News18 Odia Digital
ଢେଙ୍କାନାଳ: ଭାରସାମ୍ୟ ହରାଇ ପୋଲ ତଳକୁ ଖସିଲା ବସ୍। ଢେଙ୍କାନାଳ ସଦର ଥାନା ଅନ୍ତର୍ଗତ ପଞ୍ଚୁବଟି ନିକଟରେ ଗତ ରାତିରେ ଏହି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଭାରସାମ୍ୟ ହରାଇ ଏକ ଟୁରିଷ୍ଟ ବସ୍ ବ୍ରିଜ ତଳକୁ ଖସି ପଡ଼ିବାରୁ ଘଟଣାସ୍ଥଳରେ ୨ ମହିଳାଙ୍କ ମୃତ୍ୟୁ ହୋଇଛି। ଏହା ବ୍ୟତୀତ ବସରେ ଥିବା ପ୍ରାୟ ୩୦ରୁ ଊର୍ଦ୍ଧ୍ୱ ଯାତ୍ରୀ ଗୁରୁତର ହୋଇଛନ୍ତି।
ମିଳିଥିବା ସୂଚନା ଅନୁସାରେ ଯାତ୍ରୀଙ୍କୁ ନେଇ କେନ୍ଦ୍ରାପଡା ଜିଲ୍ଲାର ଇଚ୍ଛାପୁରକୁ ଯାଉଥିବା ଏକ ବସ୍ ଦୁର୍ଘଟଣାଗ୍ରସ୍ତ ହୋଇଛି। ବସଟି ୫୫ ନମ୍ବର ଜାତୀୟ ରାଜପଥର ସିମିନଈ ପଞ୍ଚୁବଟି ନିକଟରେ ଭାରସାମ୍ୟ ହରାଇ ହଠାତ୍ ପୋଲ ତଳକୁ ଖସି ପଡିଥିଲା। ଫଳରେ ବସ୍ରେ ଥିବା ଯାତ୍ରୀଙ୍କ ମଧ୍ୟରୁ ଦୁଇ ଜଣଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଥିବା ବେଳେ ବହୁ ଯାତ୍ରୀ ଆହତ ହୋଇଛନ୍ତି। ସେମାନଙ୍କୁ ଚିକିତ୍ସା ଲାଗି ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।
ବସଟି ୪୦ରୁ ଅଧିକ ଯାତ୍ରୀଙ୍କୁ ନେଇ ଢେଙ୍କାନାଳରୁ କେନ୍ଦ୍ରାପଡା ଜିଲ୍ଲାର ଇଚ୍ଛାପୁରକୁ ଯାଉଥିଲା। ବସଟି ଯାଉଥିବା ବେଳେ ୫୫ ନମ୍ବର ଜାତୀୟ ରାଜପଥର ସିମିନଈ ପଞ୍ଚୁବଟି ନିକଟରେ ଭାରସାମ୍ୟ ହରାଇ ପୋଲ ଉପରୁ ତଳକୁ ଖସିପଡ଼ିଥିଲା। ଘଟଣାସ୍ଥଳରେ ଦୁଇ ଜଣ ମହିଳାଙ୍କ ମୃତ୍ୟୁ ଘଟିଥିବା ବେଳେ ବହୁ ସଂଖ୍ୟାରେ ଯାତ୍ରୀ ଆହତ ହୋଇଥିଲେ।
ସେମାନଙ୍କୁ ଚିକିତ୍ସା ଲାଗି ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଆହତମାନଙ୍କ ମଧ୍ୟରୁ ୧୫ ଜଣଙ୍କ ଅବସ୍ଥା ଗୁରୁତର ହେବାରୁ ସେମାନଙ୍କୁ କଟକ ସ୍ଥାନାନ୍ତର କରାଯାଇଥିବା ସୂଚନା ମିଳିଛି। ମୃତ ଦୁଇ ମହିଳାଙ୍କ ପରିଚୟ ମିଳିଛି। ସେମାନେ ହେଲେ ରେଣୁବାଳା ଜେନା ଓ ବିଜୟଲକ୍ଷ୍ମୀ ସ୍ୱାଇଁ। ସେମାନଙ୍କ ଗ୍ରାମ କେନ୍ଦ୍ରାପଡ଼ା ଜିଲ୍ଲାର ଇଚ୍ଛାପୁରରେ। ସମସ୍ତେ ହରିଶଙ୍କରରୁ ପିକିନିକ ସାରି ଫେରୁଥିଲେ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।