News18 Odia Digital
କଟକ: କଟକର କୃଷକ ବଜାର ଅଞ୍ଚଳରେ ବୁଧବାର ସକାଳୁ ସକାଳୁ ଏକ ଚାଞ୍ଚଲ୍ୟକର ଘଟଣା ଦେଖବାକୁ ମିଳିଛି । ବଜାରକୁ ଲାଗି କରିଥିବା ପାଣି ଟାଙ୍କି ନିକଟରୁ ସନ୍ଦିଗ୍ଧ ଅବସ୍ଥାରେ ଜଣେ ଅପରିଚିତ ମହିଳାଙ୍କ ମୃତଦେହ ଉଦ୍ଧାର କରିଛି ପୋଲିସ । ମହିଳା ଜଣଙ୍କ ବୟସ ପାଖାପାଖି ୩୦ ବର୍ଷ ହୋଇଥିବା ବେଳେ ସେ ସ୍ଥାନୀୟ ଅଞ୍ଚଳର ବାସିନ୍ଦା ହୋଇନଥିବା କୁହାଯାଉଛି ।
ବଡ଼ କଥା ହେଉଛି କି ୮୦ ଫୁଟ ଉଚ୍ଚତା ବିଶିଷ୍ଟ ପାଣି ଟାଙ୍କି ଉପରେ ଏକ ଲେଡିଜ୍ ଚପଲ ସହିତ ଏକ ଲେଡିଜ୍ ପର୍ସ ଓ ଏକ କିଟନାଶକ ଡ଼ବା ମିଳିଛି । ତେବେ ମହିଳା ଜଣଙ୍କ କିଟନାଶକ ପାନ କରି ପାଣି ଟାଙ୍କିରୁ ତଳକୁ ଡେଇଁ ଆତ୍ମହତ୍ୟା କରିବା କଥା ଅନୁମାନ କରାଯାଉଛି । କିନ୍ତୁ ପରିପାର୍ଶ୍ବିକ ସ୍ଥିତି ଓ ମୃତ ଦେହ ପଡ଼ିଥିବା ସ୍ଥାନରୁ ମଦ ବୋତଲ ସହିତ ସେଠାରେ ଏକ ବାଇକର ଟାୟାର ଚିହ୍ନ ମିଳିବା ପରେ ଏହା ଏକ ସୁଚିନ୍ତିତ ହତ୍ୟାକାଣ୍ଡ ହୋଇ ଥାଇ ପାରେ ବୋଲି ସନ୍ଦେହ କରୁଛନ୍ତି ସ୍ଥାନୀୟ ବାସିନ୍ଦା ।
"ଆତ୍ମହତ୍ୟା କି ହତ୍ୟାକାଣ୍ଡ ତାହା ଦ୍ୱନ୍ଦର ବିଷୟ। ପାଖରେ ମଦ ବୋତଲ ମିଳିବା, ଡେଡବଡ଼ିକୁ ଲାଗି କରି ଏକ ବାଇକର ଟାୟାର ଚିହ୍ନ ମିଳିବା ହତ୍ୟା ଦିଗକୁ ଇଙ୍ଗିତ କରୁଛି । ତେବେ ପ୍ରକୃତ ତଦନ୍ତ ହେଲେ ସତ୍ୟା ସତ୍ୟ ବାହାରକୁ ଆସିବ," କହିଛନ୍ତି ଛତ୍ରବଜାର ବ୍ୟବସାୟୀ ସଂଘର ସମ୍ପାଦକ ନିରଞ୍ଜନ ସେଠୀ ।
ତେବେ ମହିଳାଙ୍କ ମୃତ୍ୟର କାରଣ ଜଣା ପଡ଼ିନଥିବା ବେଳେ ପାଣି ଟାଙ୍କି ଉପରେ ଅନ୍ୟ ସାମଗ୍ରୀ ସହିତ ଏକ ହାତ ଲେଖା ଚିଠିକୁ ମଧ୍ୟ ଜବତ କରିଛି ପୋଲିସ । ସେହି ଚିଠିରେ ମାନସିକ ଅବସାଦ ଭାରା ଅନେକ କିଛି କଥା ଲେଖାଯାଇଥିବା ସହ ଏହା ମଧ୍ୟ ଲେଖା ଯାଇଛି କି " ମୁଁ ଭଗବାନ କୃଷ୍ଣଙ୍କ ପାଖକୁ ଯିବାକୁ ଚାହୁଁଛି.. ମୋତେ କେହି ବଞ୍ଚାଇବାକୁ ଚେଷ୍ଟା କରିବେ ନାହିଁ".... । ତେବେ ସେହି ଚିଠିଟି ସୁଇସାଇଡ ନୋଟ ବା ନାହିଁ ତାହା ମଧ୍ୟ ସ୍ପଷ୍ଟ ହୋଇନାହିଁ ।
ସେପଟେ ମୃତ ମହିଳାଙ୍କ ପରିଚୟ ଜାଣିବା ପାଇଁ କଟକ କମିଶନରେଟ ପୋଲିସ ନିଜ ଅଞ୍ଚଳ ସହ ଆଖପାଖ ଜିଲ୍ଲା ପୋଲିସକୁ ମଧ୍ୟ ମହିଳାଙ୍କ ଫଟୋ ପଠାଇ ଦେବା ସହ ମହିଳାଙ୍କୁ ଚିହ୍ନଟ ପାଇଁ ଗଣମାଧ୍ୟମରେ ତାଙ୍କ ଫୋଟ ମଧ୍ୟ ଜାରି କରିଛି । ସେପଟେ ମୃତ ଦେହର ପୋଷ୍ଟମତମ କରାଯାଇ ମରଶରୀରକୁ ସଂଗ୍ରକ୍ଷିତ ରଖାଯାଇଛି ।
"ମହିଳାଙ୍କ ମୃତ୍ୟୁର ପ୍ରକୃତ କାରଣ ସେ ସମ୍ପର୍କରେ ଏବେ ଠାରୁ କିଛି କହିବା ଠିକ ହେବ ନାହିଁ । ଘଟଣା ଅନୁସନ୍ଧାନ ଜାରି ରହିଛି ଏବଂ ବିଭିନ୍ନ ଦିଗକୁ ଦୃଷ୍ଟିରେ ରଖି ଆମେ ତଦନ୍ତ କରୁଛୁ," କହିଛନ୍ତି କଟକ ଡିସିପି ପିନାକ ମିଶ୍ର ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।