News18 Odia Digital
ଭୁବନେଶ୍ୱର: ବର୍ଷ ସରିଲା, ହେଲେ ସରିଲାନି ତଦନ୍ତ । ଗତ ଦୁଇ ବର୍ଷ ଅପେକ୍ଷା ଚଳିତ ବର୍ଷ ରାଜ୍ୟ ରାଜଧାନୀରେ କମିଛି ହତ୍ୟାକାଣ୍ଡ । ହେଲେ ଅନେକ ହତ୍ୟାକାଣ୍ଡ ଏବେ ବି ରହସ୍ୟ ଘେରରେ ଛନ୍ଦି ହୋଇ ରହିଛି । ଯାହାକୁ ନେଇ କମିଶନରେଟ ପୋଲିସର ଦକ୍ଷତାକୁ ନେଇ ଉଠିଛି ପ୍ରଶ୍ନ ।
“ଗତ ଦୁଇବର୍ଷ ତୁଳନାରେ ଚଳିତ ବର୍ଷ ରାଜଧାନୀରେ ହତ୍ୟାକାଣ୍ଡ କମିଛି । ୨୦୧୯ରେ ରାଜଧାନୀରେ ୩୯ଟି ହତ୍ୟାକାଣ୍ଡ ହୋଇଥିବା ବେଳେ ୨୦୨୦ରେ ୪୯ଟି ହତ୍ୟାକାଣ୍ଡ ହୋଇଥିଲା । କିନ୍ତୁ ଚଳିତ ବର୍ଷ ୩୨ ହତ୍ୟାକାଣ୍ଡ ହୋଇଛି । ଅଧିକାଂଶ ହତ୍ୟାକାଣ୍ଡର ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିବା ବେଳେ ଆଉ କିଛି ଅଭିଯୁକ୍ତକୁ ଖୋଜା ଚାଲିଛି,” କହିଛନ୍ତି ଭୁବନେଶ୍ୱର ଡି.ସି.ପି ଉମା ଶଙ୍କର ଦାଶ ।
କମିଶନରେଟ ପୋଲିସର ତଥ୍ୟ ଅନୁସାରେ, ଚଳିତ ବର୍ଷ ରାଜଧାନୀରେ ୩୨ଟି ହତ୍ୟାକାଣ୍ଡ ହୋଇଛି । ଜଟଣି ଥାନା ଅଞ୍ଚଳରେ ସର୍ବାଧିକ ୪ଟି ହତ୍ୟା ମାମଲା ରୁଜୁ ହୋଇଥିବା ବେଳେ ଭରତପୁର, ମଞ୍ଚେଶ୍ୱର, ଇନଫୋସିଟି ଓ ଚନ୍ଦ୍ରଶେଖରପୁର ଥାନାରେ ୩ଟି ଲେଖାଏଁ ହତ୍ୟା ମାମଲା ରୁଜୁ ହୋଇଛି । ନନ୍ଦନକାନନ, ବାଲିଅନ୍ତା, ବଡଗଡ, ଲିଙ୍ଗରାଜ, ଏୟାରପୋର୍ଟ ଓ ମହିଳା ଥାନାରେ କୌଣସି ହତ୍ୟା ମାମଲା ରୁଜୁ ହୋଇ ନଥିବା ପୋଲିସ ତଥ୍ୟରେ ଉଲ୍ଲେଖ କରାଯାଇଛି ।
କବେଳ ହତ୍ୟାକାଣ୍ଡ ନୁହେଁ, ଆଉ କିଛି ଚର୍ଚ୍ଚିତ ଘଟଣାରେ ପୋଲିସର ହାତ ଖାଲି ରହିଛି । ଗତ ଜୁନ୍ ମାସରେ ସହିଦନଗର ଥାନା ପୋଲିସ ୧୬ହଜାର ବେନାମୀ ସିମ୍ କାର୍ଡ ଜବତ କରିବା ସହ ୭ଜଣଙ୍କୁ ଗିରଫ କରିଥିଲା । ହେଲେ ୬ମାସ ପରେ ବି ପୋଲିସ ସିମ୍ କାର୍ଡ ରହସ୍ୟର ଖିଅ ପାଇନି । ସେହିଭଳି ଏୟାପୋର୍ଟ ଥାନା ଅଂଚଳରେ ଏକ ହୋଟେଲ ଭିତରୁ କୋଟିଏ ଟଙ୍କା ଜବତ କରିଥିଲା । ଏହି ଘଟଣାରେ ପୋଲିସ ୩ଜଣ କନେଷ୍ଟବଳଭ୍କୁ ସସପେଣ୍ଡ କରିଥିଲା । ହେଲେ କୋଟିଏ ଟଙ୍କା ପଛର କାରଣ ସ୍ପଷ୍ଟ କଲାନି ପୋଲିସ । ଗତ ୪ତାରିଖ ଡେଲଟା ଛକରୁ ଏକ ସୁନା ଦୋକାନରୁ ଗୋଟିଏ ଟଙ୍କା ସୁନା ଅଳଙ୍କାର ଲୁଟିନେଲେ ଦୁବୃତ । ଏହି ଘଟଣାରେ ମଧ୍ୟ ପୋଲିସର ହାତ ଖାଲି ପଡିଛି ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।