ପୁରୀ: ସୁନାଗହଣାକୁ ଚୋରି କରି ୱାର୍କସପରେ ତରଳାଉଥିଲେ ଚୋର; ଗ୍ୟାଙ୍ଗକୁ ଧରିବାରେ ସଫଳ ହେଲା ପୋଲିସ୍

ଏହି ଲୁଟେରାମାନଙ୍କ ବିରୋଧରେ ପୁରୀ, ପିପିଲି, ସତ୍ୟବାଦୀ, ଡେଲାଙ୍ଗ, କଣାସ ଆଦି ଅଞ୍ଚଳରେ ୧୦ରୁ ଅଧିକ ଘରେ ପଶି ଚୋରି କରିଥିବାର ମାମଲା ରହିଛି । ଏମାନଙ୍କୁ ଧରିବା ପାଇଁ SPଙ୍କ ନେତୃତ୍ୱରେ ଏକ ବ୍ଲୁ ପ୍ରିଣ୍ଟ କରି ଚଢ଼ାଉ କରିଥିଲା ପୋଲିସ ।

ପୁରୀ: ସୁନାଗହଣାକୁ ଚୋରି କରି ୱାର୍କସପରେ ତରଳାଉଥିଲେ ଚୋର; ଗ୍ୟାଙ୍ଗକୁ ଧରିବାରେ ସଫଳ ହେଲା ପୋଲିସ୍
ପୋଲିସ ହାତରେ ଧରାପଡ଼ିଥିବା ଗ୍ୟାଙ୍ଗର ସଦସ୍ୟମାନେ
  • News18 Odia
  • Last Updated: August 11, 2020, 6:25 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital
ପୁରୀ: ଆଳୁ ଖୋଳୁଖୋଳୁ ମହାଦେବ ବାହାରିବା ଭଳି ଡେଲାଙ୍ଗରେ ପୋଲିସ ଏକ ଚୋରି କେସ ତଦନ୍ତ କରୁକରୁ ପାଇଲା ଆନ୍ତଃଜିଲ୍ଲା ଲୁଟେରା ଗ୍ୟାଙ୍ଗର ସନ୍ଧାନ। ପୁରୀ ସହରରେ ରହିଛି ଲୁଟେରା ଗ୍ୟାଙ୍ଗର ଚେର। ଲିଙ୍କ୍ ମିଳିବା ପରେ ଡେ଼ଲାଙ୍ଗ ପୁଲିସ ଛାନଭିନ ଆରମ୍ଭ କରିଥିଲା। ଜୁଲାଇ ମାସ ୧୭ ତାରିଖରେ ଡେଲାଙ୍ଗ ଥାନାର ଜେନାପୁର ଗ୍ରାମର ବିଜୟ ବେହେରାଙ୍କ ଘରୁ ଚୋରି ହୋଇଥିଲା । ଏହାର ତଦନ୍ତ ସମୟରେ ଜଣେ ଅଭିଯୁକ୍ତ ଧାରା ପଡ଼ିବା ପରେ ସେ ପୁରୀ ଘୋଡାବଜାରରେ ନେଇ ସୁନା ଗହଣା ବିକ୍ରି କରିଥିବା ସ୍ୱୀକାର କରିଥିଲା । ଏହା ପରେ ସେହି ସୁନା ବ୍ୟବସାୟୀ ଦେବେନ୍ଦ୍ର ଆଚାରୀ ଓ ତାଙ୍କ ପୁଅ ସମେତ ୪ ଜଣ ଲୁଟେରା ଗିରଫ କରିବା ସହ ୱାର୍କସପରେ ତାଲା ପକାଇଥିଲା ପୋଲିସ।

ପୁରୀରେ ନୂଆ ଏସପି ଅଖିଳେଶ୍ୱର ସିଂ ଯୋଗଦାନ ପରେ ପୁରୀ ପୁଲିସକୁ ମିଳିଛି ବଡ ସଫଳତା। ଡେଲାଙ୍ଗ ଥାନାର ଜେନାପୁର ଠାରେ ଜୁଲାଇ ୧୭ ତାରିଖରେ ହୋଇଥିବା ଏକ ଚୋରୀ ଘଟଣାର ତଦନ୍ତରେ ସପ୍ତାହକ ଭିତରେ ପୁଲିସ ଚୋରଙ୍କ ସାଥିରେ ରେ ଆନ୍ତଃଜିଲ୍ଲା ଲୁଟେରା ଗ୍ୟାଙ୍ଗକୁ ଧରିବାରେ ସଫଳ ହୋଇଛି । ଏହି ଲୁଟେରାମାନେ ପୁରୀ, ପିପିଲି, ସତ୍ୟବାଦୀ, ଡେଲାଙ୍ଗ, କଣାସ ଆଦି ଅଞ୍ଚଳର ଏହିପରି ଭାବେ ୧୦ରୁ ଅଧିକ ଘରେ ପଶି ଚୋରି କରିଥିବାର ମାମଲା ରହିଛି । ତେବେ ଏମାନଙ୍କୁ ଧରିବା ପାଇଁ ଏସପିଙ୍କ ନେତୃତ୍ୱରେ ଏକ ବ୍ଲୁ ପ୍ରିଣ୍ଟ କରି ଚଢାଉ କରିବା ପରେ ପୁଲିସ ସଫଳତା ଏହି ସଫଳତା ପାଇଁ ଥିଲା।

ଡେଲାଙ୍ଗ ଥାନା ଅଧିକାରୀ ରଶ୍ମିରଂଜନ ପଟ୍ଟନାୟକଙ୍କ କହିବା ଅନୁସାରେ ''ଜୁଲାଇ ୧୭ ତାରିଖ ଭୋର ୨ଟାରୁ ୩ଟା ଭିତରେ ଜେନାପୁରର ବିଜୟ ବେହେରାଙ୍କ ଘରୁ ଚୋରି ହୋଇଥିଲା। ସେମାନେ ଶୋଇଥିବା ବେଳେ ଘରେ ପଶି ଲୁଟେରାମାନେ ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର, ଟଙ୍କା ଓ ଅନ୍ୟାନ୍ୟ ଜିନିଷପତ୍ର ଲୁଟି ନେଇ ଯାଇଥିଲେ। ବିଜୟଙ୍କ ଅଭିଯୋଗ କ୍ରମେ ଥାନାରେ କେସ ନମ୍ବର ୯୫/୨୦ରେ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲୁ। ଏଥିରେ ପିପିଲି ଏସଡ଼ିପିଓ ଦେବଦତ୍ତ ବରାଳଙ୍କ ନେତୃତ୍ୱରେ ବିଭିନ୍ନ ଯାଗାରେ ଚଢାଉ କରି ୪ ଜଣଙ୍କୁ ଧରିବାରେ ସଫଳ ହେଲୁ।''

ସୁନା ଗହଣାକୁ ତରଳା ଯାଉଥିବା ଗୋଲ୍ଡ ୱାର୍କସପ


‘‘ତଦନ୍ତ ଆରମ୍ଭରୁ ଆମେ ଡେଲାଙ୍ଗରେ ରହୁଥିବା ଭୁବନେଶ୍ୱର ଏୟାରଫିଲ୍ଡ ଥାନା ଅନ୍ତର୍ଗତ ଜାମୁକୋଳି ନିବାସୀ ୪୦ ବର୍ଷୀୟ ରମେଶ ଓରଫ ଲକ୍ଷ୍ଣଣ ଦାସ ଓ ହୁମରର ୩୩ ବର୍ଷିୟ ପ୍ରଭାକର ଦାସକୁ ପ୍ରାରମ୍ଭିକ ପର୍ଯ୍ୟାୟରେ ପୋଲିସ ସନ୍ଦେହ ଘେରକୁ ଆଣିଥିଲା। ସେମାନେ ପୂର୍ବରୁ ୨୦୧୮ ରେ ପିପିଲି ଥାନାର କେସ ନମ୍ବର ୧୩୧/୧୮ ଓ ୯୯/୧୮ ମାମଲାରେ ସମ୍ପୃକ୍ତ ରହିଥିଲେ । ସେମାନଙ୍କୁ ଧରି ପଚାରଉଚୁରା ପରେ ରମେଶର ଚିହ୍ନା ପରିଚୟ ସୁଜନପୁରରେ ରହୁଥିବା ୪୫ ବର୍ଷିୟ ସୁୁୁର ଦାସକୁ ମଧ୍ୟ ପୁଲିସ ସନ୍ଦେହରେ ଉଠାଇନେଇଥିଲା । ଆଉ ଏହା ପରେ ହୁମରର ୩୩ ବର୍ଷିୟ ଯୁବକ ବାପି ଦାସର ମଧ୍ୟ ସମ୍ପୃକ୍ତି ଥିବାର ପ୍ରମାଣ ମିଳିବା ପରେ ତାକୁ ମଧ୍ୟ ତଦନ୍ତ ପରିସରକୁ ନେଇ ପଚରାଉଚୁରା କରାଯାଇଥିଲା," କହିଛନ୍ତି ପିପିଲି ଏସଡିପିଓ ଦେବଦତ୍ତ ବରାଳ।

"ଏତେ ସବୁ ଲୁଟେରାଙ୍କର ଲିଙ୍କ ଆସିଥିବା ବେଳେ ଆମେ ଏକ ଯୋଜନା କରିଥିଲୁ। କାରଣ ଲୁଟେରାଙ୍କର କହିବା କଥା ସୁନା ଓ ରୁପା ଅଳଙ୍କାର ସବୁକୁ ନେଇ ସେମାନେ ପୁରୀ ଘୋଡ଼ାବଜାରରେ ଥିବା ସନ୍ତୋଷ ଗୋଲ୍ଡ ୱାର୍କ ସପର ମାଲିକ ୫୦ ବର୍ଷିୟ ଦେବେନ୍ଦ୍ର ଆଚାରୀ ଓ ୨୧ ବର୍ଷିୟ ପୁଅ ପି ଶିବାନୀ ଆଚାରୀଙ୍କୁ ଦେଉଥିଲେ। ସେହିଠାରେ ସୁନାକୁ ତରଳା ଯାଉଥିଲା ଓ ଲୁଟାରେମାନେ ଚୋରି ଅଳଙ୍କାର ତାଙ୍କୁ ଦେଇ ଭଲ ଅର୍ଥ ଉପାର୍ଜନ କରୁଥିଲେ। ତେଣୁ ଏସବୁକୁ ନେଇ ଆମେ ଡେଲାଙ୍ଗ ଥାନା ସହ ପୁରୀ କୁମ୍ଭାରପଡା ଥାନା ଅଧିକାରୀଙ୍କୁ ଟିମରେ ସାମିଲ କଲୁ," କହିଛନ୍ତି ପୁରୀ ଏସପି ଅଖିଳେଶ୍ୱର ସିଂ।

ଜୁଲାଇ ୨୩ ତାରିଖ ଅପରାହ୍ନ ଦିନ ଗୋଟାଏ ବେଳେ କୁମ୍ଭାରପଡା ଥାନା ଅନ୍ତର୍ଗତ ସୁନା ବେପାରୀ ଦେବେନ୍ଦ୍ରଙ୍କ ଆଶ୍ରମ ଛକ ଘରେ ୨ଟି ପୁଲିସ ଭ୍ୟାନ ସହ ଏକ ୬ ଜଣ ପୁରୁଷ ଓ ଜଣେ ମହିଳା ପୁଲିସଙ୍କୁ ନେଇ ଚଢାଉ କରାଯାଇଥିଲା।ଚଢ଼ାଉ ସମୟରେ ଘରେ ଦେବେନ୍ଦ୍ରଙ୍କ ସହ ତାଙ୍କ ପତ୍ନୀ ଓ ୨ ପୁଅ ଥିଲେ।। ପୁଲିସ ସୁନା ଓ ରୁପା ଅଳଙ୍କାରକୁ ମିଶାଇ ୫ଟି ବ୍ୟାଗରେ ଭର୍ତ୍ତି କରି ନେବା ସହ ଦେବେନ୍ଦ୍ରଙ୍କ ସାନ ପୁଅ ଶିବାନୀକୁ ଘୋଡ଼ାବଜାର ୱାର୍କସପକୁ ନେଇ ଯାଇଥିଲା। ସେଠାରେ ମଧ୍ୟ ପୋଲିସ କିଛି ତରଳାଯାଇଥିବା ସୁନାକୁ ଜବତ କରି ୱାର୍କସପକୁ ତାଲା ପକାଇ ଦେଇଥିଲା । ଏହି ଚଢ଼ାଉ ବେଳେ ପୁଲିସ ନିଜ ସାଙ୍ଗରେ ତିନି ଜଣ ଲୁଟେରାଙ୍କୁ ଆଣି ସେମାନଙ୍କ ସହ ଦେବେନ୍ଦ୍ରଙ୍କ ମୁହାଁମୁହିଁ ଜେରା କରାଇଥିଲେ।

''ଜଣେ ବୃଦ୍ଧ ଆମ ୱାର୍କସପରେ କାମ କରୁଥିଲେ। ସେ ଏହି ସବୁ ଚୋରିମାଲ କିଣିଥିଲେ। ଆମେ ଏସବୁ କିଛି ଜାଣିନଥିଲୁ। ବର୍ଷ ବର୍ଷ ଧରି ପରିଶ୍ରମ କରି ଯାହା ରୋଜଗାର କରିଥିଲୁ ପୁଲିସ ଆମ ଘରେ ପଶି ସମସ୍ତ ସୁନା ଗହଣା ନେଇଯିବା ସହ ମୁଁ ପନ୍ଧିଥିବା ଗହଣାକୁ ମଧ୍ୟ କାଢ଼ି ନେଇଯାଇଛନ୍ତି,'' କହିଛନ୍ତି ଦେବେନ୍ଦ୍ରଙ୍କ ପତ୍ନୀ।

ଏହା ବି ପଢ଼ନ୍ତୁ | ରୁଷିଆ ଆଣିଲା ବିଶ୍ୱର ପ୍ରଥମ କରୋନା ଟିକା; ରାଷ୍ଟ୍ରପତି ପୁଟିନଙ୍କ ଝିଅଙ୍କୁ ପ୍ରଥମେ ଦିଆଗଲା

ଏହା ବି ପଢ଼ନ୍ତୁ | ପଶ୍ଚିମ ବଙ୍ଗରେ କରୋନା ରୋଗୀଙ୍କୁ ଲୁଟୁଛନ୍ତି ଘରୋଇ ହସପିଟାଲ; ଚିକିତ୍ସା ବିଲ୍ ୧୦.୩୯ ଲକ୍ଷ ଟଙ୍କା!

ଡେଲାଙ୍ଗ ଥାନାରେ ପୁରୀ SP ଅଖିଳେଶ୍ୱର ସିଂଙ୍କ ସାମ୍ବାଦିକ ସମ୍ମିଳନୀରେ ସୁଚନା ଅନୁସାରେ ୧ କେଜି ୮୬୪ ଗ୍ରାମର ସ୍ୱର୍ଣ୍ଣ ଅଳଙ୍କାର ଓ ତରଳାଯାଇଥିବା ସୁନା ଯାହାର ଆନୁମାନିକ ମୁଲ୍ୟ ୫ ଲକ୍ଷ ହେବ। ତାହା ସହ ୩କେଜି ୫୫୭ ଗ୍ରାମ ରୁପା ଅଳଙ୍କାର, ୩ ଲକ୍ଷ ୨୫ ହଜାର ୨୦୦ ନଗଦ ଟଙ୍କା, ଅଷ୍ଟଧାତୁର କିଛି ପାତ୍ର, ଗୋଟିଏ ବାଇକ , କିଛି କଟର ଯନ୍ତ୍ରାଂଶ ଓ ୫ଟି ମୋବାଇଲ ଫୋନ ଜବତ ହୋଇଛି । ଏହା ସହିତ ୪ ଜଣ ଲୁଟେରା ସେମାନେ ହେଲେ ଡେଲାଙ୍ଗ ଥାନା ହୁମର ଲକ୍ଷ୍ଣଣ ଦାସ, ବାପି ଦାସ, ପ୍ରଭାକର ଦାସ ଓ ସୁଜନପୁରର ସୁର ଦାସ ତାଙ୍କ ସହିତ ଚୋରୀ ଅଳଙ୍କାର କିଣିଥିବା ପୁରୀର ସୁନା ବ୍ୟବସାୟୀ ବାପ ଦେବେନ୍ଦ୍ର ଆଚାରୀ ଓ ପୁଅ ପି ଶିବାନୀ ଆଚାରୀଙ୍କୁ ମଧ୍ୟ ଗିରଫ କରାଯାଇଛି । ତେବେ ଏହି ୪ ଜଣ ଅଭିଯୁକ୍ତଙ୍କ ନାଁରେ ପୁରୀ ଜିଲ୍ଲାର ପୁରୀ ସଦରରେ ଗୋଟିଏ, ସତ୍ୟବାଦୀରେ ୩ଟି, ପିପିଲିରେ ଦୁଇଟି, ଡେଲାଙ୍ଗରେ ୬ଟି ଓ ଏହିଭଳି ଆହୁରି ଅନେକ ଥାନାରେ ମାମଲା ରହିଥିବା ବେଳେ ତଦନ୍ତ ମଧ୍ୟ ଚାଲିଛି । ସେମାନଙ୍କର କୋଭିଡ଼ି ଟେଷ୍ଟ ପରେ ଜେଲକୁ ପଠାଇଦିଆଯାଇଛି ।



ଆନ୍ତଃଜିଲ୍ଲା ଲୁଟେରା ଗ୍ୟାଙ୍ଗକୁ ପୁରୀ ପୋଲିସ ଧରି ସଫଳତା ହାସଲ କରିଥିବାରୁ ଜିଲ୍ଲାବାସୀ ନୂଆ ଏସପି ଅଖିଳେଶ୍ୱର ସିଂଙ୍କ କାର୍ଯ୍ୟଧାରାକୁ ବେଶ ପ୍ରଂଶସା କରିଛନ୍ତି ।
Published by: Jagdish Barik
First published: August 11, 2020, 5:57 PM IST
corona virus btn
corona virus btn
Loading