ପଞ୍ଚାୟତ ନିର୍ବାଚନ: ଭୋଟରଙ୍କୁ ମନେଇବାକୁ ପ୍ରୟାସ କରୁଛନ୍ତି ବିଜେଡି-ବିଜେପି

ପଞ୍ଚାୟତ ନିର୍ବାଚନ ପୂର୍ବରୁ ଲୋକଙ୍କୁ ନିଜ ଆଡ଼କୁ ଆକର୍ଷିତ କରିବାକୁ ପୁରା ଦମ୍ ଭିଡ଼ିଛନ୍ତି ଉଭୟ ଶାସକ ଓ ବିରୋଧୀ । ବିଭିନ୍ନ କାର୍ଯ୍ଯକ୍ରମ ଓ ପ୍ରତିବାଦ ସଭା କରି ଭୋଟରଙ୍କୁ ମନାଉଛନ୍ତି ଦୁଇ ଦଳ ।

ବିଜେପି ପକ୍ଷରୁ ଆୟୋଜନ କରାଯାଇଥିଲା ସୁଶାସନ ଦିବସ

ବିଜେପି ପକ୍ଷରୁ ଆୟୋଜନ କରାଯାଇଥିଲା ସୁଶାସନ ଦିବସ

  • Share this:
News18 Odia Digital

ଭୁବନେଶ୍ୱର: ପଞ୍ଚାୟତ ନିର୍ବାଚନ ପୂର୍ବରୁ ଭୁବନେଶ୍ୱର ଉପକଣ୍ଠ ଶିଶୁପାଳଗଡ଼ ଗ୍ରାମ ପଞ୍ଚାୟତରେ ଲୋକଙ୍କୁ ନିଜ ଆଡ଼କୁ ଆକର୍ଷିତ କରିବାକୁ ପୁରା ଦମ୍ ଭିଡ଼ିଛନ୍ତି ଉଭୟ ଶାସକ ଓ ବିରୋଧୀ । ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ୱର୍ଗତଃ ଅଟଳ ବିହାରି ବାଜପେୟୀଙ୍କ ୯୭ତମ ଜୟନ୍ତୀ ଅବସରରେ ବିଜେପି ପକ୍ଷରୁ ଆୟୋଜନ କରାଯାଇଥିଲା ସୁଶାସନ ଦିବସ । ଅନ୍ୟପକ୍ଷେ ଦରଦାମ ବୃଦ୍ଧିର କାରଣ ଦର୍ଶାଇ ଏହି ସୁଶାସନ ଦିବସ କାର୍ଯ୍ୟକ୍ରମକୁ ବିରୋଧ କରିଥିଲା ବିଜେଡ଼ି ।

ପଞ୍ଚାୟତ ନିର୍ବାଚନ ତାରିଖ ଘୋଷଣା ହୋଇ ନ ଥିଲେ ବି ଲୋକଙ୍କ ନିକଟତର ହେବା ପାଇଁ ଏବେ ଅଣ୍ଟା ଭିଡ଼ିବା ଆରମ୍ଭ କରିଛନ୍ତି ଉଭୟ ଶାସକ ଓ ବିରୋଧୀ । ଶନିବାର ଭୁବନେଶ୍ୱର ଉପକଣ୍ଠ ଶିଶୁପାଳଗଡ଼ ଗ୍ରାମପଞ୍ଚାୟତରେ ଦିବଙ୍ଗତ ପ୍ରଧାନମନ୍ତ୍ରୀ ଅଟଳବିହାରୀ ବାଜପେୟୀଙ୍କ ୯୭ତମ ଜୟନ୍ତୀ ଅବସରରେ ଗ୍ରାମ ପଂଚାୟତ କାର୍ଯ୍ୟାଳୟ ସାମ୍ନାରେ ବିଜେପି ପକ୍ଷରୁ ଆୟୋଜନ କରାଯାଇଥିଲା ସୁଶାସନ ଦିବସ । ଏହି କାର୍ଯ୍ୟକ୍ରମ ଜରିଆରେ କେନ୍ଦ୍ର ସରକାରଙ୍କ ନୀତି ଓ ନିଷ୍ପତିକୁ ଲୋକଙ୍କ ଭିତରେ ପ୍ରଚାର କରିବା ପାଇଁ ଉଦ୍ୟମ ହେଉଥିବା ଦେଖିବାକୁ ମିଳିଥିଲା ।

ପଞ୍ଚାୟତ ନିର୍ବାଚନ ପାଇଁ ପ୍ରସ୍ତୁତ ହେଉଛନ୍ତି ଦୁଇ ପ୍ରମୁଖ ରାଜନୀତି ଦଳ (ପ୍ରତୀକାତ୍ମକ ଛବି)


ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତି କହିଛନ୍ତି," ରାଜ୍ୟରେ ୨୧ ବର୍ଷ ଧରି କ୍ଷମତାସୀନ ଥିବା ବିଜେଡ଼ି ସରକାର ଲୋକାଭୀମୁଖି କାର୍ଯ୍ୟକ୍ରମ ରୂପାୟନ କରିବାରେ ବିଫଳ ହୋଇଛନ୍ତି । ଏହି କାରଣରୁ ବିଜେଡ଼ି ସରକାର ପାଖରୁ ଲୋକ ମୁହଁ ଫେରାଇବା ଆରମ୍ଭ କଲେଣି । ପ୍ରତିବର୍ଗକୁ ଆବଶ୍ୟକତା ଅନୁସାରେ ଗୁରୁତ୍ୱ ଦେଇଛନ୍ତି କେନ୍ଦ୍ର ସରକାର । ବିଡ଼ମ୍ବନା ହେଲା, ଏଭଳି ସବୁ ଲୋକାଭିମୁଖୀ ଯୋଜନା ତୃଣମୂଳସ୍ତରରେ ପହଂଚି ପାରୁନାହିଁ । ରାଜ୍ୟ ସରକାରଙ୍କୁ ଏନେଇ ଅବଗତ କରାଗଲେ ମଧ୍ୟ ସରକାର ଉଦାସୀନ"।

ବିଜେପି ପକ୍ଷରୁ ସୁଶାସନ ଦିବସ ପାଳନ ହେଉଥିବା ବେଳେ କାର୍ଯ୍ୟକ୍ରମ ସ୍ଥଳୀଠାରୁ କିଛି ଦୂରରେ ରହି ଏହାକୁ ବିରୋଧ କରିଥିଲେ ଶାସକ ବିଜେଡ଼ିର ସମର୍ଥକ । ସେମାନଙ୍କ ଅଭିଯୋଗ ଥିଲା ଦୁଇ ଦୁଇ ଥର କ୍ଷମତାରେ ରହିବା ପରେ ବି ମୋଦି ସରକାର ଦରଦାମ ନିୟନ୍ତ୍ରଣ କରିବାରେ ବିଫଳ ହୋଇଛନ୍ତି । ତେଲ ଓ ଗ୍ୟାସ ଭଳି ଅତ୍ୟାବଶ୍ୟକୀୟ ସାମଗ୍ରୀର ଅହେତୁକ ଦରବୃଦ୍ଧି ପାଇଛି । ବିଜେଡ଼ିର ଏଭଳି ପ୍ରତିବାଦକୁ ନେଇ କିଛି ସମୟ ପାଇଁ ଉଭୟ ଦଳ ମୁହାଁମୁହିଁ ହୋଇଥିଲେ । ପୋଲିସ ହସ୍ତକ୍ଷେପ କାରଣରୁ କୌଣସି ଅପ୍ରତିକର ପରିସ୍ଥିତି ସୃଷ୍ଟି ହୋଇ ନ ଥିଲା ।

ବିଜେଡ଼ି ଭୁବନେଶ୍ୱର ସାଂଗଠନିକ ଜିଲ୍ଲା ଉପ ସଭାପତି ସୁବାସ ସୁନ୍ଦରାୟ ଅଭିଯୋଗ କରିଛନ୍ତି ଯେ, ଲୋକଙ୍କୁ ଅଛେ ଦିନ୍‌ର ସ୍ୱପ୍ନ ଦେଖାଇ ଭଣ୍ଡାଇ ଆସୁଛନ୍ତି କେନ୍ଦ୍ର ସରକାର । ବିଭିନ୍ନ ଅତ୍ୟାବଶ୍ୟକୀୟ ସାମଗ୍ରୀର ଦର ଆକାଶଛୁଆଁ  ହୋଇଛି । ଯୁବକଙ୍କ ନିଯୁକ୍ତି ଦେବାରେ କେନ୍ଦ୍ର ସରକାର ବିଫଳ ହୋଇଛନ୍ତି । ଅଥଚ ପ୍ରଚାର ସର୍ବସ୍ୱ ବିଜେପି ସରକାର ଲୋକଙ୍କୁ ପୁଣି ଥରେ ମିଛ ପ୍ରତିଶ୍ରୁତିଦେବା ଆରମ୍ଭ କରିଛି।

ଆଗକୁ ପଞ୍ଚାୟତ ଓ ପୌର ନିର୍ବାଚନ ଥିବାରୁ ଲୋକଙ୍କ ନିକଟତର ହେବା ପାଇଁ ଏବେ ବିଭିନ୍ନ ରାଜନୈତିକ ଦଳ କମର କଷୁଥିବା ବେଳେ ଏହା ସେମାନଙ୍କୁ ଫାଇଦା ଦେବ କି ନାହିଁ ତାହାକୁ ନେଇ ଚର୍ଚ୍ଚା ଜୋର ଧରିଛି।
Published by:Soumya Das
First published:
)}