News18 Odia Digital
ଭୁବନେଶ୍ୱର: ମଡେଲିଂରେ ସୁଯୋଗ ଦେବାକୁ କହି ୧୮ ଜଣଙ୍କୁଠାରୁ ୮୦ହଜାର ଟଙ୍କା ହଡ଼ପ କରିନେଇଛି ଜଣେ ଯୁବକ। ଏଭଳି ଘଟଣା ଘଟିଛି ରାଜ୍ୟ ରାଜଧାନୀ ଭୁବନେଶ୍ୱରରେ। ଏନେଇ ଯୁବକଙ୍କ ନାମରେ ଥାନାରେ ଅଭିଯୋଗ ହୋଇଛି।
ମଡେଲିଂରେ ସୁଯୋଗ ଦେବାକୁ କହି ୮୦ହଜାର ଟଙ୍କା ଠକି ନେଇଥିବା ଯୁବକ ଜଣଙ୍କର ନାମ ହେଉଛି ଅବିନାଶ ରାଉତ । ସେ ନିଜକୁ ଜଣେ ନିର୍ଦ୍ଦେଶକ ଭାବେ ପରିଚୟ ଦେଇଥିଲେ ।
ଅବିନାଶ ନାମରେ ଶନିବାର ନୟାପଲି ଥାନାରେ ଭୀମଟାଙ୍ଗି ଅଞ୍ଚଳର ଅନୁପ୍ରିୟା ଚାନ୍ଦ ନାମ୍ନୀ ଜଣେ ଯୁବତୀ ଲିଖିତ ଅଭିଯୋଗ କରିଛନ୍ତି । ଦୀର୍ଘଦିନ ଧରି ଅବିନାଶ ମଡ଼େଲିଂରେ ସୁଯୋଗ ଦେବାକୁ ଟଙ୍କା ନେବାପରେ ଆଉ ଧରାଛୁଆଁ ଦେଉ ନଥିବା ହରପ୍ରିୟା ଅଭିଯୋଗ କରିଛନ୍ତି ।
"ମୋର ମଡେଲିଂରେ ରୁଚି ରହିଛି। ଏଥିପାଇଁ ଜଣେ ସମ୍ପର୍କୀୟଙ୍କ ସଂସ୍ପର୍ଶରେ ଅବିନାଶଙ୍କ ସହ ପରିଚିତ ହୋଇଥିଲି । ସେ ନିଜକୁ ଜଣେ ନିର୍ଦ୍ଦେଶକ ଭାବେ ପରିଚୟ ଦେଇଥିଲେ । ବମ୍ବେରେ ବଡ଼ ବଡ଼ କଳାକାରଙ୍କ ସହ ତାଙ୍କର ସମ୍ପର୍କ ଥିବା କହିଥିଲେ । ଏପରିକି ତାଙ୍କ ମୋବାଇଲ ବଲିଉଡର ବହୁ କଳାକାରଙ୍କ ସହ ଫଟୋ ଦେଖିଥିଲି । ପରେ ମୋତେ ଏକ ବିଜ୍ଞାପନରେ ସୁଯୋଗ ଦେବାକୁ କହିଥିଲେ । ଏଥିପାଇଁ ୧୮ ଜଣ ଯୁବକ ଯୁବତୀ ଯେଉଁମାନେ ମଡେଲିଂରେ ରୁଚି ଥିବ ଏକାଠି କରିବାକୁ କହିଥିଲେ। ମୁଁ ୧୦ଜଣ ଯୁବତୀ ଓ ୮ ଜଣ ଯୁବକଙ୍କୁ ଏକାଠି କରିଥିଲି । ପରେ ଆମଠାରୁ ସେ ବିଭିନ୍ନ ଉପାୟରେ ୮୦ହଜାର ଟଙ୍କା ନେଇଯାଇଛନ୍ତି," କହିଛନ୍ତି ଅନୁପ୍ରିୟା ଚାନ୍ଦ।

ଅନୁପ୍ରିୟା ଚାନ୍ଦ ଥାନାରେ ଅଭିଯୋଗ କରିଛନ୍ତି (ପ୍ରତୀକାତ୍ମକ ଛବିି)
ଟଙ୍କା ପାଇବା ପରେ ବାରମ୍ବାର ଫୋନ କରିବା ପରେ ଅବିନାଶ ଫୋନ ରିସିଭ ମଧ୍ୟ କରୁନଥିବା ଅଭିଯୋଗ ହୋଇଛି । ବାରମ୍ବାର ଫୋନ କରିବାରୁ ଏକ ଲକ୍ଷ ୮୦ ହଜାର ଟଙ୍କାର ଏକ ଫେକ ଟ୍ରାଞ୍ଜକସନ ପଠାଇ ଚୁପ ରହିଥିଲା । ପରେ ବାଧ୍ୟ ହୋଇ ପୋଲିସର ଦ୍ୱାରସ୍ଥ ହୋଇଥିବା ଅଭିଯୋଗ ପତ୍ରରେ ଉଲ୍ଲେଖ କରିଛନ୍ତି ଅନୁପ୍ରିୟା ।
ସେପଟେ ରାଜଧାନୀ ଭୁବନେଶ୍ବରରେ ଏବେ ଅଭିନବ ଉପାୟର ଠକେଇ ଚାଲିଛି। କେତେବେଳେ ଚାକିରି ଦେବା ନାମରେ ଠକେଇ ହେଉଛି ତ ଆଉ କେତେବେଳେ ଫିଲ୍ମରେ କାମ ଦେବାକୁ କହି ପଇସା ନେଇଯାଉଛନ୍ତି। ଏଭଳି ଅଭିଯୋଗ ବାରମ୍ବାର ଆସୁଥିବାରୁ ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ କହିଛନ୍ତି, "ଲୋକେ ସଚେତନ ହେବା ଆବଶ୍ୟକ । ଠକେଇର ତରିକା ବଦଳୁଛି। ପ୍ରତିଦିନ ଭିନ୍ନ ଭିନ୍ନ ତରିକାରେ ହେଉଥିବା ଠକେଇର ଅଭିଯୋଗ ଥାନାମାନଙ୍କର ରୁଜ୍ଜୁ ହେଉଛି। ପୋଲିସ ତଦନ୍ତ କରିବ। ହେଲେ ଲୋକେ ନିଜେ ସଚେତନ ହେବା ଆବଶ୍ୟକ ।"
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।