News 18 Odia Digital
ଭୁବନେଶ୍ୱର: ଆଜିଠାରୁ ନୂଆଗାଁରୁ ପୁରୀକୁ ରେଳ ଚଳାଚଳ ଆରମ୍ଭ ହୋଇଛି। ପ୍ରଥମଥର ପାଇଁ ନୂଆଗାଁ ଷ୍ଟେସନରୁ ଟ୍ରେନ୍ ଚଳାଚଳ ଆରମ୍ଭ କରିଛି। ପୁରୀ ରଥଯାତ୍ରା ଉପଲକ୍ଷେ ଜୁଲାଇ ୧,୮,୯ ଏବଂ ୧୦ ତାରିଖରେ ଭୋର ୪.୧୦, ସକାଳ ୬.୧୦, ମଧ୍ୟାହ୍ନ ୧୨ ଟା ୧୦ରେ ନୂଆଗାଁ ରେଳଷ୍ଟେସନରୁ ପୁରୀ ଅଭିମୁଖେ ସ୍ବତନ୍ତ୍ର ଟ୍ରେନ ଚଳାଚଳ କରିବ।
ଜୁଲାଇ ୧,୮,୯ ଓ ୧୦ ତାରିଖରେ ସକାଳ ୯.୩୦, ଅପରାହ୍ନ ୨.୫୫ ଓ ସନ୍ଧ୍ୟା ୫ ଘଟିକା ସମୟରେ ପୁରୀ ରେଳ ଷ୍ଟେସନରୁ ନୂଆଗାଁ ଅଭିମୁଖେ ସ୍ବତନ୍ତ୍ର ଟ୍ରେନ ଆସିବ। ସେହିଭଳି, ଜୁଲାଇ ୨ ଓ ୭ ତାରିଖରେ ଭୋର ୪.୧୦, ମଧ୍ୟାହ୍ନ ୧୨.୧୦ ଘଟିକା ସମୟରେ ନୂଆଗାଁ ରେଳଷ୍ଟେସନରୁ ପୁରୀ ଅଭିମୁଖେ ସ୍ବତନ୍ତ୍ର ଟ୍ରେନ୍ ଚଳାଚଳ କରିବ , ଜୁଲାଇ ୨ ଓ ୭ ତାରିଖରେ ଦିନ ୧୧.୪୫, ସନ୍ଧ୍ୟା ୬.୫୦ ଘଟିକା ସମୟରେ ପୁରୀ ରେଳ ଷ୍ଟେସନରୁ ନୂଆଗାଁ ଅଭିମୁଖେ ସ୍ବତନ୍ତ୍ର ଟ୍ରେନ ଆସିବ। ତେବେ, ପ୍ରତିଦିନ ନୂଆଗାଁ ରେଳ ଷ୍ଟେସନରୁ ପୁରୀ ଅଭିମୁଖେ ଟ୍ରେନ୍ ଚଳାଚଳ ହେବ।
ପୁରୀକୁ ସିଧାସଳଖ ଟ୍ରେନ୍ସେବାର ପୁନଃ ଆରମ୍ଭ ନେଇ ନୟାଗଡ଼ ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ଡ. ଅରୁଣ କୁମାର ସାହୁ ପୂର୍ବତଟ ରେଳପଥ କର୍ତ୍ତୃପକ୍ଷଙ୍କୁ ଚିଠି ଲେଖି ଦାବି କରିଥିଲେ। ନୟାଗଡ଼ ନାଗରିକ ମଞ୍ଚ, ନୟାଗଡ଼ ଜିଲ୍ଲା କଂଗ୍ରେସ ସଭାପତି ରଣଜିତ ଦାଶ ଓ ଜନସାଧାରଣଙ୍କ ପକ୍ଷରୁ ବି ଦାବି ହୋଇ ଆସୁଥିଲା।

ନୂଆଗାଁରୁ ପୁରୀକୁ ରେଳ ଚଳାଚଳ ଆରମ୍ଭ
ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସି କେନ୍ଦ୍ର ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ଗୁରୁବାର ଦିନ ମହିପୁର-ନୂଆଗାଁ ରୋଡ ରେଳ ସେକ୍ସନର ଶୁଭାରମ୍ଭ କରିଥିଲେ। ଭୁବନେଶ୍ୱର-ମହିପୁର-ଭୁବନେଶ୍ୱର ପାସେଞ୍ଜର ସ୍ପେସାଲ୍ ଟ୍ରେନ (୦୮୪୨୯/୦୮୪୩୦)ର ନୂଆଗାଁ ରୋଡ୍ ପର୍ଯ୍ୟନ୍ତ ସମ୍ପ୍ରସାରଣର ଶୁଭାରମ୍ଭ ହୋଇଛି। କାର୍ଯ୍ୟକ୍ରମରେ କେନ୍ଦ୍ରମନ୍ତ୍ରୀଙ୍କ ସମେତ ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା, ଇଷ୍ଟକୋଷ୍ଟ ରେଲୱେ ଜେନେରାଲ ମ୍ୟାନେଜର ଶରଦ କୁମାର ଶ୍ରୀବାସ୍ତବ, ଖୋର୍ଦ୍ଧା ଡିଆର୍ଏମ୍ ରିନେଶ ରାୟ ପ୍ରମୁଖ ଉପସ୍ଥିତ ଥିଲେ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।