ରାଜ୍ୟରେ University Act-୧୯୮୯ ବଦଳିଲା; ସବୁ ବିଶ୍ବବିଦ୍ୟାଳୟ ପାଇଁ ଗୋଟିଏ ନୀୟମ

କୁଳପତିମାନଙ୍କର ଅବସର ବୟସ ସୀମା ୬୭ ବର୍ଷକୁ ବୃଦ୍ଧି କରିବା ନିମନ୍ତେ ସ୍ଥିର କରାଯାଇଛି । ପୂର୍ବରୁ କୁଳପତିଙ୍କ କାର୍ଯ୍ୟକାଳ ୩ ବର୍ଷ ଥିବା ବେଳେ ଏହାକୁ ଏବେ ୪ ବର୍ଷକୁ ବୃଦ୍ଧି କରାଯାଇଛି ।

ରାଜ୍ୟରେ University Act-୧୯୮୯ ବଦଳିଲା; ସବୁ ବିଶ୍ବବିଦ୍ୟାଳୟ ପାଇଁ ଗୋଟିଏ ନୀୟମ
ମୁଖ୍ୟ ମନ୍ତ୍ରୀ ନବୀନ ପଟ୍ଟନାୟକ
  • News18 Odia
  • Last Updated: September 3, 2020, 6:27 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
ଭୁବନେଶ୍ୱର: ରାଜ୍ୟର ବିଶ୍ୱବିଦ୍ୟାଳୟ ଗୁଡ଼ିକରେ ଶୈକ୍ଷିକ ଓ ପ୍ରଶାସନିକ ସଂସ୍କାର ଆଣିବା ଲାଗି ରାଜ୍ୟ କ୍ୟାବିନେଟରେ ବୁଧବାର ଉଚ୍ଚଶିକ୍ଷା ବିଭାଗର କେତେକ ପ୍ରସ୍ତାବକୁ ଅନୁମୋଦନ ମିଳିଛି । କ୍ୟାବିନେଟ ନିଷ୍ପତ୍ତି କ୍ରମେ ଓଡ଼ିଶା ୟୁନିଭର୍ସିଟି ଆକ୍ଟ-୧୯୮୯ ରେ ବ୍ୟାପକ ପରିବର୍ତ୍ତନ ଅଣାଯାଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଭିଡିଓ କନଫରେନସିଂ ମାଧ୍ୟମରେ ଅନୁଷ୍ଠିତ କ୍ୟାବିନେଟ ବୈଠକରେ ଏହି ପ୍ରସ୍ତାବର ଅନୁମୋଦନ ଫଳରେ ରାଜ୍ୟର ବିଶ୍ୱବିଦ୍ୟାଳୟଗୁଡ଼ିକ ଅଧିକ ଦକ୍ଷତାର ସହ କାର୍ଯ୍ୟ କରିପାରିବ ବୋଲି ଆଶା କରାଯାଉଛି।

କ୍ୟାବିନେଟ ନିଷ୍ପତ୍ତି ସମ୍ପର୍କରେ ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ଯେ, ''ପୂର୍ବରୁ ରାଜ୍ୟର ବିଶ୍ୱବିଦ୍ୟାଳୟଗୁଡ଼ିକ ଭିନ୍ନ ଭିନ୍ନ ଆଇନ ଦ୍ୱାରା ପରିଚାଳିତ ହେଉଥିଲା । ୧୯୮୯ ଶିକ୍ଷା ଆଇନ ରାଜ୍ୟରେ ଉଚ୍ଚଶିକ୍ଷା ବିଭାଗ ଅଧୀନରେ ଥିବା ବିଶ୍ୱବିଦ୍ୟାଳୟଗୁଡିକ ପାଇଁ ପ୍ରଯୁଜ୍ୟ ଥିବା ବେଳେ ଏକକ ବିଶ୍ୱବିଦ୍ୟାଳୟ ଭାବେ ରେଭେନ୍ସା ବିଶ୍ୱବିଦ୍ୟାଳୟ ପାଇଁ ଅଲଗା ୨୦୦୫ ଆଇନ ପ୍ରଣୟନ କରାଯାଇଥିଲା । ୧୯୮୯ ଆଇନ ଅନୁଯାୟୀ ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟ ଓ ଖଲ୍ଲିକୋଟ ବିଶ୍ୱବିଦ୍ୟାଳୟ ଏକକ ବିଶ୍ୱବିଦ୍ୟାଳୟ ଭାବେ ଗଠନ କରାଯାଇଥିଲା । ଏବେ ରେଭେନ୍ସା ୟୁନିଭର୍ସିଟି ଆକ୍ଟ-୨୦୦୫କୁ ଉଚ୍ଛେଦ କରାଯିବା ସହ ଓଡ଼ିଶା ୟୁନିଭିର୍ସିଟି ଆକ୍ଟ-୧୯୮୯ରେ ବ୍ୟାପକ ପରିବର୍ତ୍ତନ ଅଣାଯାଇଛି । ଏଣିକି ଏହି ଆଇନ ଅନୁସାରେ ରାଜ୍ୟର ସମସ୍ତ ବିଶ୍ବବିଦ୍ୟାଳୟ ପରିଚାଳିତ ହେବ।"

ସେହିପରି ୧୯୮୯ ଶିକ୍ଷା ଆଇନରେ କରାଯାଇଥିବା ସଂଶୋଧନ ଅନୁସାରେ, ରାଜ୍ୟରେ ଥିବା ବିଶ୍ୱବିଦ୍ୟାଳୟ ଗୁଡ଼ିକରେ ଆଉ ସିନେଟ ବ୍ୟବସ୍ଥା ରହିବ ନାହିଁ । କେବଳ ସିଣ୍ଡିକେଟ ବ୍ୟବସ୍ଥା ରହିବ କିନ୍ତୁ ଏହାକୁ ପ୍ରଭାବଶାଳୀ କରିବା ପାଇଁ କୁଳପତି ଚୟନ କ୍ଷେତ୍ରରେ ଗଠିତ କମିଟିରେ ରାଜ୍ୟ ସରକାରଙ୍କ ପ୍ରତିନିଧି ହିସାବରେ ଜଣେ ଶିକ୍ଷାବିତ ରହିବେ। ଏହି ନିଷ୍ପତ୍ତି ଦ୍ବାରା ରାଜ୍ୟ ସରକାର ବିଶ୍ବବିଦ୍ୟାଳୟ ଗୁଡିକରେ କୁଳପତି ଚୟନ ପ୍ରକ୍ରିୟାରେ ଏକ ଅଂଶୀଦାର ହୋଇପାରିବେ । ଅନ୍ୟପକ୍ଷରେ ପୂର୍ବରୁ କୁଳପତିଙ୍କ କାର୍ଯ୍ୟକାଳ ୩ ବର୍ଷ ଥିବା ବେଳେ ଏହାକୁ ଏବେ ୪ ବର୍ଷକୁ ବୃଦ୍ଧି କରାଯାଇଛି । ସେହିପରି କୁଳପତିମାନଙ୍କର ଅବସର ବୟସ ସୀମା ୬୭ ବର୍ଷକୁ ବୃଦ୍ଧି କରିବା ନିମନ୍ତେ ସ୍ଥିର କରାଯାଇଛି । ଏହି ବ୍ୟବସ୍ଥା ଦ୍ବାରା କୁଳପତିମାନେ ବିଶ୍ବବିଦ୍ୟାଳୟଗୁଡିକର କାର୍ଯ୍ୟକାରିତାରେ ଦୀର୍ଘମିଆଦୀ ପରିବର୍ତ୍ତନ ତଥା ଉନ୍ନତି ଆଣିପାରିବେ । ସେହିପରି କୁଳପତି ଚୟନ ଲାଗି ରହିଥିବା ସର୍ଚ୍ଚ କମିଟିରେ ରାଜ୍ୟ ସରକାରଙ୍କ ପ୍ରତିନିଧି ଭାବେ ଜଣେ ଜଣାଶୁଣା ଶିକ୍ଷାବିତ ନିଯୁକ୍ତ ହେବେ । ବିଶ୍ୱବିଦ୍ୟାଳୟର ଅଧ୍ୟାପକମାନେ ଓଡ଼ିଶା ପବ୍ଲିକ୍ କମିସନ୍ ଦ୍ୱାରା ଚୟନିତ ହେବେ । ଏଣିକି ବିଶ୍ୱବିଦ୍ୟାଳୟଗୁଡିକ ଶିକ୍ଷକ କିମ୍ବା ଅଣଶିକ୍ଷକ କର୍ମଚାରୀ ଚୟନ କରିପାରିବେ ନାହିଁ, ଓଡିଶା ପବ୍ଲିକ ସର୍ଭିସ କମିଶନ ସମସ୍ତ ବିଶ୍ୱବିଦ୍ୟାଳୟ ପାଇଁ ଶିକ୍ଷକ ଚୟନ କରିବେ ଓ ଷ୍ଟେଟ ସିଲେକସନ ବୋର୍ଡ଼ ଅଣଶିକ୍ଷକ କର୍ମଚାରୀ ଚୟନ କରିବେ। ଏହି ନିଷ୍ପତ୍ତି ଦ୍ବାରା ବିଶ୍ବବିଦ୍ୟାଳୟଗୁଡିକର ସାମୂହିକ ସମ୍ବଳ ଅପଚୟକୁ ରୋକାଯାଇପାରିବ ।

ସେହିପରି ବିଶ୍ୱବିଦ୍ୟାଳୟଗୁଡିକର ଅଡିଟ ରିପୋର୍ଟ ଏଣିକି ବିଧାନସଭାରେ ଉପସ୍ଥାପିତ ହେବା ନାହିଁ । ଏହା ପରିବର୍ତ୍ତେ ବିଶ୍ୱବିଦ୍ୟାଳୟଗୁଡିକ ସେହି ଅଡିଟ ରିପୋର୍ଟଗୁଡିକୁ ସେମାନଙ୍କ ୱେବସାଇଟରେ ତିନି ବର୍ଷ ପାଇଁ ପ୍ରଦର୍ଶିତ କରିବା ନେଇ କ୍ୟାବିନେଟରେ ନିଷ୍ପତ୍ତି ହୋଇଥିବା ମୁଖ୍ୟ ଶାସନ ସଚିବ ସୂଚନା ଦେଇଛନ୍ତି ।
Published by: Jagdish Barik
First published: September 3, 2020, 6:27 PM IST
corona virus btn
corona virus btn
Loading