ମାର୍ଚ୍ଚ ଓ ଏପ୍ରିଲରେ ହେବ ପ୍ରବଳ ଖରା; ଟିଟିଲାଗଡ଼ରେ ୩୬.୪ ତାପମାତ୍ରା ରେକର୍ଡ଼

ଏବେଠୁ ଜଳିଲାଣି ସାରା ରାଜ୍ୟ। ଉପରମୁଁହା ତାପମାତ୍ରା। ଫେବୃଆରୀ ମାସରୁ ୮ ସହରର ତାପମାତ୍ରା ୩୩ ଡିଗ୍ରୀ ଉପରେ ରହିଥିବାବେଳେ ଟିଟିଲାଗଡ଼ରେ ସର୍ବାଧିକ ୩୬.୪ ଡିଗ୍ରୀ ସେଲସିୟସ ତାପମାତ୍ରା ରେକର୍ଡ଼ ହୋଇଛି।

ମାର୍ଚ୍ଚ ଓ ଏପ୍ରିଲରେ ହେବ ପ୍ରବଳ ଖରା (ପ୍ରତୀକାତ୍ମକ ଛବି)

ମାର୍ଚ୍ଚ ଓ ଏପ୍ରିଲରେ ହେବ ପ୍ରବଳ ଖରା (ପ୍ରତୀକାତ୍ମକ ଛବି)

  • Share this:
News18 Odia Digital

ଭୁବନେଶ୍ୱର: ଏବେଠୁ ଜଳିଲାଣି ସାରା ରାଜ୍ୟ। ଉପରମୁଁହା ତାପମାତ୍ରା। ଫେବୃଆରୀ ମାସରୁ ୮ ସହରର ତାପମାତ୍ରା ୩୩ ଡିଗ୍ରୀ ଉପରେ ରହିଥିବାବେଳେ ଟିଟିଲାଗଡ଼ରେ ସର୍ବାଧିକ ୩୬.୪ ଡିଗ୍ରୀ ସେଲସିୟସ ତାପମାତ୍ରା ରେକର୍ଡ଼ ହୋଇଛି।

ଆଜି ଓ ଆସନ୍ତା କାଲି ଦୁଇ ଦିନ କିଛି ସ୍ଥାନରେ ବର୍ଷା ହେବାର ସମ୍ଭାବନା ରହିଛି।  ଏହା ପରେ ଖରା ବଢ଼ିବ ବୋଲି ପାଣିପାଗ ବିଶେଷଜ୍ଞ ସୂଚନା ଦେଇଛନ୍ତି।

ଫେବୃଆରୀ ମାସ ଶେଷ ହୋଇ ନଥିଲେ ମଧ୍ୟ ହେଲେ ତାପମାତ୍ରା ବଢ଼ିବାରେ ଲାଗିଲାଣି। ୮ ସହରର ତାପମାତ୍ରା ୩୩ ଡିଗ୍ରୀ ଉପରେ ରେକର୍ଡ଼ ହୋଇଛି। ଟିଟିଲାଗଡ଼ରେ ସର୍ବାଧିକ ୩୬.୪ ଡିଗ୍ରୀ ରେକର୍ଡ଼ ହୋଇଥିବାବେଳେ ବଲାଙ୍ଗୀରରେ ୩୫ ଡିଗ୍ରୀ, ଭବାନୀପାଟଣାରେ ୩୪.୫ ଡିଗ୍ରୀ ରେକର୍ଡ଼ ହୋଇଛି। ତେବେ ୨୦୨୧ ଫେବୃଆରୀ ୨୬ ତାରିଖରେ ସର୍ବାଧିକ ତାପମାତ୍ରା ଭୁବନେଶ୍ୱର ରେ ୪୦.୪ ଡିଗ୍ରୀ ରେକର୍ଡ ହୋଇଥିବାବେଳେ ଏବର୍ଷ ତାପମାତ୍ରା ସ୍ୱାଭାବିକ ଓ କିଛି ସ୍ଥାନରେ ସ୍ୱାଭାବିକ ଠାରୁ କମ ରହିଛି ବୋଲି ପାଣିପାଗ ନିର୍ଦ୍ଦେଶକ କହିଛନ୍ତି।

ଆସନ୍ତାକାଲି ଠାରୁ ପଶ୍ଚିମାଝଡ଼ର ପ୍ରଭାବରେ କିଛି ସ୍ଥାନରେ ବର୍ଷା ହେବା ନେଇ ମଧ୍ୟ ସୂଚନା ରହିଛି। ବିଶେଷ କରି ସୁନ୍ଦରଗଡ, ଦେଓଗଡ଼, ସମ୍ବଲପୁର, ଅନୁଗୁଳ, ଢେଙ୍କାନାଳ, କେନ୍ଦୁଝର, ମୟୁରଭଞ୍ଜ, ଯାଜପୁର, ଭଦ୍ରକ ବାଲେଶ୍ୱରରେ ବର୍ଷା ନେଇ ୟେଲୋ ଆଲର୍ଟ ଜାରି ହୋଇଛି।

"ବର୍ତ୍ତମାନ ତାପମାତ୍ରା ବୃଦ୍ଧି ପାଇଛି ଯାହା ସ୍ୱାଭାବିକ ବା ସ୍ବଭାବିକ ଠାରୁ କମ ରହିଛି। ଆଗକୁ ପାଗ ଶୁଖିଲା ରହିବା ସହ ଖରା ବଢ଼ିବ। ୨୫ ଓ ୨୬ ଦୁଇ ଦିନ ହାଲୁକା ବର୍ଷା ହେବ। ଏହା ପରେ ଖରା ବଢିବ," କହିଛନ୍ତି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ନିର୍ଦ୍ଦେଶକ ଏଚ ଆର ବିଶ୍ୱାସ।

ବିଶେଷଜ୍ଞଙ୍କ ମତରେ ଗତ କିଛି ବର୍ଷ ଫେବୃଆରୀ ମାସରୁ ରାଜ୍ୟରେ ବୃଦ୍ଧି ପାଇବାରେ ଲାଗିଛି ତାପମାତ୍ରା। ଜଳବାୟୁ ପରିବର୍ତ୍ତନ ଯୋଗୁଁ ଏଭଳି ଘଟୁଛି ଯାହା ଅସ୍ୱାଭାବିକ ନୁହେଁ। ବର୍ତ୍ତମାନର ସ୍ଥିତି ଯାହା କହୁଛି ପଶ୍ଚିମା ଝଡ଼ ପ୍ରଭାବରେ ବିଶେଷ ବର୍ଷା ହେବନାହିଁ । ୨୫ ଓ ୨୬ ଉତ୍ତର ଓଡ଼ିଶାର କିଛି ସ୍ଥାନରେ ହାଲୁକା ବର୍ଷା ହେବ। ମାର୍ଚ୍ଚ ପ୍ରଥମ ସପ୍ତାହ ସୁଦ୍ଧା ତାପମାତ୍ରା କିନ୍ତୁ ୪୦ ଡିଗ୍ରୀ ଛୁଇଁବ। ବର୍ତ୍ତମାନ ତାପମାତ୍ରା ଠାରୁ ଉପକୂଳରେ ୫ ଡିଗ୍ରୀ, ପଶ୍ଚିମ ଓଡ଼ିଶାରେ ୪ ଡିଗ୍ରୀ ଓ ଉତ୍ତର ଓଡ଼ିଶାରେ ୩ ଡିଗ୍ରୀ ପର୍ଯ୍ୟନ୍ତ ବୃଦ୍ଧି ପାଇବ ତାପମାତ୍ରା। ଚଳିତ ବର୍ଷ ଲାଲିନାର ପ୍ରଭାବ ଯୋଗୁଁ ଏପ୍ରିଲ ମାସ ପର୍ଯ୍ୟନ୍ତ ଖରା ଓ ଗରମ ଅସହ୍ୟ ହେବ। କିନ୍ତୁ ମେ ମାସରେ କାଳବୈଶାଖୀ ବର୍ଷା ଲାଗି ରହିବ, ଯାହା ଫଳରେ ଖରା, ଗରମ ଓ ଗୁଳୁଗୁଳିରୁ ଆଶ୍ୱସ୍ତ ମିଳିବ ବୋଲି ପାଣିପାଗ ବିଶେଷଜ୍ଞ କହିଛନ୍ତି।

"ବର୍ତ୍ତମାନ ବର୍ଷା ବିଶେଷ ହେବନାହିଁ। ଖରା କିନ୍ତୁ ବଢିବ। ଲା ଲିନାର ପ୍ରଭାବରେ ଏବେ ତାପମାତ୍ରା ବୃଦ୍ଧି ପାଇବ। ଏପରିକି ମାର୍ଚ୍ଚ ୫ ତାରିଖ ସୁଦ୍ଧା ରାଜ୍ୟରେ ୪୦ଡିଗ୍ରୀ ଛୁଇଁବ ତାପମାତ୍ରା। ଏପ୍ରିଲ ପର୍ଯ୍ୟନ୍ତ କଲବଳ କରିବ," କହିଛନ୍ତି ପାଣିପାଗ ବିଶେଷଜ୍ଞ ସୁରେନ୍ଦ୍ରନାଥ ପଶୁପାଳକ।

ରାତିର ତାପମାତ୍ରାରେ ଆସନ୍ତା ୫ଦିନ ପର୍ଯ୍ୟନ୍ତ କୌଣସି ବିଶେଷ ପରିବର୍ତ୍ତନ ହେବନାହିଁ। ଅଧିକାଂଶ ସ୍ଥାନରେ ସର୍ବନିମ୍ନ ତାପମାତ୍ରା ସ୍ୱାଭାବିକ ବା ତା ଠାରୁ ସାମାନ୍ୟ ଅଧିକ ରହିଛି।
Published by:Soumya Das
First published: