News18 Odia Digital
ଭୁବନେଶ୍ୱର: ପଞ୍ଚାୟତ ଓ ପୌର ନିର୍ବାଚନ ପୂର୍ବରୁ ଭୋଟରଙ୍କୁ ଆକୃଷ୍ଟ କରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମାରାଥନ ଘୋଷଣା କରୁଛନ୍ତି। ବିଜୁ ସ୍ୱାସ୍ଥ୍ୟ କାର୍ଡଧାରୀ ୯୬.୫ଲକ୍ଷ ପରିବାରକୁ ହଜାରେ ଟଙ୍କା, ଘର ମରାମତି ପାଇଁ ୩୦ଲକ୍ଷ ପରିବାରକୁ ୩ରୁ ୫ହଜାର ଟଙ୍କା ଘୋଷଣା ପରେ ଆଜି ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ପାଇଁ ଆକର୍ଷଣୀୟ ସ୍କିମ ଘୋଷଣା କରିଛନ୍ତି । ଯାହାକୁ ନେଇ ବିରୋଧୀ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି।
ବିଜେପି ରାଜ୍ୟ ଉପସଭାପତି ଭୄଗୁ ବକ୍ସିପାତ୍ର କହିଛନ୍ତି, "ରୁରାଲ ହାଉସିଂ ମରାମତି ନା ରେ କିଛି ଆରମ୍ଭ କରୁଛନ୍ତି। ଏହାର ରାଶି କେନ୍ଦ୍ର ସରକାର ଦେଇଥାନ୍ତି। କାମ ଠିକରେ ହୋଇଥିଲେ ମରାମତି ଦରକାର ପଡନ୍ତା ନାହିଁ। ନିର୍ବାଚନ ଘୋଷଣା ହେବା ଆଗରୁ ଟଙ୍କା ଘୋଷଣା କରୁଛନ୍ତି ନିର୍ବାଚନ ପରେ ଟଙ୍କା ମିଳିବ ନା ନାହିଁ ସନ୍ଦେହ ହେଉଛି। କାହାର ଘର ମରାମତି ଆବଶ୍ୟକତା ରହିଛି ତାର ତାଲିକା ଦଳୀୟ ଭିତ୍ତିରେ ହେବ।"
କଂଗ୍ରେସ ବିଧାୟକ ନରସିଂହ ମିଶ୍ର କହିଛନ୍ତି,"ପରୋକ୍ଷରେ ଭୋଟ କିଣିବା ପାଇଁ ସବୁ ଯୋଜନା ଚାଲିଛି। ସେଥିରେ ସେ ସଫଳ ମଧ୍ୟ ହେଉଛନ୍ତି। ଓଡ଼ିଶାର ବିକାଶ କଥା ଚିନ୍ତା ନକରି ଲୋକଙ୍କୁ ଭିକାରୀ ଭାବି ଭୋଟ କିଣାଯିବ ତାର ସବୁ ନୂଆ ନୂଆ ଉପାୟ ବାହାର କରୁଛନ୍ତି।ଛେଳି ମେଣ୍ଢା ଭଳିଆ ଯେତେବେଳେ ଭୋଟର ବିକ୍ରି ହୁଅନ୍ତି ତାହେଲେ ଭୋଟ କିଣିବା ପାଇଁ ଭଲ ଉପାୟ କଣ ଅଛି"।
ବିଜେଡି ବିଧାୟକ ଦେବୀ ପ୍ରସାଦ ମିଶ୍ର ଜବାବ ରଖି କହିଛନ୍ତି," ନିର୍ବାଚନ ଆସୁ କି ନ ଆସୁ ସରକାରଙ୍କ କାମ ହେଲା ଜନସାଧାରଣଙ୍କୁ ସବୁବେଳେ ସାହାଯ୍ୟ କରିବା। ଖାଦ୍ୟ ନିରାପତ୍ତାରେ ଓଡ଼ିଶା ଉଦାହରଣ ସୄଷ୍ଟି କରିଛି। କୋଭିଡ ସମୟରେ ସମସ୍ତଙ୍କୁ ମାଗଣାରେ ଚିକିତ୍ସା ଦିଆଗଲା। କୋଭିଡରେ ଲୋକଙ୍କ ଅଣ୍ଟା ସଳଖ ହୋଇନାହିଁ, ଦରବୄଦ୍ଧି ଯୋଗୁଁ ଜୀବନ ଦୁର୍ବିସହ ହୋଇପଡିଛି ସେହି ସମୟରେ ଲୋକଙ୍କୁ କିଛି ସହାୟତା ମିଳିପାରିପା ବଡ଼କଥା। ସେଥିରେ ରାଜନୀତିର ଗନ୍ଧ ନାହିଁ। କେବଳ ଲୋକଙ୍କୁ ଯୋଜନା ମାଧ୍ୟମରେ ରାଜ୍ୟ ସରକାର ସହାୟତା କରୁଛନ୍ତି"।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।