ଜଗନ୍ନାଥଙ୍କ ଖଣି ନିଲାମ ପାଇଁ ହେବ ସ୍ୱତନ୍ତ୍ର SOP; ଡ୍ରେସ କୋଡ଼ ନିୟମକୁ ନେଇ କମିଟି ଗଠନ

ଗର୍ଭଗୃହକୁ ଯିବା ପାଇଁ ହୋଇଥିବା ଡ୍ରେସ କୋଡ ନିୟମକୁ ନେଇ ନୀତି ପ୍ରଶାସକଙ୍କ ନେତୃତ୍ୱରେ ଗଠିତ ହୋଇଛି କମିଟି। ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକରେ ୨୦୨୧-୨୨ ବର୍ଷ ଲାଗି ଆୟ ବ୍ୟୟ ଅଟକଳକୁ ନେଇ ୧୯୦ କୋଟି ଟଙ୍କାର ବଳକା ବଜେଟକୁ ଅନୁମୋଦନ ମିଳିଛି।

ଜଗନ୍ନାଥଙ୍କ ଖଣି ନିଲାମ ପାଇଁ ହେବ ସ୍ୱତନ୍ତ୍ର SOP (ପ୍ରତୀକାତ୍ମକ ଛବି)

ଜଗନ୍ନାଥଙ୍କ ଖଣି ନିଲାମ ପାଇଁ ହେବ ସ୍ୱତନ୍ତ୍ର SOP (ପ୍ରତୀକାତ୍ମକ ଛବି)

  • Share this:
News18 Odia Digital

ପୁରୀ : ଶ୍ରୀମନ୍ଦିରରେ ୮ଟି ଦ୍ୱାର ରୁପା ଛାଉଣୀ ପରେ ଏବେ ନବମ ଦ୍ୱାର ସୂର୍ଯ୍ୟମନ୍ଦିରର ହେବ ରୁପା ଛାଉଣୀ । ଏ ନେଇ ଦାତାଙ୍କ ପକ୍ଷରୁ ରୁପା ଚାଦର ଆସିସାରିଥିବା ବେଳେ ଖୁବ ଶୀଘ୍ର ତାହା ଛାଉଣୀ କରାଯିବ । ସେପଟେ ଗର୍ଭଗୃହକୁ ଯିବା ପାଇଁ ହୋଇଥିବା ଡ୍ରେସ କୋଡ ନିୟମକୁ ନେଇ ନୀତି ପ୍ରଶାସକଙ୍କ ନେତୃତ୍ୱରେ ଗଠିତ ହୋଇଛି କମିଟି। ସେବାୟତଙ୍କ ସହ ଆଲୋଚନା ପରେ ଶ୍ରୀମନ୍ଦିର ସେବାୟତ, ଜେଟିପି ଓ କର୍ମଚାରୀଙ୍କୁ କେଉଁ ରଙ୍ଗର ଡ୍ରେସ କୋଡ ହେବ ତାହା ସ୍ଥିର କରାଯିବ। ଦୀପାବଳୀ ପରଦିନଠାରୁ ଗର୍ଭଗୃହକୁ ପ୍ୟାଣ୍ଟ ସାର୍ଟ ଉପରେ ଲାଗିଛି ପ୍ରତିବନ୍ଧକ।

"ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକରେ ୨୦୨୧-୨୨ ବର୍ଷ ଲାଗି ଆୟ ବ୍ୟୟ ଅଟକଳକୁ ନେଇ ୧୯୦ କୋଟି ଟଙ୍କାର ବଳକା ବଜେଟକୁ ଅନୁମୋଦନ ମିଳିଛି।  ଆୟ ତୁଳନାରେ ଆର୍ଥିକ ବର୍ଷରେ ବ୍ୟୟ କମ ରହିଥିବା ବେଳେ ୨୧ କୋଟି ଟଙ୍କାର ବଳକା ବଜେଟ ହୋଇଛି  । କର୍ପସ ଫଣ୍ଡ, ଫାଉଣ୍ଡେସନ ଫଣ୍ଡ ଓ ଟେମ୍ପଲ ଫଣ୍ଡ ସ୍ଥାୟୀ ଜମା ପାଣ୍ଠିରୁ ସୁଧ ବାବଦରେ ମିଳିଛି ୩୭ କୋଟି ଟଙ୍କା। ସ୍ଥାୟୀ ଜମା ପାଣ୍ଠିରେ ୬୭୦ କୋଟି ଟଙ୍କାର ଡିପୋଜିଟ ରହିଥିବା ବେଳେ ଚଳିତ ବର୍ଷ ସେଥିରେ ଆହୁରି ୭୦ କୋଟି ମିଶିବା ପରେ ତାହା ୭୫୦ କୋଟିକୁ ଟପିଛି । ଖଣିରୁ ୧୫ କୋଟି, ଜମା ସୁଧରୁ ୩୭ କୋଟି, ହୁଣ୍ଡିରୁ ୬କୋଟି ଟଙ୍କା ଆୟ ହୋଇଥିବା ବେଳେ ରାଜ୍ୟ ସରକାର ୪୨ କୋଟି ଟଙ୍କାର ସହାୟତା ଦେଇଥିବା ବଜେଟରେ ଉଲ୍ଲେଖ କରାଯାଇଛି। ରଥଯାତ୍ରାରେ ୧୨ କୋଟି ୭୨ ଲକ୍ଷ ଟଙ୍କା, ପାଳିଆ ପୁରସ୍କାରରେ ୧୫ କୋଟି ବିନିଯୋଗ କରାଯାଇଛି," କହିଛନ୍ତି ଶ୍ରୀମନ୍ଦିର ପ୍ରଶାସନର ମୁଖ୍ୟ ପ୍ରଶାସକ ଡଃ କ୍ରୀଶନ କୁମାର ।

ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ୟ ଦୁର୍ଗାଦାସ ମହାପାତ୍ର କହିଛନ୍ତି, " ଶ୍ରୀମନ୍ଦିର ମାଲିକାନାରେ ରହିଥିବା ଖଣି ଖାଦାନରୁ ଖଣିଜ ଉତ୍ତୋଳନ ବାବଦରେ ୧୫କୋଟି ଟଙ୍କାର ରାଜସ୍ୱ ମିଳିବ। ଖଣି ଖାଦାନ ପାଇଁ ନୂତନ ନିଲାମୀକରଣ କରାଯିବ । ୫ ବର୍ଷିଆ ଓ ୧୦ ବର୍ଷିଆ ଲିଜ ଦିଆଯିବା ସହ ଏଥିପାଇଁ ବିଭାଗୀୟ କ୍ଲିୟରାନ୍ସ ମିଳିସାରିଛି । ଆସନ୍ତାବର୍ଷ ଖଣିରୁ ପ୍ରାୟ ୭୦ କୋଟି ଟଙ୍କା ଆୟର ଲକ୍ଷ୍ୟ ରଖାଯାଇଛି  । ଖଣି ଖନନ ନେଇ ପରିବେଶ ମଞ୍ଜୁରୀ ମିଳିଥିବାରୁ ଖଣି ନିଲାମୀ ନେଇ ହୋଇଛି ସ୍ୱତନ୍ତ୍ର ଏସଓପି  ।ତା ସହିତ ଶ୍ରୀମନ୍ଦିର ମାଲିକାନାରେ ରହିଥିବା ଦୁଇଟି ଖଣ୍ଡେ ଲାଇଟ ଖଣିରୁ ରାଜ୍ୟ ଖଣି ନିଗମ ବା ଓଏମସିକୁ ଖଣିଜ ଉତ୍ତୋଳନ ପାଇଁ ଏମଓୟୁ ସ୍ୱାକ୍ଷର ହୋଇଛି। ସେହିପରି ଦୀର୍ଘ ବର୍ଷ ଧରି କାଜୁ ନିଗମ ମହାପ୍ରଭୁଙ୍କ ୬୦୦ ଏକର କାଜୁ ଜଙ୍ଗଲକୁ ଲିଜ ଦେଇଛି । ଆଉ ଏଥର ଲିଜ ଦରକୁ ବୃଦ୍ଧି କରାଯାଇଛି। ତେଣୁ ସବୁ ଉପାର୍ଜନ ମିଶାଇଲେ ଶ୍ରୀମନ୍ଦିରର ନିଜସ୍ୱ ଆୟ ୧୬୦ କୋଟି ଟଙ୍କା ହେବ।

ଶ୍ରୀମନ୍ଦିରର ବିଭିନ୍ନ ପରିକଳ୍ପନା, ଦୈନନ୍ଦିନ ଖର୍ଚ୍ଚ, ଉନ୍ନୟନ ପ୍ରକଳ୍ପ ଆଦିରେ ଚଳିତ ଆର୍ଥିକ ବର୍ଷରେ ମୋଟ ୮୫ କୋଟି ଟଙ୍କାର ଖର୍ଚ୍ଚ ହିସାବ ରହିଛି । ବଜେଟରେ ୨୧ କୋଟି ଟଙ୍କାର ଆକଳନରୁ ବଳକା ଉପାର୍ଜନ ହେବ" ।

ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ୟ ମାଧବ ପୂଜା ପଣ୍ଡାଙ୍କ କହିବା ଅନୁଯାୟୀ ସେବାୟତଙ୍କ ସ୍ୱାସ୍ଥ୍ୟ ସମସ୍ୟା ନେଇ ପ୍ରତିଷ୍ଠିତ ଘରୋଇ ହସ୍ପିଟାଲର ବିଶେଷଜ୍ଞମାନେ ପୁରୀ ଆସି ଚିକିତ୍ସା ସୁବିଧା ଦେବା ପାଇଁ ପ୍ରସ୍ତାବ ହୋଇଛି । ତା ସହିତ ମହାପ୍ରଭୁଙ୍କ ଆୟର ମୁଖ୍ୟ ରହିଛି ଜମି ବିକ୍ରି । ଶ୍ରୀମନ୍ଦିର ପରିଚାଳନା କମିଟି ମାଲିକାନାରେ ରହିଥିବା ଭୂସମ୍ପତ୍ତି ତଥା ବିଭିନ୍ନ ସରକାରୀ ଓ ବେସରକାରୀ ସଂସ୍ଥା ଦ୍ୱାରା ଅଧିଗ୍ରହଣ ଜମି ବିକ୍ରି ବାବଦକୁ ଚଳିତବର୍ଷ ରାଜସ୍ୱ ୬୦ କୋଟି ମିଳିବ  । ଆଉ ମନ୍ଦିର ଜମି ବିକ୍ରି ନେଇ ୟନିଫର୍ମ ପଲିସିର ସମୀକ୍ଷା ଚାଲିଛି  । ୪ ଦିନ ପୂର୍ବରୁ ଏହାର ସମୀକ୍ଷା କରାଯାଇଥିଲା  । ୟୁନିଫର୍ମ ନୀତିର ସଂଶୋଧନ ଓ ମୂଲ୍ୟ ନିର୍ଦ୍ଧାରଣର ପୁନଃ ବିଚାର ହେବ।

"ଶ୍ରୀଜଗନ୍ନାଥଙ୍କ ଜମି ମାଲିକାନା ନେଇ ୨୦୦୩ରେ ନୂଆ ଆଇନ ହୋଇଥିବା ବେଳେ ବେଳେ ୨୦୧୯ରେ ତାହାକୁ ସଂଶୋଧନ କରି କିଛି ଜମି ମଧ୍ୟ ସେଟେଲମେଣ୍ଟ କରାଯାଇଥିଲା। ହେଲେ ପୁରୀ ସହର ଓ ଆଖପାଖ ର ପ୍ରାୟ ୮୦ ହଜାର ପରିବାରର ଜମିଜମା ଏବେ ଶ୍ରୀମନ୍ଦିର ମାଲିକାନା ସତ୍ତ୍ୱକୁ ଚାଲିଯାଇଥିବାରୁ ସ୍ଥାନୀୟ ବାସିନ୍ଦାମାନେ ବଡ ସମସ୍ୟାରେ ପଡିଛନ୍ତି। ମାଲିକାନା ସତ୍ତ୍ୱ ଫେରି ପାଇବା ପାଇଁ ରାଜ୍ୟ ସରକାର ୟୁନିଫର୍ମ ପଲିସ କରିଛନ୍ତି। ଏହି ମାଧ୍ୟମରେ ଶ୍ରୀମନ୍ଦିର ପ୍ରଶାସନ ସ୍ଥାନୀୟ ବାସିନ୍ଦାଙ୍କଠାରୁ ଲକ୍ଷ ଲକ୍ଷ ଟଙ୍କା ଦାବି କରୁଛି। ତେଣୁ ଏହାକୁ ବିରୋଧ କରି ଅଧିକାର ମଞ୍ଚ ପକ୍ଷରୁ ବାରମ୍ବାର ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି  ।

ସେପଟେ ସହରବାସୀଙ୍କ ଜମିଜମା ସମସ୍ୟାକୁ ନ ସୁଧାରିଲେ ଆଗାମୀ ଦିନରେ ଆନ୍ଦୋଳନ ତୀବ୍ରତର ହେବ ବୋଲି ଚେତାବନୀ ଦେଇଛନ୍ତି ଭିଟାମାଟି ସୁରକ୍ଷା ମଞ୍ଚର ଆବାହକ ତଥା ଆଇନଜୀବି ଶ୍ରୀକାନ୍ତ ପରିଜା ।
Published by:Soumya Das
First published: