ହୋମ୍ » ଓଡ଼ିଶା ନ୍ୟୁଜ୍ » ଓଡ଼ିଶା»କୋର୍ଟ ମାଧ୍ୟମରେ ନୁହେଁ ଆପୋଷ ସମାଧାନ ହେବ ଜଳ ବିବାଦ: କେନ୍ଦ୍ର ମନ୍ତ୍ରୀ ବିଶେଶ୍ୱର ଟୁଡୁ

କୋର୍ଟ ମାଧ୍ୟମରେ ନୁହେଁ ଆପୋଷ ସମାଧାନ ହେବ ଜଳ ବିବାଦ: କେନ୍ଦ୍ର ମନ୍ତ୍ରୀ ବିଶେଶ୍ୱର ଟୁଡୁ

ରାଜ୍ୟ ରାଜ୍ୟ ଭିତରେ ଲାଗି ରହିଥିବା ଜଳ ବିବାଦର ଆପୋଷ ସମାଧାନ ହେବ। ଏନେଇ ନିଜେ ଦାୟିତ୍ବ ନେବେ ବୋଲି କେନ୍ଦ୍ର ମନ୍ତ୍ରୀ ବିଶେଶ୍ୱର ଟୁଡୁ କହିଛନ୍ତି।

କୋର୍ଟ ମାଧ୍ୟମରେ ନୁହେଁ ଆପୋଷ ସମାଧାନ ହେବ ଜଳ ବିବାଦ: କେନ୍ଦ୍ର ମନ୍ତ୍ରୀ ବିଶେଶ୍ୱର ଟୁଡୁ
ରାଜ୍ଯ ବିଜେପି ମୁଖ୍ଯାଳୟରେ ଅନୁଷ୍ଠିତ ପ୍ରଦର୍ଶନୀ ବୁଲି ଦେଖୁଛନ୍ତି କେନ୍ଦ୍ର ମନ୍ତ୍ରୀ (ପ୍ରତୀକାତ୍ମକ ଛବି)
  • News18 Odia
  • Last Updated: September 19, 2021, 4:35 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଭୁବନେଶ୍ୱର: ରାଜ୍ୟ ରାଜ୍ୟ ଭିତରେ ଲାଗି ରହିଥିବା ଜଳ ବିବାଦକୁ ନେଇ ରାଜନୀତି ଦେଖାଦେଇଛି। ରାଜ୍ୟ ଭିତରେ ଜଳ ବିବାଦର ସମାଧାନ କୋର୍ଟ କଚେରୀ ଜରିଆରେ ନୁହେଁ, ବରଂ ପରସ୍ପର ଅପୋଷ ବୁଝାମଣା ମଧ୍ୟରେ ହେବ। ଓଡ଼ିଶା ଗସ୍ତ ସମୟରେ ରାଜ୍ୟ ବିଜେପି  ମୁଖ୍ୟାଳୟରେ ଗଣ ମାଧ୍ୟମକୁ ଏହି ସୂଚନା ଦେଇଛନ୍ତି କେନ୍ଦ୍ର ଜଳ ଶକ୍ତି ମନ୍ତ୍ରୀ ବିଶେଶ୍ୱର ଟୁଡୁ।

ନଦୀ ସଂଯୋଗୀକରଣ ଉପରେ କେନ୍ଦ୍ରମନ୍ତ୍ରୀ କହିଛନ୍ତି,"ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ବର୍ଗତ ଅଟଳ ବିହାରୀ ବାଜପେୟୀଙ୍କ ସମୟରେ ଜଳ ଯୋଜନା ଆରମ୍ଭ ହୋଇଥିଲା। ତେବେ ଏହା ସାକାର  ହେବା ପୂର୍ବରୁ ଉପା ସରକାର କ୍ଷମତାକୁ ଆସିଗଲା। ତେଣୁ ଏହି ଯୋଜନା ଅଧାରେ ରହିଯାଇଛି। ଏହି ଦୀର୍ଘ ମିଆଦୀ ଯୋଜନା ୧୦ ବର୍ଷ ଧରି ଉପା ସରକାର ଅମଳରେ ଅଟକିଥିଲା। ତେବେ ୨୦୧୪  ମସିହାରୁ ପୁଣି ଏହା ତ୍ଵରାନ୍ବିତ ହୋଇଛି। ଆମର ଆଶା ୨୦୨୨ ମସିହା ସୁଦ୍ଧା ଏହି ଲମ୍ବା ଯୋଜନାରେ ଅନେଜ କାମ ସରିବ। ସେ ଦିଗରେ ମୁଁ ନିଜେ ବିଭାଗୀୟ ମନ୍ତ୍ରୀ ଭାବେ ଗୁରୁତ୍ୱ ଦେଉଛି।"

ସେ ଆହୁରି କହିଛନ୍ତି ଯେ,'ସବୁଠାରୁ ବଡ଼କଥା ହେଲା ରାଜ୍ୟ ରାଜ୍ୟ ଭିତରେ ଥିବା ନଦୀ ଜଳ ବିବାଦକୁ ଆପୋଷ ସହମତି ଭିତରେ ସମାଧାନ କରାଯିବ। କାରଣ ଏହା ଭିତରେ ରାଜ୍ୟ-ରାଜ୍ୟ ଭିତରେ ଏକ ଅଦ୍ଭୁତ ସ୍ଥିତି ସୃଷ୍ଟି କରିଛି। ସମୟ ଗଡିବା ସହିତ ଏହା ଅଧିକ ଜଟିଳ ହେବାରେ ଲାଗିଛି। ତେଣୁ ଆଗକୁ ବାରମ୍ବାର କୋର୍ଟ କଚେରୀକୁ ଯିବା ବଦଳରେ ପରସ୍ପର ମଧ୍ୟରେ ଆପୋଷ ସମାଧାନକୁ ଦିଆଯିବ ଗୁରୁତ୍ୱ। ଏ ନେଇ କେନ୍ଦ୍ର ସରକାର ନୀତିଗତ ନିଷ୍ପତ୍ତି ନେଇଛନ୍ତି।'

ସେହିଭଳି ମରୁଡ଼ି ନିରାକରଣ ନେଇ  କେନ୍ଦ୍ରମନ୍ତ୍ରୀ ଟୁଡୁ କହିଛନ୍ତି,"ଉଭୟ ରାଜ୍ୟ ଓ କେନ୍ଦ୍ର ମିଳିତ ଭାବେ ଏ ନେଇ ଉଦ୍ୟମ  କରିବା ଜରୁରୀ। କେନ୍ଦ୍ର ଦେଉଥିବା ଏ ବାବଦ ଅର୍ଥକୁ ରାଜ୍ୟମାନେ ସଠିକ ବିନିଯୋଗ କରିବା ଦରକାର। ଅନେକ ସମୟରେ ଏହାର ଉଲ୍ଲଙ୍ଘନ ହେଉଥିବା ଦେଖିବାକୁ ମିକୁଛି। ଏହାର ସମାଧାନ ପାଇଁ କେନ୍ଦ୍ର ମନିଟରିଂ ବ୍ୟବସ୍ଥା କରିବା ଉପରେ ଗୁରୁତ୍ୱ ଦେଇଛନ୍ତି। ଏ ନେଇ ଖୁବଶୀଘ୍ର ସ୍ୱତନ୍ତ୍ର ଉଦ୍ୟମ ସାମ୍ନାକୁ ଆସିବ।"

ଏହା ସହିତ କେନ୍ଦ୍ରମନ୍ତ୍ରୀ ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ୭୧ ତମ ଜୟନ୍ତୀ ପାଳନ ଅବସରରେ ରାଜ୍ୟ ବିଜେପି ମୁଖ୍ୟାଳୟରେ ଆୟୋଜିତ ସ୍ୱତନ୍ତ୍ର ଫଟୋଚିତ୍ର ପ୍ରଦର୍ଶନୀ ବୁଲି ଦେଖିଥିଲେ । ପ୍ରଧାନ ମନ୍ତ୍ରୀଙ୍କ ଉପରେ ଆୟୋଜିତ ଏହି ସ୍ୱତନ୍ତ୍ର ଫଟୋଚିତ୍ର ପ୍ରଦର୍ଶନୀ ଯୁବ ପିଢୀଙ୍କୁ କିଛି ନୂଆ କରିବା ପାଇଁ ଉତ୍ସାହିତ କରିବ ବୋଲି ଶ୍ରୀ ଟୁଡୁ କହିଛନ୍ତି।
Published by: Soumya Das
First published: September 19, 2021, 4:33 PM IST