ହୋମ୍ » ଓଡ଼ିଶା ନ୍ୟୁଜ୍ » ଓଡ଼ିଶା»କୋଭିଡ଼ ପାଇଁ ଗଡୁନି ବସ; ସରକାରଙ୍କ ହସ୍ତକ୍ଷେପ ଲୋଡ଼ିଲା ରାଜ୍ୟ ଘରୋଇ ବସ ସଙ୍ଘ

କୋଭିଡ଼ ପାଇଁ ଗଡୁନି ବସ; ସରକାରଙ୍କ ହସ୍ତକ୍ଷେପ ଲୋଡ଼ିଲା ରାଜ୍ୟ ଘରୋଇ ବସ ସଙ୍ଘ

କରୋନା ଯୋଗୁଁ ବସ ଚାଲିବା ଏକ ପ୍ରକାର ବନ୍ଦ ହୋଇଯାଇଛି । ବସ ଚାଲୁନଥିବାରୁ ସରକାରଙ୍କ ହସ୍ତକ୍ଷେପ ଦାବି କରିଛି ରାଜ୍ୟ ଘରୋଇ ବସ ମାଲିକ ସଙ୍ଘ।

କୋଭିଡ଼ ପାଇଁ ଗଡୁନି ବସ; ସରକାରଙ୍କ ହସ୍ତକ୍ଷେପ ଲୋଡ଼ିଲା ରାଜ୍ୟ ଘରୋଇ ବସ ସଙ୍ଘ
ଯାତ୍ରୀ ହେଉନଥିବାରୁ ବସ ଚାଲିବା ଏକ ପ୍ରକାର ବନ୍ଦ ହୋଇଯାଇଛି (ପ୍ରତୀକାତ୍ମକ ଛବି)
  • News18 Odia
  • Last Updated: September 23, 2021, 7:23 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଭୁବନେଶ୍ୱର: କୋଭିଡ଼ କଟକଣା କାରଣରୁ ଲମ୍ବା ବ୍ୟବଧାନରେ ଘରୋଇ ବସ ସେବା ପୁଣି ଥରେ ଆରମ୍ଭ ହୋଇଥିଲା। କିନ୍ତୁ ମାତ୍ର ଦୁଇ ମାସରେ ସ୍ଥିତି ବଦଳିବାରେ ଲାଗିଛି । ବସ ଚାଲୁନଥିବାରୁ ସରକାରଙ୍କ ହସ୍ତକ୍ଷେପ ଦାବି କରିଛି ରାଜ୍ୟ ଘରୋଇ ବସ ମାଲିକ ସଙ୍ଘ।

ସରକାରୀ ନିର୍ଦ୍ଦେଶ ପରେ ଗତ ଜୁଲାଇ ତୃତୀୟ ସପ୍ତାହରେ ସାରା ରାଜ୍ୟରେ ଘରୋଇ ବସ ଗଡ଼ିବା ଆରମ୍ଭ କରିଥିଲା। ରାଜ୍ୟରେ ଚାଲୁଥିବା ଦୈନିକ ୧୪ ହଜାର ବସ ଭିତରୁ ଏବେ ସୁଦ୍ଧା ମାତ୍ର ୮୦୦୦ ବସ ଚାଲୁଛି। କମ ସଂଖ୍ୟାରେ ବସ ଚାଲିବାର କାରଣ ହେଉଛି ଯାତ୍ରୀ ମରୁଡ଼ି।  ତେଣୁ  ସମ୍ପୂର୍ଣ ବସ ଚଳାଚଳକୁ ନେଇ  ଅନିଶ୍ଚିତତା ସୃଷ୍ଟି ହୋଇଛି। ଏଭଳି ସ୍ଥିତିରେ ସରକାରଙ୍କ ସହଯୋଗ ଲୋଡିଛି ରାଜ୍ୟ ଘରୋଇ ବସ ମାଲିକ ସଙ୍ଘ।

କୋଭିଡ କଟକଣା ଭିତରେ ଗତ ଜୁଲାଇ ୧୯ ତାରିଖରୁ ସାରା ରାଜ୍ୟରେ ଘରୋଇ ବସ ସେବା ଆରମ୍ଭ ହୋଇଥିଲା। ପ୍ରଥମ ପର୍ଯ୍ୟାୟରେ କେବଳ ୨୦ ଜିଲ୍ଲାରେ ଓ ପରେ ଆଉ ୧୦ ଜିଲ୍ଲାରେ ଯାତ୍ରୀବାହୀ ବସ ପରିବହନ ହୋଇଥିଲା । ବସ ବନ୍ଦ କାରଣରୁ ରୋଜଗାର ଶୂନ୍ୟ ହୋଇ ହାତ ବାନ୍ଧି ବସିଥିବା ଘରୋଇ ବସର ହେଲପର, କଣ୍ଡକ୍ଟର ଓ ଡ଼୍ରାଇଭରମାନେ ପୁଣିଥରେ ପୂର୍ବ ଭଳି ବସ ସ୍ୱାଭାବିକ ହେବା ନେଇ ଆଶା ରଖିଥିଲେ। କିନ୍ତୁ ଗତ ଦୁଇମାସ ଭିତରେ ସ୍ଥିତି ବଦଳିଯାଇଛି। ବସରେ ଯାତ୍ରୀ ହେଉନଥିବାରୁ ବସ ମାଲିକଙ୍କ ସମେତ ବସ କର୍ମଚାରୀମାନେ ଚିନ୍ତାରେ ଅଛନ୍ତି।

ବସ ଡ୍ରାଇଭର  ରଞ୍ଜନ କୁମାର ପ୍ରଧାନ କହିଛନ୍ତି," ଆମେ ଆଶା କରିଥିଲୁ ଯେ, ଧୀରେ ଧୀରେ ସ୍ଥିତି ସୁଧୁରି ଯିବ। ଲୋକଙ୍କ ଯିବା ଆସିବା ପୂର୍ବଭଳି ସ୍ବାଭାବିକ ହେବ।  କିନ୍ତୁ ଦୁଇମାସ ପରେ ବି ଅବସ୍ଥାରେ ସୁଧାର ଆସିନାହିଁ। ଯାତ୍ରୀ ନିୟମିତ ହେଉନଥିବାରୁ କେବଳ ତେଲ ଓ କର୍ମଚାରୀଙ୍କ ପାରିଶ୍ରମିକ ମଧ୍ଯ ଉଠୁନି"। ସେହିଭଳି ବସ କଣ୍ଡକ୍ଟର ବୈକୁଣ୍ଠ ରାଉତରାୟ କହିଛନ୍ତି, "କୋଭିଡ଼ କଟକଣା ଲାଗୁଥିବା ବେଳେ ମାଲିକ ଆମକୁ କେଵଳ ଖାଇବା ଖର୍ଚ୍ଚ ଦେଉଥିଲେ। ଦୁଇମାସ ପରେ ବି ସ୍ଥିତି ସୁଧୁରି ନାହିଁ। ଯାତ୍ରୀ ହେଉନଥିବାରୁ ବ୍ୟବସାୟ ବନ୍ଦ କରିବାକୁ ମାଲିକ ବାଧ୍ୟ ହେବେ। ତେଣୁ ସରକାର ଏଥିରେ ହସ୍ତକ୍ଷେପ କରନ୍ତୁ ବୋଲି ଆମେ ଦାବି କରୁଛୁ"।

କରୋନା ପାଇଁ ଖାଁଖାଁ ଲାଗୁଛି ବସଷ୍ଟାଣ୍ଡ (ପ୍ରତୀକାତ୍ମକ ଛବି)


ସେହିପରି ରାଜ୍ୟ ଘରୋଇ ମାଲିକ ସଂଘର ମୁଖପାତ୍ର ଦେବାଶିଷ ନାୟକ କହିଛନ୍ତି,"ନିୟମିତ ଭାବେ ରାଜ୍ୟରେ ବିଭିନ୍ନ ରୁଟରେ ଚାଲୁଥିବା ଘରୋଇ ବସ ସଂଖ୍ୟା ୧୪ ହଜାରରୁ ଅଧିକ । କୋଭିଡ଼ କାରଣରୁ ଲାଗୁ ହୋଇଥିବା କଟକଣା ପରେ ଉଠିବା ପରେ ଏବେ ରାସ୍ତାରେ ୮ହଜାର ବସ ଗଡୁଛି। ଯାତ୍ରୀ ହେଉନଥିବାରୁ ଅଧିକାଂଶ ରୁଟରେ ବସ ଗଡୁ ନାହିଁ। କେଵଳ ଭୁବନେଶ୍ୱର ବରମୁଣ୍ଡା ବସ ଷ୍ଟାଣ୍ଡରେ ପୂର୍ବରୁ ଦୈନିକ ୧୨ ଶହରୁ ଅଧିକ ବସ ଚାଲୁଥିବା ବେଳେ ଏବେ ସେହି ସଂଖ୍ୟା ମାତ୍ର ୭୦୦ଭିତରେ ସୀମିତ ରହୁଛି। ବଡ଼ କଥା ହେଲା ଦୂରଗାମୀ ବସ ଚଳାଚଳ ସ୍ଥିତି ଅଧିକ ଜଟିଳ ହେଉଛି"।

"ଏଭଳି ସ୍ଥିତିରେ ରାଜ୍ୟରେ ଅଧାରୁ ଅଧିକ ଘରୋଇ ସମ୍ପୂର୍ଣ୍ଣ  ଠପ ହୋଇଯିବ ବୋଲି ଆଶଙ୍କା ପ୍ରକାଶ କରିଛି ରାଜ୍ୟ ଘରୋଇ ବସ ମାଲିକ ସଂଘ। ଯାତ୍ରୀ ହେଉନଥିବାରୁ ଅଧିକାଂଶ ଘରୋଇ ବସ କ୍ଷତିରେ ଚାଲୁଛି।ଏହି ସ୍ଥିତି ଆଗକୁ  ଅଧିକ ଜଟିଳ ହୋଇପାରେ। ଏ ପାଇଁ ସରକାରଙ୍କ ସହାୟତା ଲୋଡ଼ିବା ସହିତ ପ୍ରତି ବସ ମାଲିକଙ୍କୁ ବିନା ସୁଧରେ ଆର୍ଥିକ ସହାୟତା ପାଇଁ ଆମେ ଅନୁରୋଧ କରୁଛୁ" କହିଛନ୍ତି ଦେବାଶିଷ ନାୟକ।

ରାଜ୍ୟର ସମସ୍ତ ବସ ଚଳାଚଳକୁ ସ୍ୱାଭାବିକ କରିବା ଲାଗି କେଵଳ ରାଜ୍ୟ  ସରକାରଙ୍କୁ ନୁହେଁ, କେନ୍ଦ୍ର ସରକାରଙ୍କ ସହାଗତା ଉପରେ ଆଶା ରଖିଛି ରାଜ୍ୟ ବସ ମାଲିକ ସଙ୍ଘ।
Published by: Soumya Das
First published: September 23, 2021, 7:23 PM IST