News18 Odia Digital
ଭୁବନେଶ୍ୱର: ସ୍କଲରେ ଆରମ୍ଭ ହେବ ଯୁକ୍ତ ୨ ପାଠପଢା। ଆସନ୍ତା ଶିକ୍ଷାବର୍ଷରୁ ପ୍ରଥମ ପର୍ଯ୍ୟାୟରେ ୪୦ ଟି ହାଇସ୍କୁଲରେ ଏକାଦଶ ଶ୍ରେଣୀ ପାଠପଢା ଆରମ୍ଭ କରିବାକୁ ଯୋଜନା କରିଛି ଗଣଶିକ୍ଷା ବିଭାଗ। ବର୍ତ୍ତମାନ ଫୋକସରେ ଉପାନ୍ତ ଇଲାକାର ହାଇସ୍କୁଲ ଓ ଛାତ୍ରଛାତ୍ରୀ ରହିଛି।
ଉଚ୍ଚଶିକ୍ଷା ବିଭାଗରୁ ଯୁକ୍ତ ୨ ଅଲଗା ହେବାର ୮ ବର୍ଷ ପରେ କାର୍ଯ୍ୟକ୍ଷମ ହେବ ଯୋଜନା। ହେଲେ ଏବେବି ଶିକ୍ଷକ ନିଯୁକ୍ତି ଓ ଭିତ୍ତିଭୂମି ହେବ ଚାଲେଞ୍ଜ। ଯୁକ୍ତ୨ଛାତ୍ରଛାତ୍ରୀଙ୍କୁ ସ୍କୁଲ ଢାଞ୍ଚରେ ଗୁଣାତ୍ମକ ଶିକ୍ଷା ପ୍ରଦାନ କରିବା ନିମନ୍ତେ ଉଚଶିକ୍ଷା ବିଭାଗରୁ ଅଲଗା ହୋଇ ସ୍କୁଲ ଓ ଗଣଶିକ୍ଷା ବିଭାଗରେ ମିଶିଥିଲା । ଏହାକୁ ୭ ବର୍ଷ ବିତିଥିଲେ ବି ରାଜ୍ୟର କୌଣସି ଗୋଟିଏ ହାଇସ୍କୁଲରେ ଆରମ୍ଭ ହୋଇପାରିଲା ନାହିଁ ଯୁକ୍ତ ୨ ପାଠପଢା।
ଆସନ୍ତାବର୍ଷ ଅର୍ଥାତ ୨୦୨୩-୨୪ ଶିକ୍ଷାବର୍ଷରୁ ଏହାକୁ ଲାଗୁ କରିବାକୁ ନିଷ୍ପତ୍ତି ନେଇଛି ଗଣଶିକ୍ଷା ବିଭାଗ। ପ୍ରଥମ ପର୍ଯ୍ୟାୟରେ ୪୦ଟି ହାଇସ୍କୁଲରେ ଏକାଦଶ ପାଠପଢା ଆରମ୍ଭ କରିବାକୁ ପ୍ରସ୍ତୁତି ଆରମ୍ଭ ହୋଇଥିବା ଗଣଶିକ୍ଷାମନ୍ତ୍ରୀ କହିଛନ୍ତି। ଏପରିକି ଏକାଦଶ ଶ୍ରେଣୀରେ ପାଠ ପଢ଼ାଇବାକୁ ସ୍ୱତନ୍ତ୍ର ଶିକ୍ଷକ ନିଯୁକ୍ତି ନେଇ ପ୍ରକ୍ରିୟା ମଧ୍ୟ ଆରମ୍ଭ ହୋଇଛି। ହେଲେ ଭିତ୍ତିଭୂମି ସବୁଠାରୁ ବଡ଼ ଚାଲେଞ୍ଜ ହୋଇ ଉଭା ହୋଇଛି।
"ଆଜିବି ଅନେକ ପିଲା ଦଶମ ଶ୍ରେଣୀ ପରେ ପଢିବାରୁ ବଞ୍ଚିତ ହେଉଛନ୍ତି। କେବଳ ନିଜ ଅଞ୍ଚଳରେ ଯୁକ୍ତ ୨ ସ୍କୁଲ ନଥିବାରୁ ତାଙ୍କୁ ମାଇଲ ମାଇଲ ବାଟ ଯିବାକୁ ପଡୁଛି। ଝିଅମାନେ ବାଧ୍ୟ ହୋଇ ପାଠ ଛାଡ଼ୁଛନ୍ତି। ଏଣୁ ସେହିଭଳି ଇଲାକାର ସ୍କୁଲରେ ପ୍ରଥମେ ଯୁକ୍ତ ୨ ଆରମ୍ଭ କରିବାକୁ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ ପରେ କାମ ଆରମ୍ଭ ହୋଇଛି। ଶିକ୍ଷକ ନିଯୁକ୍ତି ପ୍ରକ୍ରିୟା ବି ଚାଲିଛି। ଆସନ୍ତା ଶିକ୍ଷାବର୍ଷରୁ ଏହା କାର୍ଯ୍ୟକ୍ଷମ ହେବ,"କହିଛନ୍ତି ଗଣଶିକ୍ଷା ମନ୍ତ୍ରୀ ସମୀର ରଂଜନ ଦାଶ।
ଏବେ ବି ଅଧିକାଂଶ କଲେଜରେ ଯୁକ୍ତ ୨ ଯୁକ୍ତ ୩ ମିଳିତ ଭାବେ ଚାଲିଥିବାରୁ ସେଠି ବିଚିତ୍ର ଅବସ୍ଥା ଦେଖିବାକୁ ମିଳିଛି। କେଉଁଠି ଭିତ୍ତିଭୂମି ଅଭାବ ଯୋଗୁଁ ଯୁକ୍ତ୨ ପାଠପଢା ଅଧିକାଂଶ ଦିନ ବନ୍ଦ ରହୁଛି ତ ଆଉ କେଉଁଠି ଅଧ୍ୟାପକ ଅଭାବ ମୁଣ୍ଡ ଟେକିଛି।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।