ଛତିଶା ନିଯୋଗର ବଡ଼ ନିଷ୍ପତ୍ତି: ଶ୍ରୀ ମନ୍ଦିର ଭିତରେ ସ୍ମାର୍ଟ ଫୋନ ବ୍ୟବହାର ମନା

ଏଣିକି ଶ୍ରୀମନ୍ଦିର ଭିତରେ ସ୍ମାର୍ଟ ଫୋନ୍ ବ୍ୟବହାର ନିଷିଦ୍ଧ ହେବ। ଆସନ୍ତା ଜାନୁଆରୀ ୧ରୁ ଏହି କଟକଣା ଲାଗୁ କରାଯିବା ନେଇ ନିଷ୍ପତ୍ତି ହୋଇଛି।

ମନ୍ଦିର ଭିତରେ ସ୍ମାର୍ଟ ଫୋନ ବ୍ୟବହାର ମନା

ମନ୍ଦିର ଭିତରେ ସ୍ମାର୍ଟ ଫୋନ ବ୍ୟବହାର ମନା

  • News18 Odia
  • Last Updated :
  • Other, India
  • Share this:
News18 Odia Digital

ପୁରୀ: ଏଣିକି ଶ୍ରୀମନ୍ଦିର ଭିତରେ ସ୍ମାର୍ଟ ଫୋନ୍ ବ୍ୟବହାର ନିଷିଦ୍ଧ ହେବ। ଆସନ୍ତା ଜାନୁଆରୀ ୧ରୁ ଏହି କଟକଣା ଲାଗୁ କରାଯିବା ନେଇ ଛତିଶା ନିଯୋଗ ବୈଠକରେ ନିଷ୍ପତ୍ତି ହୋଇଛି। ଶ୍ରୀମନ୍ଦିର ଭିତର ଓ ପରିସର ଫଟୋ ବାରମ୍ବାର ସୋସିଆଲ ମିଡ଼ିଆରେ ଭାଇରାଲ ହେବା ପରେ ଆଜି ଛତିଶା ନିଯୋଗ ବୈଠକରେ ଏଭଳି ନିଷ୍ପତ୍ତି ନିଆଯାଇଛି। କେବଳ ଜରୁରୀ ନୀତି ନିର୍ଘଣ୍ଟ ସୂଚନା ଦେବା ପାଇଁ ଶ୍ରୀମନ୍ଦିର କମାଣ୍ଡର ସ୍ମାର୍ଟ ଫୋନ୍ ବ୍ୟବହାର କରି ପାରିବେ।

ଅନ୍ୟାନ୍ୟ ଅଧିକୃତ ଶ୍ରୀମନ୍ଦିରର ଅଧିକାରୀ ଓ ସେବାୟତ ମାନେ ସାଧାରଣ କିପ୍ୟାଡ ଥିବା ମୋବାଇଲ ବ୍ୟବହାର କରି ପାରିବେ। ପୂର୍ବରୁ ଭକ୍ତ ମାନେ ଶ୍ରୀମନ୍ଦିରକୁ ମୋବାଇଲ ନେବା ଉପରେ ସମ୍ପୁର୍ଣ୍ଣ କଟକଣା ରହିଛି। କେବଳ ଅଧିକାରୀ ଓ ଅଧିକୃତ ସେବାୟତ ମାନେ ଶ୍ରୀମନ୍ଦିର ଭିତରେ ସ୍ମାର୍ଟ ଫୋନ ବ୍ୟବହାର କରୁଥିଲେ। ଆଜି ଛତିଶା ନିଯୋଗ ବୈଠକରେ ଏନେଇ ବିଚାର ବିମର୍ଶ କରାଯିବା ପରେ ଏଭଳି କଟକଣା ନେଇ ସହମତି ପ୍ରକାଶ ପାଇଛି।

ଆସନ୍ତା ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକରେ ଏହି କଟକଣାକୁ ଅନୁମୋଦନ କରାଯିବ। ନୂଆବର୍ଷରୁ ଏହି କଟକଣା ଲାଗୁ କରାଯିବ ବୋଲି କହିଛନ୍ତି ସୁଆର ମହାସୁଆର ନିଯୋଗ ସମ୍ପାଦକ ନାରାୟଣ ମହାସୁଆର । ସେହିପରି ଧନୁ ସଂକ୍ରାନ୍ତି ଠାରୁ ମକର ସଂକ୍ରାନ୍ତି ପର୍ଯ୍ୟନ୍ତ ହେବାକୁ ଥିବା ପହିଲି ଭୋଗ ନୀତି ନିର୍ଘଣ୍ଟକୁ ଆଜି ଛତିଶା ନିଯୋଗ ବୈଠକରେ ଅନୁମୋଦନ କରାଯାଇଛି। ଆସନ୍ତା ୧୬ ତାରିଖରୁ ଜାନୁଆରୀ ୧୩ ପର୍ଯ୍ୟନ୍ତ ହେବାକୁ ଥିବା ପହିଲି ଭୋଗ ନୀତିରେ ରାତ୍ର ୨ଟାରୁ ଦ୍ବାର ଫିଟା କରାଯାଇ ୬ଟା ସୁଦ୍ଧା ପହିଲି ଭୋଗ ନୀତି ସମ୍ପାଦନା ହେବ। ଏହାଛଡା ଆସନ୍ତା ଜାନୁଆରୀ ୬ରେ ମହାପ୍ରଭୁଙ୍କ ପୌଷ ପୂର୍ଣ୍ଣିମା ତିଥିରେ ମହାପ୍ରଭୁଙ୍କ ଅନୁଷ୍ଠିତ ହେବାକୁ ଥିବା ଦେବାଭିଷେକ ନୀତି ନୀର୍ଘଣ୍ଟ ମଧ୍ୟ ଅନୁମୋଦିତ ହୋଇଛି। ସେହିପରି ସେବାୟତଙ୍କ ଜମିଜମା ସଂପର୍କିତ ସମସ୍ୟା ନେଇ ମଧ୍ୟ ବୈଠକରେ ଆଲୋଚନା ହୋଇଥିଲା।

ଶ୍ରୀମନ୍ଦିର ପ୍ରଶାସନିକ କାର୍ଯ୍ୟାଳୟରେ ଅନୁଷ୍ଠିତ ବୈଠକରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ବୀର ବିକ୍ରମ ଯାଦବ, ଜିଲ୍ଲାପାଳ ସମର୍ଥ ବର୍ମା, ଏସପି କନୱର ବିଶାଳ ସିଂ, ପରିଚାଳନା କମିଟି ସେବାୟତ ସଦସ୍ୟ, ଛତିଶା ନିଯୋଗର ସମସ୍ତ ସଦସ୍ୟମାନେ ଉପସ୍ଥିତ ଥିଲେ।
Published by:Soumya Das
First published: