ବାତ୍ୟା ଆଶଙ୍କା ସ୍ପଷ୍ଟ; ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ୍
- News18 Odia
- Last Updated :
- Bhubaneswar, India
News 18 Odia Digital
ଭୁବନେଶ୍ୱର: ଆଞ୍ଚଳିକ ପାଣିପାଗ ବିଭାଗ ବାତ୍ୟା ସମ୍ଭାବନା ନେଇ ପୂର୍ବାନୁମାନ କରିଛି । ଅଫିସିଆଲ ଟ୍ୱିଟର ପେଜରେ ଟ୍ୱିଟ୍ ମାଧ୍ୟମରେ ଏକଥା ସ୍ପଷ୍ଟ କରାଯାଇଛି । ଘୁର୍ଣ୍ଣିବଳୟ ପ୍ରଭାବରେ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ବାତ୍ୟା ସୃଷ୍ଟିପାଇଁ ଅନୁକୁଳ ବାତାବରଣ ରହିଛି । ପ୍ରଥମେ ଆସନ୍ତା ୪୮ ଘଣ୍ଟା ମଧ୍ୟରେ ଏହା ଲଘୁଚାପ ଏବଂ ତାପରେ ଅବପାତର ରୂପ ନେଇପାରେ । ତେବେ ଅବପାତରେ ପରିଣତ ହେବା ପରେ ବାତ୍ୟା ଆଶଙ୍କା ଥିବା କୁହାଯାଇଛି ।
ଘୂର୍ଣ୍ଣବଳୟଟି ଉତ୍ତର-ଆଣ୍ଡାମାନ ସାଗର ଏବଂ ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ସକ୍ରିୟ ରହିଛି । ବାୟୁମଣ୍ଡଳରେ ୫.୮ କିମି ଯାଏ ଲମ୍ୱିଛି । ୨୨ ତାରିଖ ବେଳକୁ ଅବପାତରେ ପରିଣତ ହେବାର ସମ୍ଭାବନା ରହିଛି । ଅବପାତ ଅଧିକ ଘନୀଭୂତ ହୋଇ ବାତ୍ୟା ସୃଷ୍ଟି ହୋଇପାରେ । ବାତ୍ୟା ହେବ କି ନାହିଁ ତାହା ଆସନ୍ତା ୩ଦିନ ମଧ୍ୟରେ ସ୍ପଷ୍ଟ ସୂଚନା ମିଳିପାରିବ । ତେବେ ଯଦି ବାତ୍ୟା ହେବ ଏହା କେଉଁ ସ୍ଥାନରେ ସ୍ଥଳଭାଗକୁ ଛୁଇଁବ ସେନେଇ ପାଣିପାଗ ବିଭାଗ ତରଫରୁ କୌଣସି ସୂଚନା ଦିଆଯାଇନାହିଁ ।
ସେପଟେ, ରାଜ୍ୟ ସରକାର ବାତ୍ୟା ପାଇଁ ପ୍ରସ୍ତୁତି ଆରମ୍ଭ କରିଛନ୍ତି। ଆଜି ଅପରାହ୍ନ ୪ଟା ସମୟରେ ସତ୍ୟବ୍ରତ ସାହୁଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ବୈଠକରେ ଆଲୋଚନା କରାଯିବ । ବୈଠକରେ କିଛି ଜିଲ୍ଲାର ଜିଲ୍ଲାପାଳ ମଧ୍ୟ ସାମିଲ ହେବେ । ବାତ୍ୟାର ମୁକାବିଲା କରିବା ପାଇଁ ବୈଠକରେ ଆଲୋଚନା କରାଯିବା ସହ କିଛି ଜିଲ୍ଲାମାନଙ୍କୁ ସତର୍କ ରହିବାକୁ ପରାମର୍ଶ ଦିଆଯାଇପାରେ । ଏହାସହ ସରକାରୀ କର୍ମଚାରୀଙ୍କୁ ଛୁଟି ନନେବା ପାଇଁ ପରାମର୍ଶ ଦିଆଯାଇଛି ।
Published by:Soubhagya Mishra
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।