News 18 Odia Digital
ଢେଙ୍କାନାଳ; ଯୋରନ୍ଦା (Joronda) ମହିମାଗାଦୀରେ ଆରମ୍ଭ ହୋଇଛି ୧୪୭ ତମ ବିଶ୍ୱ ପ୍ରସିଦ୍ଧ ମାଘ ମେଳା । ସେଥିପାଇଁ ବେଶ୍ ଚଳଚଞ୍ଚଳ ରହିଛି ମହିମା ଧର୍ମର ଉତ୍ପତ୍ତିସ୍ଥଳ ଯୋରନ୍ଦା ମହିମାଗାଦୀ। ଗାଦୀ ମନ୍ଦିର ଓ ଜ୍ୟୋତି ମନ୍ଦିରରେ ଦୁଇ ଦିନ ଧରି ଜଳିବ ଝାଡ ଦୀପ। ବିଶ୍ୱ କଲ୍ୟାଣ ଉଦ୍ଦେଶ୍ୟରେ ୫୬ କୋଟି ଜୀବଜଗତର ମଙ୍ଗଳକାମନା କରି ମହିମା ସାଧୁଙ୍କ ଦ୍ୱାରା ଏହି ଝାଡ ଦୀପ ପ୍ରଜ୍ୱଳନ କରାଯିବ ।
ଦୁଇ ବର୍ଷର ବ୍ୟବଧାନ ପରେ ଯୋରନ୍ଦା ମହିମାଗାଦୀରେ ପୂର୍ଣାଙ୍ଗ ମାଘମେଳା ଅନୁଷ୍ଠିତ ହେଉଛି। ସେଥିପାଇଁ ଲୋକାରଣ୍ୟ ହୋଇ ଉଠିଛି ଯୋରନ୍ଦା ମହିମାଗାଦୀ। ଶୂନ୍ୟ ମହାପ୍ରଭୂଙ୍କ ଉପାସନା ପାଇଁ ମହିମାଗାଦୀରେ ହଜାର ହଜାର ସଂଖ୍ୟାରେ ଉଭୟ କୌପୁନୀଧାରୀ ଓ ବକଳଧାରୀ ସାଧୁସନ୍ଥଙ୍କ ଭିଡ ପରିଲକ୍ଷିତ ହୋଇଛି । ମାଘ ମେଳାର ପ୍ରଥମ ଦିନକୁ ମାଘ ଚତୁର୍ଦ୍ଦଶୀ ଓ ଦ୍ୱିତୀୟ ଦିନକୁ ମାଘ ପୂର୍ଣ୍ଣିମା ତଥା ବାବା ପୂର୍ଣ୍ଣିମା ଭାବରେ ପାଳନ କରାଯାଇଥାଏ ।
ଚଳିତ ବର୍ଷ ୧୦ଲକ୍ଷ ଭକ୍ତଙ୍କ ଆଗମନକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ଓ ଯୋରନ୍ଦା ପଞ୍ଚାୟତ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି। ଗାଦୀ ମନ୍ଦିରକୁ ପ୍ରବେଶ ପାଇଁ ସ୍ୱତନ୍ତ୍ର ବ୍ୟାରିକେଟ ପ୍ରସ୍ତୁତ କରାଯାଇଛି। ସାଧାରଣ ଭକ୍ତ ଓ ସାଧୁସନ୍ଥଙ୍କ ପାଇଁ ଅଲଗା ଅଲଗା ଦ୍ୱାର ଦେଇ ପ୍ରବେଶ କରୁଥିବା ବେଳେ ଅନ୍ୟ ତିନି ଦ୍ୱାର ଦେଇ ପ୍ରସ୍ଥାନ ପାଇଁ ବ୍ୟବସ୍ଥା କରାଯାଇଛି।
ଦୁଇବର୍ଷ ଧରି ମହାମାରୀ କୋରୋନା କଟକଣା ପାଇଁ ଯୋରନ୍ଦା ମହିମାଗାଦୀରେ ମାଘ ମେଳା ଆଡମ୍ବରରେ ହୋଇ ପାରିନଥିଲା।ଚଳିତ ବର୍ଷ କଟକଣା ହଟିଥିବାରୁ ପ୍ରଶାସନର ଅନୁମତି କ୍ରମେ ଏହି ମେଳାକୁ ଅତି ଯାକଯମକରେ ପାଳନ କରାଯାଉଛି।ସେଥିପାଇଁ ଭକ୍ତ ଓ ସାଧୂଙ୍କ ଭିତରେ ଯଥେଷ୍ଟ ଆଗ୍ରହ ଓ ଉତ୍ସାହ ଦେଖିବାକୁ ମିଳିଛି।
"ଓଡିଶାର ନିଜସ୍ୱ ଧର୍ମ ହେଉଛି ମହିମା ଧର୍ମ। ଢେଙ୍କାନାଳ ଯୋରନ୍ଦା ମହିମାଗାଦୀରୁ ଏହି ଧର୍ମର ପ୍ରଚାର ପ୍ରସାର ଆରମ୍ଭ ହୋଇ ଏବେ ଏହା ସାରା ବିଶ୍ୱକୁ ବ୍ୟାପିଛି। ପ୍ରତ୍ୟେକ ବର୍ଷ ଏହି ମାଘମେଳାରେ ଆସାମ , ବିହାର , ଛତିଶଗଡ ପଶ୍ଚିମବଙ୍ଗ , କଲିକତା , ମଧ୍ୟପ୍ରଦେଶ ଆନ୍ଧ୍ରପ୍ରଦେଶ ଭଳି ସ୍ଥାନ ମାନଙ୍କରୁ ସାଧୁସନ୍ଥ ମାନେ ଆସି ମାଘମେଳାରେ ଯୋଗ ଦେଇଥାନ୍ତି ।ଚଳିତ ବର୍ଷ ପୁଣିଥରେ ପୂର୍ଣାଙ୍ଗ ମାଘମେଳା ହେଉଥିବାରୁ ସମସ୍ତ ମହିମା ସାଧୁ ଖୁସି ପ୍ରକଟ କରିଛନ୍ତି ବୋଲି କହିଛନ୍ତି କୌପୁନୀଧାରୀ ମହିମା ସାଧୁ ବାବା ରଘୁନାଥ ଦାସ।"
କୌପୁନୀଧାରୀ ମହିମା ସମାଜର ସାଧୁମାନେ ଗାଦୀ ପରିସରରେ ଥିବା ଜ୍ୟୋତୀ ମନ୍ଦିର ପରିସରରେ ଅଖଣ୍ଡ ଧୁନୀ ଓ ଝାଡ ଦୀପ ଲଗାଇ ଭଜନଜଣାଣ କରୁଥିବା ବେଳେ ବକଳଧାରୀ ମହିମା ସାଧୁମାନେ ଗାଦୀ ମନ୍ଦିରରେ ସେମାନଙ୍କ ନିତୀକାନ୍ତି ସହ ଝାଡ ଦୀପ ଜଳାଉଛନ୍ତି। ଉଭୟ ଗୋଷ୍ଠୀର ମହିମା ସନ୍ନାସୀଙ୍କ ଦ୍ୱାରା ବିଶ୍ୱ କଲ୍ୟାଣ ଉର୍ଦ୍ଦେଶ୍ୟରେ ମହଣ ମହଣ ଘିଅରେ ଏହି ଝାଡ ଦୀପ ପ୍ରଜଳନ କରାଯାଉଛି।
"ଦୁଇ ବର୍ଷ ବ୍ୟବଧାନରେ ମାଘମେଳା ହେଉଥିବାରୁ ଭିଡକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ଓ ପୋଲିସ ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ କରାଯାଇଛି। ସ୍ୱତନ୍ତ୍ର ଟ୍ରାଫିକ ବ୍ୟବସ୍ଥା ସହ ଶୃଙ୍ଖଳିତ ଦର୍ଶନ ପାଇଁ ପାଞ୍ଚ ପ୍ଲାଟୁନ ପୋଲିସ ଫୋର୍ସ ମଧ୍ୟ ମୃତୟନ କରାଯାଇଛି ବୋଲି କହିଛନ୍ତି ଢେଙ୍କାନାଳ ଜିଲ୍ଲାପାଳ ସରୋଜ କୁମାର ସେଠୀ।"
ଏହି ଖବର ପଢ଼ନ୍ତୁ -
http://ଯାଜପୁରରେ ସଡକ ଦୁର୍ଘଟଣା; ବିଂଝାରପୁର ପୂର୍ବତନ ବିଧାୟକଙ୍କ ମୃତ୍ୟୁନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।