News18 Odia Digital
ଭୁବନେଶ୍ୱର: ବଙ୍ଗୋପସାଗରରେ ଦାନା ବାନ୍ଧୁଛି ଲଘୁଚାପ। ନେଇପାରେ ବାତ୍ୟାର ରୂପ। ତାମିଲନାଡୁ ଓ ପୁଡୁଚେରୀ ଉପକୂଳ ମୁହାଁ ହୋଇ ପ୍ରବଳ ବର୍ଷା କରାଇବ। ରାଜ୍ୟକୁ ନାହିଁ ଡର। ବଙ୍ଗୋପସାଗରରୁ ଜଳୀୟବାଷ୍ପ ପୂର୍ଣ୍ଣ ବାୟୁ ଆସିବା ଯୋଗୁଁ କମିବ ଶୀତ। ସ୍ପଷ୍ଟ କଲା ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର।
ସାମୁଦ୍ରିକ ବାୟୁ ପ୍ରବାହ ଯୋଗୁଁ ବର୍ତ୍ତମାନ ରାଜ୍ୟରେ କମିଛି ଶୀତ। ଆଗକୁ ବଙ୍ଗୋପସାଗରରେ ଆସୁଛି ଆଉ ଏକ ଲଘୁଚାପ। ଫଳରେ ତାପମାତ୍ରା ବୃଦ୍ଧି ପାଇବ ଓ ଶୀତ କମ ଅନୁଭୂତ ହେବ। ଆସନ୍ତା ୪ ତାରିଖରେ ଦକ୍ଷିଣ ଆଣ୍ଡାମାନ ସାଗରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବ। ଏହାର ପ୍ରଭାବରେ ଦକ୍ଷିଣ ପୂର୍ବ ବଙ୍ଗୋପସାର ସଂଲଗ୍ନ ଆଣ୍ଡାମାନ ସାଗରରେ ୫ ତାରିଖରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବ। ଏହା କ୍ରମେ ପଶ୍ଚିମ ଉତ୍ତର ପଶ୍ଚିମ ଦିଗରେ ଗତି କରି ଏହାର ୪୮ ଘଣ୍ଟା ମଧ୍ୟରେ ଅବପାତରେ ପରିଣତ ହେବ। ସେହି ସମାନ ଦିଗରେ ଅର୍ଥାତ୍ ପଶ୍ଚିମ ଉତ୍ତର ପଶ୍ଚିମ ଦିଗରେ ଗତି କରି ଡିସେମ୍ବର ୮ତାରିଖରେ ତାମିଲନାଡୁ ପୁଡୁଚେରୀ ଉପକୂଳ ରେ ପହଞ୍ଚିବ। ଅବାପାତ କ୍ରମେ ଗଭୀର ଅଵପାତ ଓ ବାତ୍ୟାର ରୂପ ନେଇପାରେ। Ecmwf ଓ Gfs ମଡେଲ ଅନୁଯାୟୀ ଏହା ବାତ୍ୟା ର ରୂପ ନେଇପାରେ। ଯଦିଓ ଭାରତୀୟ ପାଣିପାଗ ବିଜ୍ଞାନ କେନ୍ଦ୍ର ବାତ୍ୟା ନେଇ ସ୍ପଷ୍ଟ କରିନାହିଁ କିନ୍ତୁ ଏହା ଅବାପାତ୍ ହେବ ଓ ତାମିଲନାଡୁ ପୁଡୁଚେରୀ ମୁହାଁଇବ ବୋଲି ସ୍ପଷ୍ଟ କରିଛି। ହେଲେ ଓଡ଼ିଶା ଉପରେ ଏହାର ପ୍ରଭାବ ପଡ଼ିବ ନାହିଁ ବୋଲି ସ୍ପଷ୍ଟ କରିଛି ପାଣିପାଗ ବିଭାଗ।
ବର୍ତ୍ତମାନର ସ୍ଥିତି ଅନୁସାରେ ଏହା ଗଭୀର ଅବପାତ ହୋଇପାରେ। କିନ୍ତୁ ପାଣିପାଗ ବାତ୍ୟା ପାଇଁ ଅନୁକୂଳ ରହିଛି। ୪ ତାରିଖ ରେ ଘୂର୍ଣ୍ଣିବଳୟ ସୃଷ୍ଟି ହେଲେ ଚିତ୍ର ସ୍ପଷ୍ଟ ହେବ ବୋଲି ପାଣିପାଗ ବିଶେଜ୍ଞ କହିଛନ୍ତି। ୭ ତାରିଖରେ ଏହା ଅବପାତ ରେ ପରିଣତ ହେବା ପରେ ତାମିଲନାଡୁ ଓ ଆନ୍ଧ୍ର ଉପକୂଳ ମୁହାଁଇବ। ଅଧିକ ଘନୀଭୂତ ହେଲେ ଏହା ଉତ୍ତର ଆନ୍ଧ୍ର ଉପକୂଳ ମୁଁହ ହୋଇପାରେ। ଯଦି ଆନ୍ଧ୍ର ଉପକୂଳ ମୁଁହ ହୁଏ ତେବେ ରାଜ୍ୟ ସାମାନ୍ୟ ବର୍ଷା ପାଇପାରେ। ନଚେତ୍ ଓଡ଼ିଶା ପ୍ରତି ବିପଦ ନାହିଁ ବୋଲି କହିଛନ୍ତି ପାଣିପାଗ ବିଶେଷଜ୍ଞ।
ଆସନ୍ତା ୩ ଦିନ ପର୍ଯ୍ୟନ୍ତ ରାତିର ତାପମାତ୍ରା ଏହିଭଳି ରହିବ। ୩ ଦିନ ୨ ରୁ ୩ ଡିଗ୍ରୀ ପୁଣି ହ୍ରାସ ପାଇବ ରାତିର ତାପମାତ୍ରା। ଲଘୁଚାପ କ୍ଷେତ୍ରଟି ଉପକୂଳ ନିକଟବର୍ତ୍ତୀ ହେବା ସମୟର ଅର୍ଥାତ୍ ୮ ତାରିଖ ବେଳକୁ ତାପମାତ୍ରା ପୁଣି ବୃଦ୍ଧି ପାଇଁ। ପ୍ରଭାବରେ ଶୀତ ପୁଣି କମିବ। ବଙ୍ଗୋପସାଗରରୁ ଉଷ୍ମ ଜଳୀୟବାଷ୍ପ ପୂର୍ଣ୍ଣ ବାୟୁ ଆସିଲେ ରାତିର ତାପମାତ୍ରା ମଧ୍ୟ ବୃଦ୍ଧି ପାଇବ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।