News18 Odia Digital
ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାର ରହିଛି ଅନେକ ପାରମ୍ପାରିକ ଲୋକନୃତ୍ୟ । ଏଥିମଧ୍ୟରୁ ଅନ୍ୟତମ ହେଉଛି ରଣପା ନୃତ୍ୟ । କିନ୍ତୁ ଆଧୁନିକ ଯୁଗରେ ରଣପା ନୃତ୍ୟ ନିଜର ସତ୍ତ ହଜାଇବାକୁ ଲାଗିଲାଣି । ଏହି ସମୟରେ ବ୍ରହ୍ମପୁର ଉପକଣ୍ଠ ବଡ଼କୁଶସ୍ଥଳୀର ଦୁଇ ଭାଇ ରଣପା ନୃତ୍ୟର ପ୍ରଚାର ପ୍ରସାର କରିବାରେ ଲାଗିପଡ଼ିଛନ୍ତି । ବଡ଼ କୁଶସ୍ଥଳୀର ଭଗବାନ ସାହୁଙ୍କ ଦୁଇ ପୁଅ ବିଭାଶ ଓ ବିଭୂଦତ୍ତ ରଣପା ନୃତ୍ୟରେ ଇଣ୍ଡିଆ ଓ ଇଣ୍ଟରନ୍ୟାସନାଲ ବୁକ୍ ଅଫ ରେକର୍ଡ଼ ହାସଲ କରିଛନ୍ତି ।
ବ୍ରହ୍ମପୁର ଉପକଣ୍ଠ ବଡ଼କୁଶସ୍ଥଳୀର ଭଗବାନ ସାହୁ । ଭଗବାନଙ୍କ ଦୁଇ ପୁଅ ବିଭାସ ଓ ବିଭୂଦତ୍ତ ରଣପା ନୃତ୍ୟରେ ପାରଙ୍ଗମ । ବିଭାସଙ୍କ ବୟସ ୮ ବର୍ଷ ହୋଇଥିବା ବେଳେ ବିଭୂଦତ୍ତଙ୍କ ବୟସ ୧୪ ବର୍ଷ । ଏତେ କମ ବର୍ଷ ବୟସରେ ମଧ୍ୟ ଅତି ସୁନ୍ଦର ଭାବେ କରିପାରନ୍ତି ରଣପା ନୃତ୍ୟ । ନିଜ ବାପାଙ୍କ ଠାରୁ ରଣପା ନୃତ୍ୟ ଦୀର୍ଘ ବର୍ଷ ହେଲା ଶିକ୍ଷାଲାଭ କରୁଛନ୍ତି । ବର୍ତ୍ତମାନ ଦୁଇ ଭାଇ ବିଭିନ୍ନ ଜିଲ୍ଲା ସ୍ତରୀୟ ଓ ରାଜ୍ୟ ସ୍ତରୀୟ କାର୍ଯ୍ୟକ୍ରମରେ ସାମିଲ ହୋଇ ରଣପା ନୃତ୍ୟ କରି ପୁରସ୍କାର ମଧ୍ୟ ପାଉଛନ୍ତି । ଭଗବାନଙ୍କ ସାନ ପୁଅ ବିଭାସ ସାହୁ ୧୨ ମିନିଟ୍ ୫୮ ସେକେଣ୍ଡ ଅନବରତ ଭାବେ ରଣପା ନୃତ୍ୟ କରି ଇଣ୍ଡିଆ ବୁକ ଅଫ ରେକର୍ଡ଼ ପାଇବା ପରେ ପରବର୍ତ୍ତୀ ସମୟରେ ଇଣ୍ଟରନ୍ୟାସନାଲ ବୁକ ଅଫ ରେକର୍ଡ଼ ହାସଲ କରିଛନ୍ତି ।
‘‘ଭଗବାନଙ୍କ ବଡ଼ ପୁଅ ବିଭୂଦତ୍ତ ସାହୁ ୨୫ ମିନିଟ୍ ୪୭ ସେକେଣ୍ଡ ଧରି ଅନବରତ ଭାବେ ରଣପା ନୃତ୍ୟ କରି ଇଣ୍ଡିଆ ଓ ଇଣ୍ଟରନ୍ୟାସନାଲ ବୁକ୍ ଅଫ୍ ରେକର୍ଡ଼ ହାସଲ କରିଛନ୍ତି । ଦୁଇ ଭାଇ ପ୍ରତିଦିନ ସକାଳ ଓ ସନ୍ଧ୍ୟା ସମୟରେ ନିଜ ବାପାଙ୍କଠାରୁ ତାଲିମ ନେବା ସହିତ ଅଭ୍ୟାସ କରିଥାନ୍ତି । ଆଗାମୀ ଦିନରେ ଆହୁରି ଅଧିକ ରେକର୍ଡ଼ ହାସଲ କରିବା ସହିତ ରଣପା ନୃତ୍ୟର ଆହୁରି ଅଧିକ କିଭଳି ଭାବେ ପ୍ରଚାର ଓ ପ୍ରଚାର ହୋଇପାରିବ ସେ ନେଇ ଉଦ୍ୟମ କରିବେ,"କହିଛନ୍ତି ଭଗବାନଙ୍କ ବଡ଼ ପୁଅ ବିଭୂଦତ୍ତ ସାହୁ ।
‘‘ଦୁଇ ପୁଅଙ୍କ ଏଭଳି ଗୋଟିଏ ପରେ ଗୋଟିଏ ରେକର୍ଡ଼ ହାସଲକୁ ନେଇ ଉଭୟଙ୍କ ମା ବେଶ ଖୁସି ଅଛନ୍ତି । ଦୁଇ ଭାଇ ଏକାଠି ହୋଇ ପାଠପଢ଼ିବା ପରେ କିଛି ସମୟ ପ୍ରତିଦିନ ରଣପା ନୃତ୍ୟ କରିବା ନିମନ୍ତେ ବାହାର କରିଥାନ୍ତି । ନିଜ ବାପାଙ୍କ ସହିତ ମିଶି ଉଭୟେ ରଣପା ନୃତ୍ୟ ଅଭ୍ୟାସ କରିଥାନ୍ତି। କଠିନ ପରିଶ୍ରମ ଦ୍ବାରା ଦୁଇ ଭାଇ ଅତି କମ ବୟସରୁ ହିଁ ଦୁଇ ଦୁଇଟି ରେକର୍ଡ଼ ହାସଲ କରିଛନ୍ତି। ଆଗାମୀ ଦିନରେ ଆହୁରି ଅଧିକ ପରିଶ୍ରମ କରି ବହୁ ରେକର୍ଡ଼ ହାସଲ କରିବେ,‘‘ କହିଛନ୍ତି ମା ସ୍ନେହଲତା ସାହୁ ।
‘‘ପୂର୍ବଜ କଳା ବର୍ତ୍ତମାନ ଦିନକୁ ଦିନ ସତ୍ତା ହରାଉଥିବା ବେଳେ ଏହା କିଭଳି ପୁଣି ଥରେ ନିଜର ପରିଚୟ ପାଇବ ସେ ନେଇ ପ୍ରଚେଷ୍ଟା କରିବା ଆବଶ୍ୟକ । ତେଣୁ ନିଜର ଦୁଇ ପୁଅକୁ ରଣପା ନୃତ୍ୟ ଅଭ୍ୟାସ କରିବା ସହିତ ସେମାନେ କିଭଳି ଏହି ନୃତ୍ୟକୁ ଆହୁରି ଆଗକୁ ନେବେ ସେ ନେଇ ମଧ୍ୟ ସେମାନଙ୍କୁ ତାଲିମ ଦିଆଯାଉଛି,‘‘କହିଛନ୍ତି ରଣପା ନୃତ୍ୟକାର ଭଗବାନ ସାହୁ ।
ଭଗବାନଙ୍କ ଦୁଇ ପୁଅ କେବଳ ଯେ ଦୁଇ ଦୁଇଟା ରେକର୍ଡ଼ ହାସଲ କରିଛନ୍ତି ତାହା ନୁହଁ ବରଂ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଓ ମହୋତ୍ସବରେ ସାମିଲ ହୋଇ ରଣପା ନୃତ୍ୟର ପ୍ରଚାର ଓ ପ୍ରଚାର ଦିଗରେ ମଧ୍ୟ କାମ କରୁଛନ୍ତି । ଦୁଇ ଭାଇଙ୍କ ଏଭଳି ଉଦ୍ୟମକୁ ବିଭିନ୍ନ ମହଲରୁ ପ୍ରଶଂସା କରାଯାଇଛି ।