News 18 Odia Digital
ଭୁବନେଶ୍ୱର: ରାଜ୍ୟ ରାଜଧାନୀ ସହିଦନଗର ଥାନା ପରିସରରେ ଯୁବକଙ୍କ ସନ୍ଦେହ ଜନକ ମୃତ୍ୟୁକୁ (Death) ନେଇ ରହସ୍ୟ ବଢ଼ିବାରେ ଲାଗିଛି । ଫୋନରେ କଥା ହେଉଥିବା ବେଳେ କିଭଳି ଯୁବକ ପଡିଯାଇ ମୃତ୍ୟୁ ବରଣ କଲେ ତାର ତଦନ୍ତ (Investigation ) କରୁଛି ପୋଲିସ। ଥାନା ପରିସରରେ ମୃତ୍ୟୁ ହୋଇଥିବାରୁ NHRC ଗାଇଡ଼ ଲାଇନ ଅନୁସାରେ ତଦନ୍ତ ଚାଲିଥିବା ବେଳେ ଦୁଇଜଣଙ୍କୁ ଗିରଫ କରିଛି ସହିଦନଗର ଥାନା ପୋଲିସ (Police)।
ଗୁରୁବାର ରାତି ୯ଟା ୨୩ ସମୟରେ ୩ ଜଣ ଯୁବକ ଏକ ବାଇକରେ ସହିଦନଗର ଥାନା ଭିତରକୁ ଆସିଥିଲେ । ବାଇକରେ ଆସିଥିବା ଜଣେ ଯୁବକ ମୋବାଇଲ ଫୋନରେ କଥା ହେଉଥିଲେ । ପରେ ଅସୁସ୍ଥତା ଅନୁଭବ କରି ତଳେ ପଡ଼ିଗଲେ। ପୋଲିସ ଯୁବକକୁ ଉଦ୍ଧାର କରି କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରିଥିଲା । ସେଠାରେ ଡାକ୍ତର ଉକ୍ତ ଯୁବକଙ୍କୁ ମୃତ ଘୋଷଣା କରିଥିଲେ । ସିସିଟିଭିରେ କଏଦ ହୋଇଥିବା ପୂରା ଘଟଣା ସହିଦନଗର ଥାନା ପରିସରର ଚିତ୍ର ହୋଇଥିବା ଜଣାପଡିଛି ।
ଏହି ଖବର ପଢ଼ନ୍ତୁ -
http://'ମାଧ୍ୟମର' ନିଆରା ପ୍ରୟାସ; ଆପୋଷ ବୁଝାମଣାରେ ସମସ୍ୟାର ସମାଧାନମୃତ ଯୁବକଙ୍କ ପରିଚୟ ମିଳିଥିବାବେଳେ ସେ ମଞ୍ଚେଶ୍ୱର ଥାନା ଗାଡ଼କଣ ଅଞ୍ଚଳର ବୀଚିତ୍ର ପଲେଇ ବୋଲି ଜଣାପଡିଛି । ସେ ଜଣେ ମିଠା ବ୍ୟବସାୟୀ । ଭୁବନେଶ୍ୱର ଡିସିପି କହିଛନ୍ତି, ସ୍ଥାନୀୟ ଅଞ୍ଚଳର ବଟକୃଷ୍ଣ ବେହେରା ଓ ନେତ୍ରମଣୀ ବେହେରାଙ୍କ ଠାରୁ ଟଙ୍କା ଧାର ନେଇଥିଲେ ବିଚିତ୍ର । ଟଙ୍କା ନ ଫେରେଇବାରୁ ଗତକାଲି ଉଭୟ ବିଚିତ୍ରଙ୍କୁ ଅପହରଣ କରିଥିଲେ । ପରେ ବାଣୀବିହାର ନିକଟରେ ଗାଡି ସ୍ଲୋ ହେବାରୁ ଖସିବାକୁ ଉଦ୍ୟମ କରିଥିଲେ ବିଚିତ୍ର । ଅଭିଯୁକ୍ତମାନେ ଧରିବା ପାଇଁ ଗୋଡେଇଲେ । ପରେ ସେଠାରେ ଠେଲା ପେଲା ହୋଇଥିବା କଥା ପୋଲିସ କହିଛି । ସ୍ଥାନୀୟ ଲୋକେ ବିଚିତ୍ରଙ୍କୁ ବାଇକରେ ଆଣିଥିଲେ। ପରେ ଥାନାକୁ ଆସିବା ପରେ ସେ ଫୋନରେ କଥା ହେଉଥିବା ବେଳେ ଟଳି ପଡିଲେ ।
ଥାନା ପରିସରରେ ଯୁବକଙ୍କ ମୃତ୍ୟୁ ହୋଇଥିବାରୁ ଘଟଣା ପୋଲିସର ମୁଣ୍ଡ ବିନ୍ଧାର କାରଣ ସାଜିଛି । NHRC ଗାଇଡ଼ଲାଇନକୁ ଅନୁସରଣ କରି ତଦନ୍ତ କରୁଛି ପୋଲିସ । ଡିସିପି କହିଛନ୍ତି ଜଣେ ଏକଜୁକେଟିଭ ମାଜିଷ୍ଟ୍ରେଟଙ୍କ ସମ୍ମୁଖରେ ବ୍ୟବଚ୍ଛେଦ କରାଯିବ । ବ୍ୟବଚ୍ଛେଦର ସମ୍ପୂର୍ଣ୍ଣ ଭିଡ଼ିଓ ରେକର୍ଡ଼ିଂ କରାଯିବ । ତଦନ୍ତ ଦାୟିତ୍ୱ ଜଣେ ଏସିପି ରାଙ୍କ ଅଧିକାରୀ କରିବେ । ଘଟଣାରେ ସହିଦନଗର ଥାନା ପୋଲିସ ବଟକୃଷ୍ଣ ବେହେରା ଓ ନେତ୍ରମଣୀ ବେହେରାଙ୍କୁ ଗିରଫ କରିଛି । ସେମାନଙ୍କ ବିରୁଦ୍ଧରେ IPC ଦଫା 341, 323, 365, 302, ରେ ମାମଲା ରୁଜୁ ହୋଇଛି । ପ୍ରତ୍ୟକ୍ଷଦର୍ଶୀଙ୍କ ବୟାନ ମଧ୍ୟ ରେକର୍ଡ ହୋଇଛି।
ଘଟଣା ପଛରେ ଟଙ୍କା କାରବାର ହୋଇଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି । କେତେ ଟଙ୍କାର କାରବାର ହୋଇଛି ତାହା ଜଣାପଡିନି । ସେପଟେ ଅନ୍ୟ କିଛି କାରଣ ରହିଛି କି ନାହିଁ ସେନେଇ ତଦନ୍ତ ଚାଲିଛି । ଅଭିଯୁକ୍ତମାନଙ୍କଠାରୁ ଏକ କାର ମଧ୍ୟ ଜବତ ହୋଇଛି । ଏହି ଘଟଣାରେ ଆଉ କାହାର ସମ୍ପୃକ୍ତି ରହିଛି କି ନାହିଁ ତାର ତଦନ୍ତ କରୁଛି ପୋଲିସ । ଯଦି ଆଉ କୌଣସି ବ୍ୟକ୍ତିଙ୍କ ବିରୁଦ୍ଧରେ ସମ୍ପୃକ୍ତି ସାମ୍ନାକୁ ଆସେ ତାଙ୍କୁ ମଧ୍ୟ ଗିରଫ କରାଯିବ ବୋଲି ଡିସିପି କାର୍ଯ୍ୟାଳୟ ପକ୍ଷରୁ ସୂଚନା ମିଳିଛି ।
Published by:Soubhagya Mishra
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।