କୋଣାର୍କରେ ଚନ୍ଦ୍ରଭାଗା ବେଳାଭୂମି ସଫା କରୁଥିବା ଏହି ବିଦେଶୀ ‘ଗାନ୍ଧି ମଣିଷ’ଙ୍କୁ ଜାଣନ୍ତୁ

୭୩ ବର୍ଷୀୟ ଫ୍ରାନ୍ସର ନାଗରିକ ଜିନାଟ୍ ମର୍ଶିନିଆକ୍ ଯୁବାବସ୍ଥାରୁ ମହାତ୍ମା ଗାନ୍ଧିଙ୍କ ବିଷୟରେ ପଢ଼ି ଏତେ ମାତ୍ରାରେ ଅନୁପ୍ରାଣିତ ହୋଇଥିଲେ ଯେ ସେ ଅନେକ ବର୍ଷ ହେଲା ଅବିକଳ ଗାନ୍ଧିଙ୍କ ପରି ଆଣ୍ଠୁ ଲୁଚୁ ନ ଥିବା ଧୋତି ପିନ୍ଧିଆସୁଛନ୍ତି ।

କୋଣାର୍କରେ ଚନ୍ଦ୍ରଭାଗା ବେଳାଭୂମି ସଫା କରୁଥିବା ଏହି ବିଦେଶୀ ‘ଗାନ୍ଧି ମଣିଷ’ଙ୍କୁ ଜାଣନ୍ତୁ
ଚ଼ନ୍ଦ୍ରଭାଗା ବେଳାଭୂମି ସଫା କରୁଛନ୍ତି ଫ୍ରାନ୍ସର ନାଗରିକ ଜିନାଟ୍ ମର୍ଶିନିଆକ୍ ।
  • News18 Odia
  • Last Updated: March 3, 2020, 11:19 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ପୁରୀ: ଆପଣ କୋଣାର୍କ ବୁଲିଆସିଥିବା ବେଳେ ଯଦି ହଠାତ୍‌ ମହାତ୍ମା ଗାନ୍ଧିଙ୍କୁ ଦେଖୁଛନ୍ତି ବୋଲି ଭାବନ୍ତି, ତାହେଲେ ଆଶ୍ଚର୍ଯ୍ୟ ହେବାର କିଛି ନାହିଁ । ଅବିକଳ ଗାନ୍ଧିଙ୍କ ପରି ବେଶଭୁଷା ଧରି, ଆଣ୍ଠୁ ଲୁଚୁ ନ ଥିବା ଧୋତି ପିନ୍ଧି ସଫେଇ କାମରେ ଲାଗିଥିବା  ଯେଉଁ ବ୍ୟକ୍ତିଙ୍କୁ ଆପଣ ଦେଖିବେ ସେ ହେଉଛନ୍ତି ୭୩ ବର୍ଷୀୟ ଫ୍ରାନ୍ସର ନାଗରିକ ଜିନାଟ୍‌ ମର୍ଶିନିଆକ୍‌ ।  ସେ ପେଶାରେ ଜଣେ ସଫେଇ କର୍ମଚାରୀ, ହେଲେ ଗାନ୍ଧିଜିଙ୍କ ନୀତି ଓ ଆଦର୍ଶରେ ଚ଼ାଲିବା ତାଙ୍କର ନିଶା ।

ମହାତ୍ମା ଗାନ୍ଧିଙ୍କ ନୀତି ଓ ଆଦର୍ଶକୁ ପାଥେୟ କରି ଅହିଂସା ଓ ବିଶ୍ୱ ଶାନ୍ତିର ବାର୍ତ୍ତା ଦେଇ କୋଣାର୍କରେ ବେଶ ପରିଚିତ ମର୍ଶିନିଆକ୍‌ । ଦୀର୍ଘ ଚ଼ାରି ବର୍ଷ ଧରି କୋଣାର୍କ ଆସୁଥିବା ବେଳେ ସୂର୍ଯ୍ୟ ମନ୍ଦିର ଦେଖିବା ସହ ‘ମୋ‘ ବିଚ୍‌’ କାର୍ଯ୍ୟକ୍ରମରେ ଫଟୋଗ୍ରାଫର ହେବା ଓ ସାଧାରଣ ଲୋକଙ୍କ ସହ ମିଶି ଚ଼ନ୍ଦ୍ରଭାଗା ବେଳାଭୂମି ସଫେଇ କରିବାରେ ସେ ଆନନ୍ଦ ପାଆନ୍ତି । ଜାତିର ପିତା ଗାନ୍ଧିଜିଙ୍କ ପ୍ରତି ପ୍ରଗାଢ଼ ଆସ୍ଥା ଯୋଗୁଁ ସେ ବେଶ୍‌ ଚ଼ର୍ଚ୍ଚିତ । ଗାନ୍ଧିଙ୍କ ପରି ଦେଖାଯାଉଥିବାରୁ ବି ସେ ନିଜେ ଯେତିକି ଖୁସି କୋଣାର୍କରେ ସେତିକି ଲୋକପ୍ରିୟ ।

‘‘ମୋହନଦାସ୍‌ କରମଚାନ୍ଦ ଗାନ୍ଧି ଭାରତର ଜାତିର ପିତା । ତାଙ୍କ ଅହିଂସା ଆନ୍ଦୋଳନ ଫଳରେ ଭାରତ ସ୍ୱାଧୀନତା ହାସଲ କରିଛି । ଏଭଳି ଅନେକ ପ୍ରସଙ୍ଗ ଗାନ୍ଧିଜିଙ୍କ ବିଷୟରେ ପଢ଼ି ତାଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇଥିଲି । ଏଥରକୁ ମିଶାଇ ଚ଼ାରି ଥର ଭାରତ ଆସିଲିଣି । ଯେତେବେଳେ ଆସେ ମୋତେ କୋଣାର୍କର ସୂର୍ଯ୍ୟ ମନ୍ଦିର ବେଶ୍‌ ଆକର୍ଷଣୀୟ ଲାଗେ । ଗାନ୍ଧିଜିଙ୍କ ପରି ଅବିକଳ ଦେଖାଯାଉଥିବାରୁ ଲୋକେ ମଧ୍ୟ ଗାନ୍ଧି ମଣିଷ ବୋଲି ମୋତେ ଡାକନ୍ତି,’’ କହିଛନ୍ତି ମର୍ଶିନିଆକ୍‌ ।

କୋଣାର୍କ ସୂର୍ଯ୍ୟ ମନ୍ଦିର ସାମନାରେ ଜିନାଟ୍ ମର୍ଶିନିଆକ୍ ।


ପେଶାରେ ଜଣେ ସଫେଇ କର୍ମଚାରୀ  ହୋଇଥିବାରୁ ଯୁବାବସ୍ଥାରୁ ଗାନ୍ଧିଜୀଙ୍କ ନୀତି, ଆଦର୍ଶ ଓ ଦର୍ଶନରେ ସେ ଅନୁପ୍ରାଣିତ ହୋଇଥିଲେ । ‘‘ମୁଁ ଅନେକ ଦିନରୁ ଗାନ୍ଧିଜୀଙ୍କ ଭଳି ଖଦି ପିନ୍ଧୁଛି । ଆଣ୍ଠୁ ଉପରକୁ ଲୁଗା ପିନ୍ଧି ପୂରା ତାଙ୍କରି ପରି ରହୁଛି । ତାଙ୍କରି ପରି ହାତରେ ଖଣ୍ଡିଏ ବାଡ଼ି ଧରି ସ୍ୱଚ୍ଛତା ପାଇଁ ଲୋକଙ୍କୁ ସଚେତନ କରିବା ପାଇଁ ଚନ୍ଦ୍ରଭାଗା ବେଳାଭୂମି ସଫେଇ କରୁଛି । ସକାଳୁ ଉଠି ସୂର୍ଯ୍ୟ ମନ୍ଦିର ଦର୍ଶନ କରି ସୂର୍ଯ୍ୟଙ୍କୁ ସ୍ମରଣ କରି ଦିନ ଆରମ୍ଭ କଲେ ମୋତେ ଖୁସି ମିଳିଥାଏ,’’ କହିଛନ୍ତି କୋଣାର୍କରେ ‘ଗାନ୍ଧି ମଣିଷ’ ନାଆଁରେ ପ୍ରସିଦ୍ଧ ଫ୍ରେଞ୍ଚ୍‌ ପର୍ଯ୍ୟଟକ ଜିନାଟ୍‌ ମର୍ଶିନିଆକ୍‌ ।

ଗାନ୍ଧିପ୍ରେମୀ ଏହି ବିଦେଶୀ ଗାନ୍ଧି ମଣିଷଙ୍କୁ ଦେଖି ଯେ କେହି ସ୍ତବ୍ଧ ହୋଇଯିବ । ‘‘କୋଣାର୍କରେ ସେ ଗାନ୍ଧି ବେଶରେ ବୁଲୁଥିବାର ଦେଖି ଲୋକେ ତାଙ୍କୁ ଶ୍ରଦ୍ଧାରେ ଗାନ୍ଧି ବୋଲି ଡାକୁଛନ୍ତି । ତାଙ୍କର ବେଶଭୁଷା ଓ ଚ଼ାହାଣୀ ଲୋକଙ୍କୁ କିଛି ସମୟ ପାଇଁ ତାଙ୍କ ଆଡକୁ ଟାଣିଆଣେ ।  ସେ କୋଣାର୍କରେ ରହଣି କାଳରେ ସକାଳୁ ସୂର୍ଯ୍ୟ ମନ୍ଦିର ବୁଲିବା ସହ ଚନ୍ଦ୍ରଭାଗା ବେଳାଭୂମିକୁ ସଫେଇ ରୁଥିବା ଦେଖି ଲୋକେ ତାଙ୍କୁ ବେଶ୍‌ ପ୍ରଶଂସା କରୁଛନ୍ତି,’’ କହିଛନ୍ତି କୋଣାର୍କର ଯୁବ ସ୍ୱେଚ୍ଛାସେବୀ ଜ୍ଞାନ ରଂଜନ ବିଶ୍ୱାଳ ।

"ଚନ୍ଦ୍ରଭାଗା ବେଳାଭୂମିକୁ ପରିଷ୍କାର ପରିଛନ୍ନ ରଖିବା ପାଇଁ ଏହି ଗାନ୍ଧି ମଣିଷ ପ୍ରତି ଦିନ ସକାଳୁ ଆସୁଥିବାରୁ ତାଙ୍କ ସହ ଆମେ ମଧ୍ୟ ସଫେଇରେ ସାମିଲ ହେଉଛୁ । ତାଙ୍କର କହିବା କଥା ଯେ hରିବେଶକୁ ପ୍ଲାଷ୍ଟିକ ଫ୍ରି ଓ ପରିଚ୍ଛନ୍ନ ରଖିବା ଆମର ଦାୟିତ୍ୱ । ଜିନାଟ୍‌ ଆମ କାନ୍ଧରେ କାନ୍ଧ ମିଳାଇ କାମ କରୁଛନ୍ତି । ତେଣୁ ଆମ ପାଇଁ ଗର୍ବର କଥା ଯେ ଆମେ ତାଙ୍କୁ ପାଖରେ ପାଇଛୁ । ସେ ଆମକୁ ନିଆରା ବାର୍ତ୍ତା ଦେଉଛନ୍ତି,’’ କହିଛନ୍ତି ସ୍ଥାନୀୟ ବ୍ୟବସାୟୀ ଭାଗୀରଥୀ ବରାଳ ।

କୋଣାର୍କ ଚ଼ନ୍ଦ୍ରଭାଗାର ଫଟୋଗ୍ରାଫର ସଙ୍ଘ ସଭାପତି ମୀନକେତନ ପାତ୍ରଙ୍କୁ ‘ମୋ ବିଚ୍‌’ କାର୍ଯ୍ୟକ୍ରମରେ ଗାନ୍ଧି ମଣିଷ ମର୍ଶିନିୟାକଙ୍କ ସାମିଲ ହେବା ଓ ହାତରେ ବ୍ୟାଗ ଧରି ଅଳିଆ ଆବର୍ଜନାକୁ ବେଳାଭୂମିରୁ ଗୋଟେଇବା ଖୁବ୍‌ ଖୁସି ଆଣିଦେଇଥିଲା  । ‘‘ଆମେ ତାଙ୍କର କାର୍ଯ୍ୟଧାରା ଦେଖି ଭାରି ଅନୁପ୍ରାଣିତ । ସେ ବିଦେଶୀ ହୋଇ ଗାନ୍ଧିଙ୍କ ପରି କାର୍ଯ୍ୟ ଓ ତାଙ୍କ ଆଦର୍ଶକୁ ଆପଣେଇଥିବା ଆମ ସମସ୍ତଙ୍କ ପାଇଁ ପ୍ରେରଣାଦାୟୀ,’’ କହିଛନ୍ତି ପାତ୍ର ।
First published: March 3, 2020, 11:19 PM IST