୩୦ ତାରିଖ ଯାଏଁ ତାତିରୁ ନାହିଁ ନିସ୍ତାର; ୭ ଜିଲ୍ଲା ପାଇଁ ଗ୍ରୀଷ୍ମପ୍ରବାହ ନେଇ ୟେଲୋ ଆଲର୍ଟ ଜାରି

ଖରାରେ ସିଝୁଛି ସାରା ଓଡ଼ିଶା। ତା ସାଙ୍ଗକୁ ଅଣାୟତ କରୁଛି ଗ୍ରୀଷ୍ମପ୍ରବାହ ବା ଝାଞ୍ଜି ପବନ। ଅଧିକାଂଶ ସହରର ତାପମାତ୍ରା ୪୨ ରୁ ୪୩ ଡିଗ୍ରୀ ମଧ୍ୟରେ ରହୁଥିବାବେଳେ ଆଭ୍ୟନ୍ତରୀଣ ଓ ଉପକୂଳରେ ଜାରି ରହିଛି ହିଟ ୱେଭ।

୩୦ ତାରିଖ ଯାଏଁ ତାତିରୁ ନାହିଁ ନିସ୍ତାର (ପ୍ରତୀକାତ୍ମକ ଛବି)

୩୦ ତାରିଖ ଯାଏଁ ତାତିରୁ ନାହିଁ ନିସ୍ତାର (ପ୍ରତୀକାତ୍ମକ ଛବି)

  • Share this:
News18 Odia Digital

ଭୁବନେଶ୍ୱର: ଖରାରେ ସିଝୁଛି ସାରା ଓଡ଼ିଶା। ତା ସାଙ୍ଗକୁ ଅଣାୟତ କରୁଛି ଗ୍ରୀଷ୍ମପ୍ରବାହ ବା ଝାଞ୍ଜି ପବନ। ଅଧିକାଂଶ ସହରର ତାପମାତ୍ରା ୪୨ ରୁ ୪୩ ଡିଗ୍ରୀ ମଧ୍ୟରେ ରହୁଥିବାବେଳେ ଆଭ୍ୟନ୍ତରୀଣ ଓ ଉପକୂଳରେ ଜାରି ରହିଛି ହିଟ ୱେଭ।

ଆସନ୍ତା ୩୦ ତାରିଖ ପର୍ଯ୍ୟନ୍ତ ଲାଗି ରହିବ ଏଭଳି ସ୍ଥିତି। ଆସନ୍ତା ୨୪ ଘଣ୍ଟାରେ ୭ ଜିଲ୍ଲାରେ ଗ୍ରୀଷ୍ମପ୍ରବାହ ନେଇ ୟେଲୋ ଆଲର୍ଟ ଜାରି ହୋଇଛି। ଏଣୁ ଘରୁ ବାହାରିବା ସମୟରେ ସତର୍କତା ଅବଲମ୍ବନ କରିବାକୁ ସୂଚନା ରହିଛି। ସେହିଭଳି ଅଂଶୁଘାତ ମୁକାବିଲା ପାଇଁ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଡାକ୍ତରଖାନା କର୍ତ୍ତୃପକ୍ଷ ଙ୍କୁ ନିର୍ଦେଶ ଦିଆଯାଇଛି।

ପ୍ରଚଣ୍ଡ ଖରାରେ ତତଲା କଡେଇ ପାଲଟିଛି ସାରା ଓଡିଶା। ଟାଣ ଖରା ସାଙ୍ଗକୁ ଝାଞ୍ଜି ପବନ ଓ ଗୁଳୁଗୁଳି ସାଧାରଣ ଜନଜୀବନକୁ ଅସ୍ତବ୍ୟସ୍ତ କରୁଛି। ଦିନ ୯ ଟା ପରେ ଘରୁ ବାହାରିବା ମୁସ୍କିଲ ହୋଇଛି। ଉତ୍ତର-ପଶ୍ଚିମ ଓ ପଶ୍ଚିମ ଦିଗରୁ ତତଲା ଶୁଷ୍କ ପବନ ରାଜ୍ୟକୁ ପ୍ରବେଶ କରୁଥିବାରୁ ତାପମାତ୍ରା ବୃଦ୍ଧି ପାଇଛି। ଆସନ୍ତା ୪୮ ଘଣ୍ଟାରେ ଆଭ୍ୟନ୍ତରିଣ ଓଡ଼ିଶାରେ ଆହୁରି ୨ ଡିଗ୍ରୀ ତାପମାତ୍ରା ବୃଦ୍ଧି ପାଇବ । ହେଲେ ଉପକୂଳରେ ୨ ଡିଗ୍ରୀ ହ୍ରାସ ପାଇବ ବୋଲି ପାଣିପାଗ ବିଭାଗ କହିଛି। ଆସନ୍ତା ୨୪ ଘଣ୍ଟାରେ ସୁନ୍ଦରଗଡ, ଝାରସୁଗୁଡା, ସମ୍ବଲପୁର, ସୋନପୁର, ଅନୁଗୁଳ, ଦେଓଗଡ଼, ବୌଦ୍ଧ ଓ ବଲାଙ୍ଗୀରରେ ଗ୍ରୀଷ୍ମପ୍ରବାହ ଜାରି ରହିବା ନେଇ ୟେଲୋ ଆଲର୍ଟ ଜାରି ହୋଇଛି। ଆସନ୍ତା ୫ ଦିନ5 ପର୍ଯ୍ୟନ୍ତ ଆଭ୍ୟନ୍ତରୀଣ ଓଡ଼ିଶାରେ ତାପମାତ୍ରା ୩ ରୁ ୫ ଡିଗ୍ରୀ ଅଧିକ ରହିବ ଓ ଉପକୂଳ ରେ ୨ ରୁ ୩ ଡିଗ୍ରୀ ଅଧିକ ରହିବ।

"ଆସନ୍ତା ୩୦ ତାରିଖ ଯାଏଁ ଏଭଳି ସ୍ଥିତି ଲାଗି ରହିବ। ଆଭ୍ୟନ୍ତରୀଣ ଓ ଉପକୂଳରେ ଅଧିକ ଖରା ଓ ହିଟ ୱେଭ ସ୍ଥିତି ଲାଗି ରହିବ। ଏଣୁ ଲୋକମାନେ ଅଧିକ ସତର୍କ ହୋଇ ରୁହନ୍ତୁ। ଆବଶ୍ୟକ ନଥିଲେ ଘରୁ ବାହାରନ୍ତୁ ନାହିଁ। ବର୍ତ୍ତମାନ ଉତ୍ତର ପଶ୍ଚିମ ଆଡୁ ଗରମ ଓ ଶୁଷ୍କ ପବନ ରାଜ୍ୟକୁ ଆସୁଥିବାରୁ ଏଭଳି ସ୍ଥିତି ରହିଛି," କହିଛନ୍ତି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ନିର୍ଦ୍ଦେଶକ ଏଚ ଆର ବିଶ୍ୱାସ।

ଟାଣ ଖରାକୁ ନେଇ ସତର୍କ କରିଛି ପାଣିପାଗ ବିଭାଗ। ଦିନ ୧୧ ଟା ରୁ ୩ ଟା ଘରୁ ନ ବାହାରିବାକୁ ପରାମର୍ଶ ଦିଆଯାଇଛି। ବିଶେଷ କରି ବୃଦ୍ଧା, ଶିଶୁ ଓ ରୋଗୀମାନେ ଅଧିକ ସତର୍କ ରହିବାକୁ କୁହାଯାଇଛି।  ଜନ ସ୍ଵାସ୍ଥ୍ୟ ନିର୍ଦ୍ଦେଶକଙ୍କ କହିବାନୁଯାୟୀ ବିଶେଷଭାବରେ ଏହି ସମୟରେ ତାପମାତ୍ରା ବଢିଥାଏ। ଏବଂ ଆଗକୁ ମଧ୍ୟ ବଢ଼ିବ ବୋଲି ପୂର୍ବାନୁମାନ ରହିଛି। ତାହା ପୂର୍ବରୁ ଲୋକଙ୍କୁ ସଚେତନ କରାଯାଉଛି। ଖରା ବେଳେ ଘରୁ ନ ବାହାରିବା ପାଇଁ, ଖରା ସମୟରେ କାମ ବନ୍ଦ ରଖିବାକୁ, ପିଇବା ପାଣି, ଛତା ଓ ଓଦା କପଡା ମୁଣ୍ଡରେ ରଖିବା ଉଚିତ। ତେବେ ଏ ପର୍ଯ୍ୟନ୍ତ ଅଂଶୁଘାତରେ କୌଣସି ବ୍ୟକ୍ତି ରାଜ୍ୟରେ ମୃତ୍ୟୁ ଘଟିନାହିଁ। ଅଂଶୁଘାତ ମୁକାବିଲା ପାଇଁ ସମସ୍ତ ଡାକ୍ତରଖାନା କତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ସମସ୍ତ ପ୍ରକାରର ଔଷଧ ରଖିବା ସହ ଚିକିତ୍ସା ଓ ସ୍ୱତନ୍ତ୍ର ଭାବରେ ଶଯ୍ୟା ରଖାଯାଇଛି । ହସ୍ପିଟାଲରେ ଏୟାର କୁଲର, ଫ୍ୟାନ ପ୍ରସ୍ତୁତ କରି ରଖାଯାଇଛି ବୋଲି କହିଛନ୍ତି।

"ଆମ ରାଜ୍ୟରେ ସାଧାରଣତଃ ଏପ୍ରିଲ ଓ ମେ ମାସରେ ଅଧିକ ଖରା ହୁଏ। ଆଗକୁ ବି ଆହୁରି ବଢିବା ନେଇ ପୂର୍ବାନୁମାନ ହେଉଛି। ଏଣୁ ସାଧରଣ ଲୋକମାନେ ସଚେତନ ହୁଅନ୍ତୁ ଓ ନିଜ ସ୍ୱାସ୍ଥ୍ୟ ଓ ସୁରକ୍ଷା ନିଜେ ଧ୍ୟାନ ଦିଅନ୍ତୁ। ଆମେ ମଧ୍ୟ ସମସ୍ତ ଡାକ୍ତରଖାନା କୁ ପ୍ରସ୍ତୁତ ରହିବାକୁ ନିର୍ଦ୍ଦେଶ ଦେଇଛୁ,"ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର।
Published by:Soumya Das
First published: