News18 Odia Digital
ଭୁବନେଶ୍ୱର: ମାଘ ମାସରେ ବୈଶାଖର ଉଷ୍ମତା। ଏଥର ମାଘରେ ନାହିଁ ବାଘ ଭଳି ଜାଡ। ଜାନୁଆରୀ ମାସରେ ଯଦିଓ ତାପମାତ୍ରା ସ୍ୱାଭାବିକ ବା ତା ଠାରୁ କମ ରହିବ କିନ୍ତୁ ସେତେଟା ଶୀତ ଅନୁଭୂତ ହେବ ନାହିଁ। ଫଳରେ ଦିନରେ ଖରା ଓ ରାତିରେ କମ୍ ଶୀତ ଅନୁଭୂତ ହେବ। ଜାନୁଆରୀ ୧୪ ପରେ କ୍ରମଶଃ ବୃଦ୍ଧି ପାଇବ ତାପମାତ୍ରା। ସାମୁଦ୍ରିକ ବାୟୁ ର ପ୍ରଭାବ ଓ ଅସ୍ବାଭାବିକ ବାୟୁ ଚଳାଚଳ ଏଭଳି ସ୍ଥିତି ସୃଷ୍ଟି କରିଥିବା ପାଣିପାଗ ବୈଜ୍ଞାନିକ କହିଛନ୍ତି।
ରାଜ୍ୟରୁ ଗାୟଵ ଶୀତ। ମାଘ ମାସରେ ହାଡ ଭଙ୍ଗା ଜାଡ ବଦଳରେ ଗରମ ଅନୁଭୂତ ହେଉଛି। ଜାନୁଆରୀ ମାସରୁ ଦିନର ତାପମାତ୍ରା ୩୪ ଡିଗ୍ରୀ ଚୁଇଁଥିବାବେଲେ ରାତିରେ ଅଧିକାଂଶ ସ୍ଥାନରେ ତାପମାତ୍ରା ସ୍ୱାଭାବିକ ଠାରୁ ୬ ଡିଗ୍ରୀ ପର୍ଯ୍ୟନ୍ତ ଅଧିକ ରହୁଛି। ସାମୁଦ୍ରିକ ବାୟୁ ର ପ୍ରଭାବ ହେତୁ ବଢୁଛି ତାପମାତ୍ରା, କମୁଛି ଶୀତ। କେବଳ ରାତି ନୁହେଁ ଦିନର ତାପମାତ୍ରା ବି ବୃଦ୍ଧି ପାଇଛି। ଫଳରେ ରାତିରେ ଶୀତ କମ୍ ଅନୁଭୂତ ହେବା ସହ ଦିନରେ ଖରା ଜାନୁଆରୀ ମାସରୁ ଅନୁଭୂତ ହେଲାଣି।
ଓଡ଼ିଶା ଉପକୂଳରେ ସକ୍ରିୟ ରହିଛି ଗୁରୂଚାପ୍ ବଳୟ। ଯାହାର ପ୍ରଭାବରେ ରାଜ୍ୟକୁ ଉଷ୍ମ ଜଳୀୟବାସ୍ପା ପ୍ରବେଶ କରୁଛି। ବାୟୁମଣ୍ଡଳରେ ଆର୍ଦ୍ରତା ଯଥେଷ୍ଟ ଅଧିକ ରହୁଛି। ଫଳରେ ତାପମାତ୍ରା ବୃଦ୍ଧି ପାଇଛି। ଦିନର ତାପମାତ୍ରା ମଧ୍ୟ ୩୩ - ୩୪ ଡିଗ୍ରୀ ପର୍ଯ୍ୟନ୍ତ ବୃଦ୍ଧି ପାଇଛି। ଜାନୁଆରୀ ମାସରେ ସାଧାରଣତଃ ୨୭ ରୁ ୨୮ ଡିଗ୍ରୀ ତାପମାତ୍ରା ରହିଥାଏ, ହେଲେ ଅସ୍ବାଭାବିକ ବାୟୁ ଚଳନ ଯୋଗୁ ତାପମାତ୍ରା ବୃଦ୍ଧି ପାଇଥିବା ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର କହିଛି।
ଅନ୍ୟପଟେ ପଶ୍ଚିମାଝଡର ଅନୁପସ୍ଥିତି ଯୋଗୁଁ ରାଜ୍ୟକୁ ଉତ୍ତର ପଶ୍ଚିମ ଦିଗରୁ ଥଣ୍ଡା ପବନ ପ୍ରବେଶ କରିପାରୁନାହିଁ। ଫଳରେ ଉତ୍ତର ପଶ୍ଚିମ ଭାଗରେ ତୁଷାରପାତ ଭଲି ସ୍ଥିତି ଥିଲେ ବି ରାଜ୍ୟରେ ଶୀତ ନାହିଁ। ରାତିରେ ବାୟୁ ଚଳନ ମଧ୍ୟ ଖୁବ୍ କମ୍ ଫଳରେ ଶୀତ ଅନୁଭୂତ ହେଉନାହିଁ। ରାଜ୍ୟରେ ବର୍ତ୍ତମାନ ଶୀତ ନଥିବାବେଳେ ଆଉ ୩ ଦିନ ଏଭଳି ସ୍ଥିତି ଜାରି ରହିବ। ୩ ଦିନ ପରେ ତାପମାତ୍ରା ସାମାନ୍ୟ ହ୍ରାସ ପାଇବ ଓ ଶୀତ ଅନୁଭୂତ ହେବ। ବିଶେଷ କରି ଆଭ୍ୟନ୍ତରୀଣ ଓଡ଼ିଶା ଓ ଦକ୍ଷିଣ ଓଡ଼ିଶାରେ ତାପମାତ୍ରା ସ୍ୱାଭାବିକ ଠାରୁ କମ୍ ରହିବ। ହେଲେ ଅଧିକ ଶୀତ ଅନୁଭୂତ ହେବନାହିଁ। କିଛି ସ୍ଥାନରେ କୁହୁଡି ପରିଲକ୍ଷିତ ହେବ।
ଜାନୁଆରୀ ୧୪ ମକର ସଂକ୍ରାନ୍ତି ଠାରୁ ସୂର୍ଯ୍ୟଙ୍କର ଉତ୍ତରାୟଣ ଗତି ଆରମ୍ଭ ହୁଏ । ଫଳରେ ଦିନ ବଡ ଓ ରାତି ସାନ ହୁଏ। ଦିନ ବସିବା ସହ ତାପମାତ୍ରା ମଧ୍ୟ ବୃଦ୍ଧି ପାଇବ। ଖରା ଗରମ ବଢ଼ିବ। ଚଳିତବର୍ଷ ପ୍ରବଳ ଖରା ହେବା ନେଇ ପୂର୍ବାନୁମାନ ହେଉଥିବାବେଳେ ଏବେଠାରୁ ଦିନର ତାପମାତ୍ରା ବୃଦ୍ଧି ପାଇବାରେ ଲାଗିଛି।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।