News18 Odia Digital
ଭୁବନେଶ୍ୱର: ୨୦୨୪ ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ରାଜ୍ୟର ପ୍ରମୁଖ ରାଜନୈତିକ ଦଳ ପ୍ରସ୍ତୁତି ଆରମ୍ଭ କରିଛନ୍ତି । ସଂଗଠନ ସଜାଡିବା ସହ କର୍ମୀଙ୍କୁ ସକ୍ରିୟ କରିବାକୁ କାର୍ଯ୍ୟକ୍ରମ ହାତକୁ ନେଉଛନ୍ତି । ସେହିପରି ବିଜୁ ଜନତା ଦଳ ନିଜର ଛାମୁଆ ସଂଗଠନକୁ କ୍ରିୟାଶୀଳ କରିବା ଲାଗି ପଦକ୍ଷେପ ନେଇଛି ।
ପ୍ରତ୍ୟେକ ନିର୍ବାଚନ ମଣ୍ଡଳୀରେ କର୍ମୀ ସମ୍ମିଳନୀ ଓ ପ୍ରଶିକ୍ଷଣ ଶିବିର ଆୟୋଜନ କରିବାକୁ ନିଷ୍ପତ୍ତି ନେଇଛି ବିଜେଡି । ଆସନ୍ତାକାଲିଠାରୁ ଏହି ପ୍ରକ୍ରିୟା ଧର୍ମଶାଳାରୁ ଆରମ୍ଭ ହେବ ।
ବିଜୁ ଜନତା ଦଳ ନବୀନ ପଟ୍ଟନାୟକଙ୍କ ନେତୃତ୍ବରେ ସଦା ସର୍ବଦା ଚଳଚଞ୍ଚଳ । ଦଳର କର୍ମୀମାନେ ସବୁବେଳେ ଜନ ସାଧାରଣଙ୍କ ସାଥୀରେ ଅଛନ୍ତି । ସେଥିପାଇଁ ବିଜୁ ଜନତା ଦଳର ନୀତିଗତ, ଆଦର୍ଶ ଗତ ସଫଳତାକୁ ସାଧାରଣ ଲୋକଙ୍କ ପାଖରେ ପହଞ୍ଚାଇବା ଲାଗି କର୍ମୀଙ୍କୁ ପ୍ରଶିକ୍ଷଣ ଦେବାର ଆବଶ୍ୟକତା ରହିଛି । ସେ ଦୃଷ୍ଟିରୁ ଧର୍ମଶାଳାରୁ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଆରମ୍ଭ ହେବ । ବିଜୁ ଜନତା ଦଳ ବର୍ଷ ତମାମ କର୍ମୀଙ୍କୁ ଆଗରେ ରଖି ଚାଲିଥାଏ । କର୍ମୀଙ୍କୁ ଠିକଣା ମାର୍ଗଦର୍ଶନ ଦେଇ ସରକାରଙ୍କୁ ୨୨ ବର୍ଷ ହେଲା ତିଷ୍ଠିବାରେ ସହାୟକ ହୋଇଛି ବୋଲି କହିଛନ୍ତି ଶଶୀଭୂଷଣ ବେହେରା।
ବିଜେଡିର ବରିଷ୍ଠ ବିଧାୟକ ପ୍ରଶାନ୍ତ ମୁଦୁଲି କହିଛନ୍ତି,"ବିଜେଡିର ଛାମୁଆ ସଂଗଠନ ଯୁବ, ଛାତ୍ର, ମହିଳା, ଶ୍ରମିକ ଓ ସଂଖ୍ୟାଲଘୁ ସେଲର ପ୍ରଶିକ୍ଷଣ ଶିବିର ଆୟୋଜନ ହେବ। ଆସନ୍ତାକାଲି ଧର୍ମଶାଳାରୁ ଏହା ଆରମ୍ଭ ହେବ। ଦଳ ପକ୍ଷରୁ ପଞ୍ଚାୟତ, ବ୍ଲକ, ଜିଲ୍ଲା ଓ ରାଜ୍ୟସ୍ତରରେ ଏହାର ସମୀକ୍ଷା ହେବ । ଏହି ସମୀକ୍ଷାରୁ ଯେଉଁ ନିଷ୍କର୍ଷ ବାହାରେ ପରବର୍ତ୍ତୀ ସମୟରେ ଏ ନେଇ ପଦକ୍ଷେପ ନିଆଯାଏ । ସଂଗଠନ ଉପରେ ବିଜୁ ଜନତା ଦଳ ଅଧିକ ଗୁରୁତ୍ୱ ଦିଏ । ଯେଉଁଥିପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ବରେ ୫ଥର ସରକାର ଗଠନ କରିଛି "।
ବିଜେଡିର ସାଙ୍ଗଠନିକ ପ୍ରକ୍ରିୟା ଅତ୍ୟନ୍ତ ମଜବୁତ ଓ ଶୃଙ୍ଖଳିତ। ରାଜ୍ୟ ସରକାର ଯେଉଁ ଯୋଜନା କରିଛନ୍ତି, ତାହା ଭାରତ ବର୍ଷରେ ଗୋଟେ ଗୋଟେ ମଡେଲ । ସରକାରଙ୍କ ଏହି ଯୋଜନା ତଳସ୍ତରରେ ରହିଥିବା ଲୋକଙ୍କ ପାଖରେ ପହଁଚିବ ଏହି ଦାଇତ୍ଵ ପ୍ରଶାସନର ଯେତିକି ତାହା ଠାରୁ ଅଧିକ ଦାୟିତ୍ୱ ବିଜୁ ଜନତା ଦଳର। ତେଣୁ ବିଜେଡି କର୍ମୀ ଏଥିପାଇଁ ସବୁବେଳେ ଚେଷ୍ଟିତ ବୋଲି କହିଛନ୍ତି ବିଜେଡି ନେତା।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।