News18 Odia Digital
ଭୁବନେଶ୍ୱର: ପ୍ରି ଆକ୍ଟିଭ ସିମ କାର୍ଡ଼ ରାକେଟର ଖୋଲିବ ଗୁମର । ଗିରଫ ହୋଇଥିବା ୩ ଅଭିଯୁକ୍ତଙ୍କୁ ୫ଦିନ ରିମାଣ୍ଡ ରେ ଆଣି ଜେରା ଆରମ୍ଭ କରିଛି କ୍ରାଇମବ୍ରାଞ୍ଚ ଟିମ । ରିମାଣ୍ଡ ବେଳେ ଡିଲର ପଏଣ୍ଟ , ସିମ ବିକ୍ରେତାଙ୍କ ଉପରେ ଫୋକସ କରିଛି କ୍ରାଇମବ୍ରାଞ୍ଚ ।
"ରବିବାର କ୍ରାଇମବ୍ରାଞ୍ଚ ପ୍ରି ଆକ୍ଟିଭ ସିମ କାର୍ଡ଼ ରାକେଟର ପରଦାଫାସ କରିବା ପରେ ଏବେ ରାକେଟର ଚେର ଖୋଜିବା ଆରମ୍ଭ କରିଛି । ଗିରଫ ହୋଇଥିବା ୩ ଅଭିଯୁକ୍ତ ଦୁଷ୍ମନ୍ତ, ସାଇପ୍ରକାଶ ଓ ଅବିନାଶଙ୍କୁ ୫ ଦିନ ପାଇଁ ରିମାଣ୍ଡରେ ଆଣି ମାରାଥନ ଜେରା ଚାଲିଛି । ସାଇପ୍ରକାଶ ବିଏସଏନଏଲ ଡିଲର, ଅବିନାଶ ତା କର୍ମଚାରୀ ଥିଲା । ମାଷ୍ଟରମାଇଣ୍ଡ ଦୁଷ୍ମନ୍ତ ବାୟର ସେଲର ଗ୍ରୁପର ମୁଖ୍ୟ ଥିଲା । ତେଣୁ ଏହି ରାକେଟ ବିଭିନ୍ନ ଜିଲ୍ଲାରେ ସକ୍ରିୟ ଥିବା ସନ୍ଦେହ କରାଯାଉଛି। ସବୁ ଜିଲ୍ଳା ଏସପି ଙ୍କୁ ସମସ୍ତ bsnl, jio, vodafone ଡିଲର ପଏଣ୍ଟ ,ସିମ ବିକ୍ରେତାଙ୍କ ଉପରେ ଚଢ଼ାଉ କରିବାକୁ ନିର୍ଦେଶ ଦିଆଯାଇଛି । ଯେଉଁମାନଙ୍କ ବିରୁଦ୍ଧରେ ପ୍ରମାଣ ମିଳୁଛି କାର୍ଯ୍ୟାନୁଷ୍ଠାନ ନେବାକୁ କୁହାଯାଇଛି," କହିଛନ୍ତି କ୍ରାଇମବ୍ରାଞ୍ଚ ଏଡ଼ିଜି ସଂଜୀବ ପଣ୍ଡା ।
ଗତ କିଛି ଦିନ ତଳେ ଲୋକସଭା ସ୍ପିକର ଓମ ବିର୍ଲାଙ୍କ ନାଁରେ ଫେକ ସିମ ବାହାର କରି ଲୋକସଭା ସାଂସଦ ମାନଙ୍କୁ ଟଙ୍କା ମାଗୁଥିଲେ ଠକ । ଏହି ସିମଟି ଓଡ଼ିଶା ଢେଙ୍କାନାଳରୁ କିଣା ହୋଇ ଆକ୍ଟିଭେଟ ହୋଇଥିବା ଜଣା ପଡ଼ିଥିଲା । ଏ ନେଇ କ୍ରାଇମବ୍ରାଞ୍ଚ ଖୋଳତାଡ଼ କରିବା ୩ ଅଭିଯୁକ୍ତଙ୍କ ଚେହେରା ସାମ୍ନାକୁ ଆସିଛି।
"ଏହି ଠକେଇ ଘଟଣାର ମାଷ୍ଟରମାଇଣ୍ଡ ଦୁଷ୍ମନ୍ତ। ତଦନ୍ତ ବେଳେ ଦୁଷ୍ମନ୍ତ ଓ ତାଙ୍କ ପରିବାର ଲୋକଙ୍କ ମୋଟ ୭ ଟି ବ୍ୟାଙ୍କ ଆକାଉଣ୍ଟ ଠାବ ହୋଇଛି । ଦୁଷ୍ମନ୍ତର ୩ଟି ପେଟିଏମ ଆକାଉଣ୍ଟ ଠାବ ହୋଇଛି । ଯେଉଁଥିରେ ଦୁଇଟି ପେଟିଏମ ରେ ଦୁଇ ବର୍ଷ ମଧ୍ୟରେ ୩୦ଲକ୍ଷ ଟଙ୍କା ଟ୍ରାଞ୍ଜାକ୍ସନ ହୋଇଥିବା ଜଣା ପଡ଼ିଛି । ଅନ୍ୟ ଆକାଉଣ୍ଟ ଗୁଡ଼ିକ ଏବେ ଯାଞ୍ଚ ଚାଲିଛି,"କହିଛନ୍ତି ଏଡ଼ିଜି ଶ୍ରୀ ପଣ୍ଡା ।
ସେପଟେ ଭୋଡଫୋନର ଭୁବନେଶ୍ୱର ସ୍ଥିତ ମୁଖ୍ୟ କମରସିଆଲ ମ୍ୟାନେଜର, BSNLର ଢେଙ୍କାନାଳ ଜେନେରାଲ ମ୍ୟାନେଜର ଓ ଜିଓ ର ଢେଙ୍କାନାଳ ଏରିଆ ମ୍ୟାନେଜରଙ୍କୁ ଖୁବ ଶୀଘ୍ର ଜେରା କରାଯିବ । ଏଥିପାଇଁ ସେମାନକୁ ନୋଟିସ କରାଯାଇଛି । ଅଭିଯୁକ୍ତଙ୍କୁ ଫେକ ପ୍ରି ଆକ୍ଟିଭେଟ ସିମ ବିକ୍ରି ରୋକିବା ପାଇଁ ଯେଉଁ sop ଅଛି ତାକୁ କିଭଳି ଉଲଂଘନ କରୁଥିଲେ ସେନେଇ ଅଭିଯୁକ୍ତକୁ ପଚରାଉଚରା କରାଯାଉଥିବା ତଦନ୍ତକାରୀ ଟିମ ପକ୍ଷରୁ ସୂଚନା ମିଳିଛି ।