ବ୍ରହ୍ମପୁର ଖଲ୍ଲିକୋଟ ବିଶ୍ବବିଦ୍ୟାଳୟରେ ଅଧ୍ୟାପକଙ୍କ ମରୁଡ଼ି; ରାତି ଅଧିଆରେ ୫୩ଜଣଙ୍କୁ ଛଟେଇ

ବ୍ରହ୍ମପୁର ଖଲ୍ଲିକୋଟ ଏକକ ବିଶ୍ବବିଦ୍ୟାଳୟରେ ଅଧ୍ୟାପକ ମରୁଡ଼ି। ରାତି ଅଧିଆରେ ୫୩ ଜଣ ଅଧ୍ୟାପକଙ୍କୁ ଛଟେଇ କରାଯାଇଥିବା ଅଭିଯୋଗ।

ବ୍ରହ୍ମପୁର ଖଲ୍ଲିକୋଟ ବିଶ୍ବବିଦ୍ୟାଳୟରେ ଅଧ୍ୟାପକଙ୍କ ମରୁଡ଼ି

ବ୍ରହ୍ମପୁର ଖଲ୍ଲିକୋଟ ବିଶ୍ବବିଦ୍ୟାଳୟରେ ଅଧ୍ୟାପକଙ୍କ ମରୁଡ଼ି

  • Share this:
News18 Odia Digital

ବ୍ରହ୍ମପୁର: ବ୍ରହ୍ମପୁର ଖଲ୍ଲିକୋଟ ଏକକ ବିଶ୍ବବିଦ୍ୟାଳୟରେ ଅଧ୍ୟାପକଙ୍କ ଘୋର ଅଭାବ। ବିଶ୍ବବିଦ୍ୟାଳୟର ୧୮ଟି ବିଭାଗର ଆବଶ୍ୟକ ଥିବା ୮୮ଟି ରିଡ଼ର ଓ ପ୍ରଫେସରଙ୍କ ବଦଳରେ ରହିଛନ୍ତି ମାତ୍ର ୨୨ ଜଣ। ସେପଟେ ୫୩ ଜଣ ଅତିଥି ଅଧ୍ୟାପକଙ୍କୁ ରାତି ଅଧିଆ ଫୋନ ଯୋଗେ ଛେଟେଇ କରାଯାଇଥିବା ନେଇ ଅଭିଯୋଗ ହୋଇଛି।

ଏହାପରେ ତରବରିଆ ବେଆଇନ ସାକ୍ଷାତାକାର କରି ପୁଣି ଥରେ ଫୋନ ଯୋଗେ ନିଯୁକ୍ତି ଦିଆଯିବାକୁ ନେଇ ଏବେ ଉଠିଛି ଅସନ୍ତୋଷ। ସେପଟେ ଏହି ଅଭିଯୋଗକୁ ଖଣ୍ଡନ କରିଛନ୍ତି କୁଳପତି। ବର୍ତ୍ତମାନ ପାଠପଢ଼ା ବିଶ୍ବବିଦ୍ୟାଳୟରେ ଭଲ ଚାଲୁରହିଥିବା ବେଳେ ଖୁବ୍ ଶୀଘ୍ର ଖାଲି ରହିଥିବା ପଦବୀ ପୂରଣ ହେବ ବୋଲି ସେ କହିଛନ୍ତି।

ଦକ୍ଷିଣ ଓଡ଼ିଶାର ସବୁଠାରୁ ବୃହତ୍ତ ବିଶ୍ବବିଦ୍ୟାଳୟ ହେଉଛି ଖଲ୍ଲିକୋଟ ଏକକ ବିଶ୍ବବିଦ୍ୟାଳୟ। ଖଲ୍ଲିକୋଟ କ୍ଳଷ୍ଟର ବିଶ୍ବବିଦ୍ୟାଳୟରୁ ଏକକ ବିଶ୍ବବିଦ୍ୟାଳୟ ହେଲା। କିନ୍ତୁ ଏତେ ବଡ଼ ବିଶ୍ବବିଦ୍ୟାଳୟରେ ଅଧ୍ୟାପକ, ଅଧ୍ୟାପିକାଙ୍କ ମରୁଡ଼ି। କାରଣ ଆବଶ୍ୟକତାରୁ ପ୍ରାୟ ୭୦ ପ୍ରତିଶତ ପଦବୀ ଖାଲି ପଡ଼ି ରହିଛି। ଖଲ୍ଲିକୋଟ ଏକକ ବିଶ୍ବବିଦ୍ୟାଳୟରେ ରହିଛି ୧୮ଟି ବିଭାଗ। ୧୮ଟି ବିଭାଗରେ ମୋଟମୋଟ ୧୧ ଜଣ ପ୍ରଫେସର ଓ ୭୭ ଜଣ ଅଧ୍ୟାପକ ଆବଶ୍ୟକ ରହିଛି। ଏଥିମଧ୍ୟରୁ ମାତ୍ର ଜଣେ ପ୍ରଫେସର, ୨୨ ଜଣ ଅଧ୍ୟାପକ ଓ ୯ ଜଣ ଆଡ଼ହକ୍‌ ଅଧ୍ୟାପକ ରହିଛନ୍ତି।

’’ଅଧ୍ୟାପକଙ୍କ ଘୋର ଅଭାବ ଯୋଗୁଁ ଅନେକ ବିଭାଗରେ ଜଣେ ବି ଅଧ୍ୟାପକ ନଥିବା ନେଇ ଅଭିଯୋଗ ହୋଇଛି। ଏହି ବିଭାଗରେ ପାଠ ପଢ଼ାଉଥିଲେ ୫୩ ଜଣ ଅତିଥି ଅଧ୍ୟାପକମାନେ। ସେମାନଙ୍କୁ ଆସନ୍ତା ୩୧ ପର୍ଯ୍ୟନ୍ତ ରଖିବା ପାଠ ପଢ଼ାଇବାରେ ନିୟୋଜିତ କରିବାକୁ ଉଚ୍ଚ ଶିକ୍ଷା ବିଭାଗ ନିର୍ଦ୍ଦେଶ ଦେଇଥିଲା। କିନ୍ତୁ ରାତି ଅଧିଆ କୌଣସି ପୂର୍ବ ସୂଚନା ନ ଥାଇ ମେ ୧ ତାରିଖରୁ ଛେଟେଇ ନେଇ ସେମାନଙ୍କୁ କେବଳ ଫୋନ ଯୋଗେ କହି ଦିଆଗଲା। ବିନା କାଗଜପତ୍ରରେ କେବଳ ମୌଖିକ ଭାବେ ଏଭଳି କରାଯିବା ନିନ୍ଦନୀୟ,’’ କହିଛନ୍ତି ଖଲ୍ଲିକୋଟ ଏକକ ବିଶ୍ବବିଦ୍ୟାଳୟରୁ ବାହାରିଥିବା ଅତିଥି ଅଧ୍ୟାପକ ବିଭୂତି ଭୂଷଣ ପାତ୍ର।

ଏତେ ବଡ଼ ବିଶ୍ବବିଦ୍ୟାଳୟରେ ଗୋଟିଏ ପଟେ ଅଧ୍ୟାପକଙ୍କ ଅଭାବ ରହିଥିବା ବେଳେ ଅନ୍ୟପଟେ ୫୩ ଜଣ ଅଧ୍ୟାପକିକାଙ୍କୁ ଏଭଳି ବିନା କାରଣରେ ସମୟ ପୂର୍ବରୁ ବାହାର କରିବା ଆଦୌ ଯୁକ୍ତିଯୁକ୍ତ ନୁହେଁ। ଏହାକୁ ନେଇ ଆଜି ଭାରତୀୟ ବିକାଶ ପରିଷଦ ପକ୍ଷରୁ ଖଲ୍ଲିକୋଟ ଏକକ ବିଶ୍ବବିଦ୍ୟାଳୟ ସମ୍ମଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। ଅତିଥି ଅଧ୍ୟାପକଙ୍କୁ ବାହାର କରିବା ପରେ ଛାତ୍ରଛାତ୍ରୀଙ୍କ ପାଠପଢ଼ାରେ ହେଉଥିବା ସମସ୍ୟାକୁ ତୁରନ୍ତ ସମାଧାନ କରିବା ନିମନ୍ତେ ପୁନଃ କିଭଳି ଭାବେ ଅଧ୍ୟାପକ ନିଯୁକ୍ତି ଦିଆଯିବ ସେ ନେଇ ଦୃଷ୍ଟି ଦେବାକୁ ଦାବି କରିଛନ୍ତି, ଭାରତୀୟ ବିକାଶ ପରିଷଦ ସଭାପତି ସୁରେନ୍ଦ୍ର ପାଣିଗ୍ରାହୀ।

୫୩ ଜଣ ଅଧ୍ୟାପକଙ୍କୁ କୌଣସି ଚକ୍ରାନ୍ତ କରି ବାହାର କରାଯାଇଥିବା କଥାକୁ ଖଣ୍ଡନ କରିଛନ୍ତି ଖଲ୍ଲିକୋଟ ବିଶ୍ବବିଦ୍ୟାଳୟର କୁଳପତି। ଅତିଥି ଅଧ୍ୟାପକଙ୍କୁ ଫୋନ ଯୋଗେ ହିଁ ଡ଼କାଯାଇ ନିଯୁକ୍ତି ଦିଆଯାଇଥିଲା। ତେଣୁ ସେମାନଙ୍କୁ ଫୋନ ଯୋଗେ ହିଁ ବାହାର କରି ଦିଆଯାଇଛି।

‘‘ଅଗଷ୍ଟ ୩୧ ପର୍ଯ୍ୟନ୍ତ ନିଯୁକ୍ତି ଅବଧି କେବଳ କଲେଜ ପାଇଁ ଥିବା ବେଳେ ବିଶ୍ବବିଦ୍ୟାଳୟ ପାଇଁ ସେଭଳି କୌଣସି ଅବଧି ନାହିଁ। ବର୍ତ୍ତମାନ କିଛି ବିଭାଗରେ ଅଧ୍ୟାପକଙ୍କ ଆବଶ୍ୟକତା ଥିଲେ ସୁଦ୍ଧା ଛାତ୍ରଛାତ୍ରୀଙ୍କ ପାଠପଢ଼ାରେ କୌଣସି ବ୍ୟାଘାତ ଘଟିନାହିଁ। ତେଣୁ ଆଗାମୀ ଦିନରେ ଖାଲି ରହିଥିବା ଅଧ୍ୟାପକ ପଦବୀ ଖୁବ୍ ଶୀଘ୍ର ପୂରଣ କରାଯିବା ନେଇ ସରକାରଙ୍କୁ ଜଣାଇ ଦିଆଯିବ,’’ କହିଛନ୍ତି ବିଶ୍ବବିଦ୍ୟାଳୟର କୁଳପତି ପ୍ରଫେସର ପ୍ରଫୁଲ୍ଲ କୁମାର ମହାନ୍ତି।

ଖଲ୍ଲିକୋଟ ଏକକ ବିଶ୍ବବିଦ୍ୟାଳୟରୁ ବିନା କୌଣସି ନୋଟିସରେ ଫୋନ ଯୋଗେ ରାତି ଅଧିଆ ଚାକିରୀରୁ ଛଟେଇ କରାଯାଇଥିବା ଯୋଗୁଁ ବିଭିନ୍ନ ମହଲରେ ଘଟଣାକୁ ତୀବ୍ର ନନ୍ଦା କରାଯାଇଥିବା ବେଳେ କିଭଳି ଭାବେ ଖାଲି ପଡ଼ିଥିବା ଅଧ୍ୟାପକ ପଦବୀ ପୂରଣ ହେବ ସେ ନେଇ ଶିକ୍ଷା ବିଭାଗ ଦୃଷ୍ଟି ଦେବା ଏବେ ଜରୁରୀ ହୋଇପଡ଼ିଛି।
Published by:Lipina Das
First published: