News18 Odia Digital
କଟକ: ରାଜ୍ୟରେ ଜରୁରୀକାଳୀନ ସେବା ଭିତ୍ତିଭୂମିରେ ଉନ୍ନତି ଆଣିବା ଲାଗି ରାଜ୍ୟ ସରକାରଙ୍କ ପକ୍ଷରୁ ଓଡ଼ିଶା ପୋଲିସର ମିଳିତ ଆନୁକୂଲ୍ୟରେ ସାରା ଓଡ଼ିଶାରେ ପ୍ରଥମ ପର୍ଯ୍ୟାୟରେ ୧୦୬ଟି ଏମରଜେନ୍ସି ରେସପନ୍ସ ଭେଇକିଲ (ଇଆରଭି)ର ଶୁଭାରମ୍ଭ କରାଯାଇଛି।
ଏହି ନୂଆ ସେବାର ଉଦ୍ଦେଶ୍ୟ ହେଉଛି ନାଗରିକମାନଙ୍କର ଅସୁବିଧା ଗୁଡ଼ିକୁ ଏକ ଅଧିକ ସମନ୍ୱିତ ଢ଼ଙ୍ଗରେ ସମାଧାନ କରିବା। ସୋମବାର କଟକ ସ୍ଥିତ ଓ.ଏସ.ଏ.ପି. ୬ଷ୍ଠ ବାଟାଲିୟନ ଗ୍ରାଉଣ୍ଡ ଠାରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଏହି ୧୦୬ଟି ଏମରେଜେନ୍ସି ରେସପନ୍ସ ଭେଇକିଲ (ଇଆରଭି)ର ଶୁଭାରମ୍ଭ କରିଛନ୍ତି ସ୍ୱତନ୍ତ୍ର ଡିଜି ମନୋଜ ଛାବ୍ରା।
ବିଭିନ୍ନ ଜରୁରୀକାଳୀନ ସେବା ମଧ୍ୟରେ ସମନ୍ୱୟ ସ୍ଥାପନ କରିବା ଓ ବିଭିନ୍ନ ଆବଶ୍ୟକତା ପାଇଁ ଅଲଗା ଅଲଗା ଜରୁରୀକାଳୀନ ନମ୍ବରରେ ଯୋଗାଯୋଗ କରିବାର ଦ୍ୱନ୍ଦକୁ ହ୍ରାସ କରିବାର ଏକ ପ୍ରୟାସ ଭାବେ ଏହି ନୂଆ ପଦକ୍ଷେପ ରାଜ୍ୟର ଲୋକଙ୍କ ପାଇଁ ସାମଗ୍ରିକ ସମାଧାନ ପ୍ରଦାନ କରିବ।
ଏହି ନୂଆ ୧୧୨ ଏମରଜେନ୍ସି ରେସପନ୍ସ ବାହନଗୁଡ଼ିକ ଗୋଟିଏ ପିସିଆର ଭ୍ୟାନ ଭଳି ସମାନ ଭାବେ କାର୍ଯ୍ୟ କରିବ। ଏହାକୁ ଅଧିକ ପ୍ରଭାବଶାଳୀ ଢ଼ଙ୍ଗରେ ପରିଚାଳନା କରିବା ଲାଗି ଭ୍ୟାନଗୁଡ଼ିକୁ ଜିଆଇଏସ ଓ ଜିପିଏସ ଭଳି ଆଧୁନିକ ବ୍ୟବସ୍ଥାରେ ସୁସଜ୍ଜିତ କରାଯାଇଛି। ଏହି ନୂଆ ପ୍ରୟାସ ଦ୍ୱାରା ଅପରାଧ, ବିଶୃଙ୍ଖଳା କାର୍ଯ୍ୟ କିମ୍ବା ଦୁର୍ଘଟଣା ଭଳି ଜରୁରୀକାଳୀନ ପରିସ୍ଥିତିରେ ତୁରନ୍ତ ଓ ପ୍ରଭାବଶାଳୀ ଭାବେ ସହାୟତା ପ୍ରଦାନ କରିବ।

ଆରମ୍ଭ ହେଲା ୧୦୬ଟି ଏମରଜେନ୍ସି ରେସପନ୍ସ ଗାଡ଼ି ସେବା
ସ୍ୱତନ୍ତ୍ର ଡିଜି ମନୋଜ ଛାବ୍ରା' କହିଛନ୍ତି, “ଆମେରିକାର ୯୧୧ ଭଳି ଆମର ଗୋଟିଏ ନମ୍ବର ୧୧୨ରେ ଓଡ଼ିଶାରେ ଜରୁରୀକାଳୀନ ସମୟରେ ପୋଲିସ, ଆମ୍ବୁଲାନ୍ସ ଓ ଅଗ୍ନିଶମ ସେବା ମିଳିବ। ପ୍ରଥମ ପର୍ଯ୍ୟାୟରେ ୧୦୬ଟି ଯାନ ପ୍ରଦାନ କରାଯାଇଛି। ଭୁବନେଶ୍ୱର ଓ କଟକ କମିଶନରେଟ ପୋଲିସ ପାଇଁ ୭ଟି ଲେଖାଏଁ ବାହାନ ପ୍ରଦାନ କରାଯାଇଛି। ସେହିଭଳି ପ୍ରତି ଜିଲ୍ଲା ଓ ପ୍ରମୁଖ ସହର ପାଇଁ ୩ଟି କରି ବାହନ ପ୍ରଦାନ କରାଯାଇଛି। ଦ୍ୱିତୀୟ ପର୍ଯ୍ୟାୟରେ ଆଉ ୧୫୦ଟି ଯାନର ଶୁଭାରମ୍ଭ ଖୁବ୍ ଶୀଘ୍ର କରାଯିବର ବ୍ୟବସ୍ଥା କରାଯାଉଛି। ଏହି ଗାଡ଼ିଗୁଡ଼ିକ ଏକା ସଙ୍ଗେ ତିନି ପ୍ରକାର ଜରୁରୀକାଳୀନ ସେବା ପ୍ରଦାନ କରିବେ।’’
ରାଜ୍ୟରେ ୧୧୨ ଇଆରଭି ପରିଚାଳନା କମ୍ପାନୀ, ଚିକିତ୍ସା ହେଲ୍ଥକେୟାର ଲିମିଟେଡ, ରାଜ୍ୟ ମୁଖ୍ୟ ସବ୍ୟସାଚୀ ବିଶ୍ୱାଳ କହିଛନ୍ତି, “ପୂର୍ବରୁ ଓଡ଼ିଶା ସରକାର ପୋଲିସ, ଅଗ୍ନିଶମ ବାହିନୀ, ଆମ୍ବୁଲାନ୍ସ ଓ ଅନ୍ୟାନ୍ୟ ସେବାଗୁଡ଼ିକୁ ଏମରଜେନ୍ସି ରେସପନ୍ସ ସପୋର୍ଟ ସିଷ୍ଟମ (ଇଆରଏସଏସ) ଅଧୀନକୁ ଆଣିବା ଲାଗି ଏକ ସାମଗ୍ରିକ ଜରୁରୀକାଳୀନ ହେଲପ୍ଲାଇନ ନମ୍ବର ୧୧୨ର ଶୁଭାରମ୍ଭ କରିଛନ୍ତି। ଏହି ନୂଆ ୧୦୬ ଟି ଇଆରଭିର ଶୁଭାରମ୍ଭ ୧୧୨ ସେବାକୁ ଆହୁରି ମଜବୁତ କରିବ। ଏହି ପଦକ୍ଷେପ ଯେକୌଣସି ଜରୁରୀକାଳୀନ ପରିସ୍ଥିତି ଓ ରାଜ୍ୟର ୪.୩ କୋଟି ଜନତାଙ୍କୁ ଠିକ୍ ସମୟରେ ସହାୟତା ପ୍ରଦାନ କରିବା ପାଇଁ କାର୍ଯ୍ୟ କରିବ । ଅନ୍ୟ ଜରୁରୀକାଳୀନ ସେବାଗୁଡ଼ିକ ପରି ଏହି ସେବା ମଧ୍ୟ ରାଜ୍ୟର ସମସ୍ତ ଲୋକଙ୍କ ପାଇଁ ସମ୍ପୂର୍ଣ୍ଣ ମାଗଣା ରହିବ।’’
ଉଦ୍ଘାଟନୀ ଅବସରରେ ସ୍ୱତନ୍ତ୍ର ଡିଜିପି ଅରୁଣ ରାୟ , ଆଡିସ୍ନାଲ ଡିଜି ରାଧା କିଶନ ଶର୍ମା , ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀଙ୍କ ସହ ବହୁ ବରିଷ୍ଠ ପୋଲିସ ଅଫିସର ଉପସ୍ଥିତ ଥିଲେ।