News18 Odia Digital
ଭୁବନେଶ୍ୱର: ଜମୁଛି ଖଦି ହାଟ। ବିଭିନ୍ନ ଜିଲ୍ଲାରୁ ଆସିଥିବା ବୁଣାକାର ଓ କ୍ଷୁଦ୍ର ଶିଳ୍ପୋଦ୍ୟୋଗୀମାନେ ନିଜର ପସରା ମେଲାଇଛନ୍ତି ଏହି ହାଟରେ। ଭୁବନେଶ୍ୱରର ଖାରବେଳନଗରସ୍ଥିତ ଖଦି ଓ ଗ୍ରାମଦ୍ୟୋଗ ପଡ଼ିଆରେ ଚାଲିଛି ଖଦି ଓ ଗ୍ରାମଦ୍ୟୋଗ ପ୍ରଦର୍ଶନୀ, ବିକ୍ରୟ ମେଳା ୨୦୨୨ । କୋଭିଡ଼ କାରଣରୁ ଗତ ୨ବର୍ଷ ଧରି ଆୟୋଜିତ ହୋଇ ପାରୁ ନ ଥିଲା ଏହି ଖଦି ହାଟ । ତେଣୁ ଏଥର ହାଟକୁ ନେଇ ଉଭୟ ବ୍ୟବସାୟୀ ଓ ଗ୍ରାହକ ବେଶ୍ ଉତ୍ସାହିତ । ଏଥର ଏହି ହାଟରେ ୪୦ଟି ଷ୍ଟଲରେ ବିଭିନ୍ନ ସାମଗ୍ରୀ ପ୍ରଦର୍ଶିତ ହୋଇଛି ।
ରାଜ୍ୟ ଖଦି ଓ ଗ୍ରାମଉଦ୍ୟୋଗ ବୋର୍ଡ଼ ସଭାପତି ସଂଗ୍ରାମ କେଶରୀ ପାଇକରାୟଙ୍କ ସୂଚନା ଅନୁସାରେ, ୨ ବର୍ଷ ବ୍ୟବଧାନରେ ଏହି ହାଟ ଆୟୋଜନ ହୋଇଥିବାରୁ ଅନେକ ଖଦି ପ୍ରେମୀ ଗ୍ରାହକ ଏହି ହାଟରୁ ବିଭିନ୍ନ ସାମଗ୍ରୀ କ୍ରୟ କରୁଥିବା ଦେଖିବାକୁ ମିଳୁଛି। ଗତ ୧୪ ତାରିଖରୁ ଆରମ୍ଭ ହୋଇଥିବା ଏହି ଖଦି ହାଟ ଆସନ୍ତା ୨୩ ତାରିଖ ପର୍ଯ୍ୟନ୍ତ ଚାଲିବ।

ଭୁବନେଶ୍ୱରରେ ଜମୁଛି ଖଦି ହାଟ (ପ୍ରତୀକାତ୍ମକ ଛବି)
ରାଜ୍ୟ ଖଦି ବୋର୍ଡ଼ର ସୂଚନା ଅନୁସାରେ, ଖଦି କେବଳ ଏକ ବସ୍ତ୍ର ନୁହେଁ, ଏହା ବାସ୍ତବରେ ଏକ ବିଚାରଧାରା । “ଖଦି ପିନ୍ଧନ୍ତୁ ସୁସ୍ଥ ରୁହ୍ନ୍ତୁ” ଏଭଳି ନାରା ନେଇ ଆରମ୍ଭ ହୋଇଛି ଏହି ଖଦି ହାଟ। ଏହି ହାଟରେ ରାଜ୍ୟର ବିଭିନ୍ନ ଜିଲ୍ଲାର ମୋଟ ୪୦ଟି ଷ୍ଟଲ ପ୍ରଦର୍ଶିତ ହୋଇଛି। ବିଭିନ୍ନ ପ୍ରକାରର ଖଦି ବସ୍ତ୍ର, ସାଲ, ଜ୍ୟାକେଟ୍, ମସଲା, ଆଚାର, ହସ୍ତଶିଳ୍ପ, ଅଗରବତୀ, ସିଙ୍ଘ ତିଆରି ଜିନିଷ, ଘଣା ତେଲ, ଫିନାଇଲ, ଡ଼ିଟରଜେଣ୍ଟ ଆଦି ସାମଗ୍ରୀ ଉପଲବ୍ଧ ରହିଛି । ସବୁଠାରୁ ବଡ଼ କଥା ହେଲା ଆଜିର ଯୁବପିଢ଼ି ଅଧିକରୁ ଅଧିକ ସଂଖ୍ୟାରେ ବିଭିନ୍ନ ପ୍ରକାର ଖଦି ତିଆରି ବସ୍ତ୍ର ପ୍ରତି ଆକୃଷ୍ଟ ହେଉଛନ୍ତି,"କହିଛନ୍ତି ଉତ୍କଳ ଖଦି ମଣ୍ଡଳ ସଭାପତି ବୈଷ୍ଣବ ଚରଣ ଦାସ।
ଏହି ହାଟକୁ ମେୟର ସୁଲୋଚନା ଦାସ ଓ ବିଧାୟକ ଅନନ୍ତନାରାୟଣ ଜେନା ଉଦ୍ଘାଟନ କରିଥିଲେ। ମେୟର ସୁଲୋଚନା ଦାସ କହିଛନ୍ତି," ଖଦି ଶୁଦ୍ଧତାର ପ୍ରତୀକ। ଦିନକୁ ଦିନ ଖଦି ତିଆରି ସାମଗ୍ରୀର ଆଦର ବଢୁଛି। ଇଂରେଜ ଶାସନ ବେଳେ ମହାତ୍ମାଗାନ୍ଧୀ ଚରଖାରେ ଖଦି ବସ୍ତ୍ର ଆନ୍ଦୋଳନ ଆରମ୍ଭ କରି ଇଂରେଜକୁ ତଡ଼ିବାରେ ସଫଳ ହୋଇଥିଲେ । ଭଲ କଥା ହେଉଛି ଗାଁରୁ ସହର ଓ ଡ଼ିଜିଟାଲ ମାଧ୍ୟରେ ଖଦି ବସ୍ତ୍ରର ପ୍ରଚାର ଓ ପ୍ରସାର ହୋଇପାରୁଛି ଯାହା ଖଦି ପ୍ରତି ବିଭିନ୍ନ ବର୍ଗର ଲୋକଙ୍କୁ ଆକର୍ଷିତ କରି ପାରୁଛି" ।
ଖଦି ହାଟରେ ଷ୍ଟଲ କରିଥିବା ଦେବରାଜ ସାହୁ କହିଛନ୍ତି,"ଶେଷଥର ପାଇଁ ୨୦୧୯ ମସିହାରେ ଅନୁଷ୍ଠିତ ହୋଇଥିଲା ଖଦି ହାଟ। ୨ ବର୍ଷ ବ୍ୟବଧାନରେ ଏହା ଆରମ୍ଭ ହୋଇଥିବାରୁ ଆମେ ଉତ୍ସାହିତ। ଏଥର ଷ୍ଟଲ ସଂଖ୍ୟା ୪୦ ଭିତରେ ସୀମିତ ରହିଥିଲେ ବି ପ୍ରଥମ ଦୁଇ ଦିନରେ ଭଲ ବ୍ୟବସାୟ ହୋଇଛି"।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।