News18 Odia Digital
ଭୁବନେଶ୍ୱର: ରାଜଧାନୀର ସହରାଞ୍ଚଳ ପୁଲିସ ଡି.ସି.ପି.ଙ୍କ କାର୍ଯ୍ୟାଳୟ ପରିସରରେ ଏକ ମୋଟରସାଇକେଲ ଫେରସ୍ତ ମେଳା ଅନୁଷ୍ଠିତ ହୋଇଯାଇଛି । ଏହି ମେଳାରେ ଭୁବନେଶ୍ବର ଓ କଟକର ପୁଲିସ କମିଶନର ଶ୍ରୀ ସୌମେନ୍ଦ୍ର ପ୍ରିୟଦର୍ଶୀ , ଅତିରିକ୍ତ କମିଶନର ଶ୍ରୀ ନୀତିଶେଖର ଓ ଡି.ସି.ପି ଭୁବନେଶ୍ବର ଡ଼. ଉମାଶଙ୍କର ଦାସ ପ୍ରମୁଖ ଯୋଗଦେଇଥିଲେ । ଏହି ମେଳାରେ ଭୁବନେଶ୍ବରର ବିଭିନ୍ନ ଥାନା ଅଞ୍ଚଳରୁ ଚୋରୀ ଯାଇଥିବା ମୋଟରସାଇକେଲ ଗୁଡ଼ିକୁ ସ୍ପେଶାଲ ସ୍କ୍ୱାର୍ଡ଼ ଓ ବିଭିନ୍ନ ଥାନାର ପି.ଓ.ପି.ଡି ଓ ଟିମ୍-୬୦ର ମିଳିତ ଉଦ୍ୟମରେ ଉଦ୍ଧାର କରାଯାଇ ଉକ୍ତ ମୋଟରସାଇକେଲ ଗୁଡ଼ିକୁ ଗାଡ଼ିଗୁଡ଼ିକର ପ୍ରକୃତ ମାଲିକମାନଙ୍କୁ ଫେରାସ୍ତ କରାଯାଇଥିଲା ।
ଗତ ମାର୍ଚ୍ଚ ମାସରେ ଇନ୍ଫୋଭ୍ୟାଲି ଥାନା ଓ ଭରତପୁର ଥାନାରେ ବିଭିନ୍ନ ସମୟରେ ମୋଟରସାଇକେଲ ଚୋରୀ ମାମଲା ମାନ ଦାୟର କରାଯାଇଥିଲା । ପ୍ରତ୍ୟେକ ଚୋରି ମାମଲାରେ ଦୃବୁର୍ତ୍ତମାନେ ଏକାଧିକ ମୋଟର ସାଇକଲ ଚୋରି କରି ନେଇ ଯାଇଥିଲେ । ଏହି କ୍ରମରେ ଗୋଟେ ମାସ ମଧ୍ୟରେ ଭରତପୁର ଓ ଇନ୍ଫୋଭ୍ୟାଲି ଥାନାରେ ସେହି ଅଞ୍ଚଳରୁ ପ୍ରାୟ ୧୯ ଗୋଟି ମୋଟରସାଇକେଲ ଚୋରି ହେବାର ମାମଲା ଦାୟର ହେଇଥିଲା । ଏହି ସମସ୍ତ ଚୋରା ଗାଡ଼ି ମାମଲାର ତଦନ୍ତ ଭାର ସ୍ପେଶାଲ ସ୍କ୍ୱାର୍ଡ଼କୁ ଦିଆଯିବା ସହ ତଦନ୍ତରେ ସାହାଯ୍ୟ କରିବା ନିମନ୍ତେ ଭୁବନେଶ୍ବର ସହରାଞ୍ଚଳ ପୋଲିସର ଭରତପୁର, ଖଣ୍ଡଗିରି, ଚନ୍ଦ୍ରଶେଖରପୁର, ମଞ୍ଚେଶ୍ବର ଥାନାର ପିଓପିଡି ଓ ଟିମ-୬୦କୁ ନିଯୁକ୍ତ କରାଯାଇଥିଲା ।
"ଏହି ସ୍ପେଶାଲ ଟିମ୍ ତଦନ୍ତ ସମୟରେ ଜାଣିବାକୁ ପାଇଥିଲେ ଯେ , ଚୋରୀରେ ପୁରୀ ଅଞ୍ଚଳର ପେଷାଦାର ମୋଟରସାଇକେଲ ଚୋରମାନଙ୍କ ସମ୍ପୃକ୍ତି ଅଛି । ଏହି ସୂଚନା ଆଧାରରେ ଟିମ୍ ସେହି ଅପରାଧି ଗୋଷ୍ଠୀର ୬ଜଣ ବୃତ୍ତିଗତ ମୋଟରସାଇକେଲ ଚୋର ଓ ତାଙ୍କ ସହ ୨ ଜଣ ପେଷାଦାର ଚୋରା ବାଇକ କିଣାବିକା କରିଥିବା ଅଭିଯୁକ୍ତଙ୍କୁ ଗିରଫ କରାଯିବା ସହ ତାଙ୍କ ନିକଟରୁ ୩୦ ଗୋଟି ଚୋରା ମୋଟରସାଇକେଲ ଜବତ କରାଯାଇଛି । ଏହା ମଧ୍ୟରୁ ୧୫ଟି ମୋଟର ସାଇକେଲର ମାଲିକମାନଙ୍କୁ ଏହି ମେଳାରେ ଗାଡ଼ି ଫେରସ୍ତ କରାଯାଇଛି,"କହିଛନ୍ତି ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ ।
ଗିରଫ ଚୋରମାନେ ଆଗରୁ ମଧ୍ୟ ସମାନ ମାମଲାରେ ଗିରଫ ହୋଇ କୋର୍ଟ ଚାଲାଣ ହେଇଥିଲେ ଓ ଏହି ଚୋରମାନଙ୍କ ଆଉ କିଛି ସହଯୋଗୀ ଫେରାର ଥିବାରୁ ତାଙ୍କୁ ଗିରଫ କଲା ପରେ ଆହୁରି ବହୁତ ଚୋରି ବାଇକ ଜବତ ହେବାର ସମ୍ଭାବନା ଅଛି । ଜବତ ହୋଇଥିବା ମୋଟର ସାଇକେଲ ସବୁ ପ୍ରାୟତଃ ଭୁବନେଶ୍ବର ସହରରୁ ଚୋରି ହୋଇଚି ଓ ୪ଟି ମୋଟର ସାଇକେଲ ଗଞ୍ଜାମ ଅଞ୍ଚଳରୁ ଚୋରି ହେଇଥିବା ସନ୍ଦେହ କରାଯିବା ସହ ଗଞ୍ଜାମ ପୋଲିସଙ୍କ ସହିତ ଯୋଗାଯୋଗ କରାଯାଇଛି ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।