News18 Odia Digital
ଭୁବନେଶ୍ୱର: ଗଛ ହିଁ ସବୁଠୁ ଶକ୍ତିଶାଳୀ ଅସ୍ତ୍ର । ତେଣୁ ବୃକ୍ଷ ରୋପଣ ବଢାଇବା ପାଇଁ ସରକାର ଅନେକ ଯୋଜନା ହାତକୁ ନେଇଛନ୍ତି। ତେଣୁ ଚଳିତ ବର୍ଷ ରାଜ୍ୟ ସରକାର ସୁଲଭ୍ୟ ମୁଲ୍ୟରେ ଯୋଗାଇ ଦେବେ ୫ କୋଟି ଚାରା। ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ ଏପରି କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।
ଭୁବନେଶ୍ୱର ବରମୁଣ୍ଡା ଉଚ୍ଚ ବିଦ୍ୟାଳୟ ପରିସରରେ ପାଳିତ ୭୩ ତମ ରାଜ୍ୟସ୍ତରୀୟ ବନ ମହୋତ୍ସବ ୨୦୨୨ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭର୍ଚୁଆଲି ଯୋଗ ଦେଇ ନିଜର ଶୁଭେଚ୍ଛା ବାର୍ତ୍ତା ରଖିଥିଲେ।
ଜଙ୍ଗଲ ଓ ପରିବେଶ ବିଭାଗ ପକ୍ଷରୁ ଆୟୋଜିତ ଏହି ରାଜ୍ୟସ୍ତରୀୟ ଏହି ଉତ୍ସବରେ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ପ୍ରଦୀପ ଅମାତ, ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା, ଭୁବନେଶ୍ଵର ମଧ୍ୟ ବିଧାୟକ ଅନନ୍ତ ନାରାୟଣ ଜେନା, ଉତ୍ତର ବିଧାୟକ ସୁଶାନ୍ତ ରାଉତ, ଭୁବନେଶ୍ୱର ମେୟର ସ୍ଵଲୋଚନା ଦାସଙ୍କ ସହ ବିଭାଗୀୟ ସଚିବ ସତ୍ୟବ୍ରତ ସାହୁ ପ୍ରମୁଖ ଯୋଗ ଦେଇଥିଲେ। ପ୍ରଥମେ ସ୍କୁଲ ପରିସରରେ ବୃକ୍ଷ ରୋପଣ କରାଯାଇଥିଲା। ପରେ ବନ ମହୋତ୍ସବ ପତ୍ରିକା ଉନ୍ମୋଚିତ ହୋଇଥିଲା। ଚଳିତ ବର୍ଷ ଝୁରିମଲ ବନ ସଂରକ୍ଷଣ ସମିତିକୁ ବିଜୁ ପଟ୍ଟନାୟକ ଜଙ୍ଗଲ ସୁରକ୍ଷା ଓ ସଂରକ୍ଷଣ ସମ୍ମାନ ପ୍ରଦାନ କରାଯାଇଥିଲା। ସେହିପରି ବନ ମହୋତ୍ସବ ଅବସରରେ ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ସଚେତନତା ସୃଷ୍ଟି ପାଇଁ ବକ୍ତୃତା, ଚିତ୍ରାଙ୍କନ ଓ ପ୍ରବନ୍ଧ ଳିଖନ ପ୍ରତିଯୋଗୀତାର କୃତୀ ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରାଯାଇଥିଲା। ଏହି ଅବସରରେ ରାଜ୍ୟରେ ଜଙ୍ଗଲ ସୁରକ୍ଷା କାର୍ଯ୍ୟକ୍ରମକୁ ବ୍ୟାପକ କରାଯିବ ବୋଲି ସୂଚନା ଦେଇଥିଲେ ବିଭାଗୀୟ ମନ୍ତ୍ରୀ ପ୍ରଦୀପ ଅମାତ।
ସରକାରୀ କାର୍ଯ୍ୟକ୍ରମରେ ସ୍ଥାନୀୟ ନିର୍ବାଚିତ ପ୍ରତିନିଧିଭାବେ ସ୍ଥାନୀୟ କର୍ପୋରେଟର ଓ ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କୁ ନିମନ୍ତ୍ରଣ କରାଯାଇନାହିଁ। ଏହା ଶାସକ ଦଳର ବେପରୁଆ ମନୋଭାବ ବୋଲି ବିଜେପି କହିଛି।
ଏନେଇ ସାଂସଦ କହିଛନ୍ତି ଯେ,ମୋତେ ଲାଗୁଛି ରାଜ୍ୟ ସରକାର ଡ଼ରୁଛନ୍ତି । ଏହା ତାଙ୍କର ସଂକୀର୍ଣ୍ଣ ମାନସିକତାର ପରିଚୟ । ଏହାର କାରଣ ଜାଣିବା ପାଇଁ ମୁଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିବି। ପୂର୍ବରୁ ମଧ୍ୟ ରାଜଧାନୀ ପ୍ରତିଷ୍ଠା ଦିବସରେ ମୋତେ ଡ଼କା ଯାଇ ନଥିଲା। ସେତେବେଳେ ମୁଁ ଏହାର ପ୍ରତିବାଦ କରିଥିଲି। ତତ୍କାଳୀନ ବାଚସ୍ପତି ଓ ମନ୍ତ୍ରୀ ଅଭିଯୋଗକୁ ଉଚିତ ବୋଲି କହିଥିଲେ। ଏଥର ଏହାର ପୁନରାବୃତ୍ତି କାହିଁକି ହେଲା ବୋଲି ମୁଖ୍ୟମନ୍ତ୍ରୀଙ୍କୁ ପ୍ରଶ୍ନ କରିଛନ୍ତି ସାଂସଦ ଅପରାଜିତା।
ତେବେ ଏହାର ଜବାବରେ ମନ୍ତ୍ରୀ ଅଶୋକ ପଣ୍ଡା କହିଛନ୍ତି, ଲିଙ୍ଗରାଜ ମହାପ୍ରଭୁଙ୍କ ସ୍ୱତନ୍ତ୍ର ପରିଚାଳନା ଆଇନ ଲାଗି ତତ୍କାଳୀନ କେନ୍ଦ୍ରସଂସ୍କୃତି ମନ୍ତ୍ରୀ ନିକଟକୁ ଯିବା ଲାଗି ଭର୍ତ୍ତୃହରି ମହତାବ, ପ୍ରଶନ୍ନ ଆଚାର୍ଯ୍ୟ ପ୍ରମୁଖଙ୍କୁ ସେଣ୍ଟ୍ରାଲ ହଲକୁ ସାଂସଦଙ୍କୁ ଡ଼ାକିବା ପାଇଁ ପଠାଇଲେ। ସେତେବେଳେ ସେ କହିଥିଲେ ମୁଁ ଯିବି ନାହିଁ। ତେଣୁ ସେ ପୁରୀର ନା ଭୁବନେଶ୍ୱରର।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।