18 Odia Digital
ଭୁବନେଶ୍ବର: ୨୦୨୩-୨୪ ଆର୍ଥିକ ବର୍ଷ ପାଇଁ ଆଗତ ହେବାକୁ ଯାଉଥିବା ବଜେଟରେ (Budget 2023) ରେଳ ବିଭାଗ ଉପରେ କେମିତି ରହିବ ବ୍ୟୟ ବରାଦ ତାହା ଉପରେ ସମସ୍ତଙ୍କ ନଜର।
ପ୍ରଥମତଃ କୋଭିଡ ସ୍ଥିତିରୁ ନିସ୍ତାର ପାଇବା ପରେ ଏହି ପୂର୍ଣାଙ୍ଗ ବଜେଟରେ ଆୟ ବୃଦ୍ଧି ସହିତ ଯାତ୍ରୀ ସୁବିଧା ଉପରେ ଅଧିକ ଗୁରୁତ୍ୱ ଦେଇପାରନ୍ତି କେନ୍ଦ୍ର ସରକାର। ଦ୍ଵିତୀୟରେ ୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ମୋଦି ସରକାରଙ୍କ ଦ୍ଵିତୀୟ ପାଳିର ଏହା ଶେଷ ପୂର୍ଣାଙ୍ଗ ବଜେଟ ଥିବାରୁ ଏହି ରେଳ ବଜେଟରେ ବିଭିନ୍ନ ଦିଗକୁ ରହିପାରେ ଫୋକସ ବୋଲି ଆକଳନ କରାଯାଇଛି।
ରେଳ ବିଭାଗକୁ କେନ୍ଦ୍ରରୁ ମିଳୁଥିବା ଅନୁଦାନ ପରିମାଣ ୨୦୧୪ରୁ ଏ ପର୍ଯ୍ୟନ୍ତ ବଢ଼ିଚାଲିଛି। ୨୦୨୨-୨୩ ଆର୍ଥିକ ବର୍ଷ ପାଇଁ ରେଳ ବଜେଟରେ ଓଡ଼ିଶାକୁ ୯୭୩୪ କୋଟି ଟଙ୍କାର ରେକର୍ଡ଼ ସଂଖ୍ୟକ ଅନୁଦାନ ମିଳିଥିଲା। କିନ୍ତୁ ତା ସତ୍ତ୍ୱେ ରେଳ ବିଭାଗରେ ଅନେକ କାମ ଆସମାପ୍ତ ହୋଇ ରହିଛି। ତେଣୁ ଅଗ୍ରାଧିକାର ଭିତ୍ତିରେ ରେଳ ବିଭାଗ ୨୦୨୩-୨୪ ଆର୍ଥିକ ବର୍ଷ ପାଇଁ ସ୍ୱତନ୍ତ୍ର ଧ୍ୟାନ ଦେବା ଦରକାର ବୋଲି ଲୋକଙ୍କ ଦାବି ରହିଛି। ବିଶେଷ କରି ଯାତ୍ରୀ ପରିବହନ ସମୟରେ ଯାତ୍ରୀଙ୍କ ସୁବିଧା ଓ ଯାତ୍ରୀ ଭଡ଼ା କମ କରାଯିବା ଆବଶ୍ୟକ ବୋଲି ଅନେକ ମତ ରଖିଛନ୍ତି।
ଏହି ଖବର ବି ପଢ଼ନ୍ତୁ: ବିଶ୍ୱକପ ଦୌଡରୁ ଭାରତ ବିଦା; କାମ ଦେଲାନି ରାଜ୍ୟ ସରକାରଙ୍କ କୋଟିଏ ଟଙ୍କାର ଅଫର !ଭୁବନେଶ୍ୱର ବାସିନ୍ଦା ସୌଭାଗ୍ୟ କୁମାର ସାମଲ। ବ୍ୟବସାୟିକ ଆବଶ୍ୟକତା ପରେ ସେ ନିୟମିତ ରେଳ ଯାତ୍ରା କରିଥାନ୍ତି। କିନ୍ତୁ କୋଭିଡ ପରେ ରେଳ ବିଭାଗ ଯାତ୍ରୀ ଭଡା ବଢ଼ାଇ ଥିବାରୁ ଆସନ୍ତା ବଜେଟରେ ତାକୁ କମ୍ କରାଯିବା ଦରକାର ବୋଲି ସେ କହିଛନ୍ତି।
ସେହିଭଳି ଭୁବନେଶ୍ୱର ବାସିନ୍ଦା ଶ୍ରୀକାନ୍ତ କୁମାର ଜେନା କହିଛନ୍ତି ଯେ ରେଳ ବିଭାଗ ଯାତ୍ରୀ ସୁବିଧାକୁ ଗୁରୁତ୍ୱ ଦେଉନାହାଁନ୍ତି। କିନ୍ତୁ ଯାତ୍ରୀ ଭଡ଼ା ବଢ଼ାଇ ଚାଲିଛନ୍ତି। ସେଥିରେ ରୋକ ଲାଗିବା ଦରକାର।
ବିଶେଷ କରି କୋଭିଡ ସମୟରେ ବଢ଼ିଥିବା ଯାତ୍ରୀ ଭଡା କମ କରାଯିବା ସହିତ ବରିଷ୍ଠ ନାଗରିକଙ୍କ ସୁବିଧା ପାଇଁ ପ୍ରାଥମିକତା ଦିଆଯିବା ଓ ଓଡ଼ିଶାର ବିଭିନ୍ନ ଅଧାପନ୍ତରିଆ ରେଳପ୍ରକଳ୍ପ ସମ୍ପୁର୍ଣ୍ଣ ହେବାକୁ ଗୁରୁତ୍ୱ ଦିଆଯିବା ଦରକାର ବୋଲି ବିଭିନ୍ନ ବର୍ଗର ଲୋକଙ୍କର ମତ ରହିଛି।
ଅର୍ଥନୀତି ବିଶେଷଜ୍ଞ ପ୍ରଦୀପ ସାହୁଙ୍କ ମତରେ, ରେଳବାଇକୁ ଓଡ଼ିଶା ବାର୍ଷିକ ୧୯ ହଜାର କୋଟିରୁ ଅଧିକ ରାଜସ୍ୱ ଦେଉଛି। ସେ ଦୃଷ୍ଟିରୁ ଦେଖିଲେ ରାଜସ୍ୱ ଅନୁପାତରେ ଅନୁଦାନ ମିଳୁନାହିଁ। ତେଣୁ ବଜେଟରେ ଅନୁଦାନ ପରିମାଣ ବୃଦ୍ଧି ହେବା ଉଚିତ୍। ଦେଖିବାକୁ ଗଲେ ୨୦୧୪ରୁ ଏ ପର୍ଯ୍ୟନ୍ତ କେନ୍ଦ୍ର ରେଳ ବଜେଟରେ ଓଡ଼ିଶାକୁ ମିଳୁଥିବା ଅନୁଦାନ ପରିମାଣ କ୍ରମାଗତ ଭାବେ ବଢ଼ି ଚାଲିଛି। ସାମଗ୍ରୀକ ଅନୁଦାନ ମିଶିଲେ ଗତଥର କେନ୍ଦ୍ର ବଜେଟ୍ରେ ରେଳବାଇ ପକ୍ଷରୁ ଓଡ଼ିଶାକୁ ମିଳିଛି ୧୦ ହଜାର କୋଟିରୁ ଅଧିକ ଅନୁଦାନ।
ୟୁସିସିଆଇ ସଭାପତି ବ୍ରହ୍ମା ମିଶ୍ରଙ୍କ ମତରେ ରେଳ ବଜେଟରେ ଓଡ଼ିଶା ପାଇଁ ଅନୁଦାନ ବଢୁଥିଲେ ବି କେତେକ ସ୍ଥାନରେ ଏନେଇ ବାଧକ ସାଜିଛି ଜମି ଅଧିଗହଣ ଓ ଜଙ୍ଗଲ ବିଭାଗର ଅନୁମତି। ଏକ୍ଷେତ୍ରରେ ଇଗୋ ନ ରଖି ସମସ୍ତେ ମିଳିତ ଭାବେ ଓଡ଼ିଶାର ବିକାଶ ପାଇଁ କାର୍ଯ୍ୟକରିବା ଆବଶ୍ୟକ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।