News 18 Odia Digital
ଭୁବନେଶ୍ୱର : ରାଜ୍ୟରେ ଥିବା ବିଭିନ୍ନ ସଂସଦୀୟ କ୍ଷେତ୍ରରେ ବିଜେପି ହେବ ସଶକ୍ତ । ବିଶେଷ କରି ୨୦୧୯ ସାଧାରଣ ନିର୍ବାଚନରେ ଯେଉଁ ଯେଉଁ ସଂସଦୀୟ କ୍ଷେତ୍ରରେ ବିଜେପି ପରାସ୍ତ ହୋଇଛି ସେସବୁ କ୍ଷେତ୍ର ଉପରେ ରହିବ ଦଳର ସ୍ୱତନ୍ତ୍ର ନଜର । ଏହି ମର୍ମରେ ରାଜ୍ୟ ବିଜେପି କର୍ମକର୍ତ୍ତା ତଥା ଛାମୁଆ ନେତାଙ୍କୁ ଦାୟିତ୍ୱ ଦେଇଛନ୍ତି ବିଜେପିର କେନ୍ଦ୍ରୀୟ ନେତୃବୃନ୍ଦ । କେବଳ ହାଲକା ଦାୟିତ୍ୱ ନୁହେଁ, ଏସବୁ କ୍ଷେତ୍ରରେ ତୃଣମୂଳ ସ୍ତରକୁ ଯାଇ ଲୋକଙ୍କ ପାଖରେ ପହଞ୍ଚିବା ଓ ସେମାନଙ୍କ ସହିତ ମତ ବିନିମୟ କରିବା ପାଇଁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି ବୋଲି କୁହାଯାଇଛି ।
ରାଜ୍ୟ ବିଜେପି ଓବିସି ମୋର୍ଚ୍ଚାର ରାଜ୍ୟ ସଭାପତି ତଥା ରାଜ୍ୟ ବିଜେପି ମୁଖପାତ୍ର ସୁରଥ ବିଶ୍ୱାଳଙ୍କ ସୂଚନା ଅନୁସାରେ, ରାଜ୍ୟରେ ଥିବା ୨୧ ସଂସଦୀୟ କ୍ଷେତ୍ରରେ ତୃଣମୂଳ ସ୍ତରକୁ ଯିବା ଉପରେ ଗୁରୁତ୍ୱ ଦିଆଯାଇଛି । କିନ୍ତୁ ବିଶେଷ କରି ୨୦୧୯ ସାଧାରଣ ନିର୍ବାଚନରେ ଯେଉଁ ୧୨ ସଂସଦୀୟ କ୍ଷେତ୍ରରେ ପରାସ୍ତ ହୋଇଥିଲା ବିଜେପି ତାହା ଉପରେ ଦିଆ ଯାଇଛି ପ୍ରାଥମିକତା। ଏନେଇ କ୍ଷେତ୍ରକୁ ଯିବା ଓ ଲୋକଙ୍କ ସହ ମତ ବିନିମୟ କରିବାକୁ କୁହାଯାଇଛି । ସେ ଆହୁରି ସ୍ପଷ୍ଟ କରିଛନ୍ତି ଯେ, ଗତ ୨୦୧୯ ସାଧାରଣ ନିର୍ବାଚନରେ ୨୧ ଟି ସଂସଦୀୟ କ୍ଷେତ୍ରରୁ ୮ ଟି ଆସନରେ ବିଜେପି ବିଜୟୀ ହୋଇଥିଲା । ୧୨ଟି ଆସନରେ ଶାସକ ବିଜେଡ଼ି ବିଜୟୀ ହୋଇଥିଲା ବେଳେ ଗୋଟିଏ କେବଳ ଯାଇଥିଲା କଂଗ୍ରେସ ଖାତାକୁ । ତେବେ ପ୍ରାଥମିକ ଭାବରେ ବିଜେଡ଼ି ଠାରୁ ପରାସ୍ତ ହୋଇଥିବା ଓ ଦୁଇ ନମ୍ବର ସ୍ଥାନରେ ଥିବା ଲୋକସଭା କ୍ଷେତ୍ରରେ ପରାଜୟର କାରଣ ଖୋଜିବା ପାଇଁ କେନ୍ଦ୍ରୀୟ ନିର୍ଦ୍ଦେଶ ରହିଛି । ଏହା ସହିତ ଏବେ ଭୋଟରଙ୍କ ମୁଡ କେମିତି ରହିଛି, ବିଜେପି ସରକାରଙ୍କର କେଉଁ ଉଦ୍ୟମ ଭୋଟର ପସନ୍ଦ କରୁଛନ୍ତି ତାହା ପଚାରିବାକୁ କୁହାଯାଇଛି । ସବୁଠାରୁ ବଡ଼ କଥା ହେଲା ପିଏମ ମୋଦିଙ୍କ ନେତୃତ୍ୱରେ ଚାଲିଥିବା କେନ୍ଦ୍ରୀୟ ଯୋଜନା ଲୋକଙ୍କ ପାଖରେ ପହଞ୍ଚି ପାରିଛି କି ନାହିଁ ତାହା ଜାଣିବାକୁ କୁହାଯାଇଛି ।
ତେବେ କଂଗ୍ରେସ ଖାତାକୁ ଯାଇଥିବା ଗୋଟିର ଆସନକୁ ପ୍ରଥମ ପର୍ଯ୍ୟାୟରୁ ବାଦ ଦିଆଯାଇ କେବଳ ୧୨ ଟି ଆସନରେ କାରଣ ଖୋଜିବା ସହିତ ସେହି ଗୋଟିଏ ଆସନ ଉପରେ ପରବର୍ତ୍ତୀ ପର୍ଯ୍ୟାୟରେ ସମୀକ୍ଷା କାରିବାକୁ କୁହାଯାଇଛି ବୋଲି ସ୍ପଷ୍ଟ କରିଛନ୍ତି ବିଜେପି ନେତା ସୁରଥ ବିଶ୍ୱାଳ । ୧୨ଟି ଲୋକସଭା କ୍ଷେତ୍ରରେ ସ୍ଥିତି ଅନୁଧ୍ୟାନ କରିବାକୁ ୧୨ ଜଣ କେନ୍ଦ୍ରୀୟ ନେତାଙ୍କୁ ଦାୟିତ୍ୱ ଦିଆଯାଇଥିବା ସେ ସ୍ପଷ୍ଟ କରିଛନ୍ତି ।
ବିଜେପି କେନ୍ଦ୍ରୀୟ ନେତୃତ୍ୱଙ୍କ ଏହି ଯୋଜନାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ବରିଷ୍ଠ ସାମ୍ବାଦିକ ଅକ୍ଷୟ ସାହୁ । ତାଙ୍କ ମତରେ ୨୦୨୪ ସାଧାରଣ ନିର୍ବାଚନକୁ ଆଖିରେ ରଖି ବିଜେପିର କେନ୍ଦ୍ରୀୟ ନେତୃତ୍ୱ ଏଭଳି ନିଷ୍ପତ୍ତି ନେଇଛନ୍ତି ବୋଲି କୁହାଯାଇପାରେ । ତେବେ ଏହା ରାଜ୍ୟ ନେତୃତ୍ୱ ପାଇଁ ଏକ ଚ୍ୟାଲେଞ୍ଜ୍ । କାରଣ ୨୦୨୪ ସାଧାରଣ ନିର୍ବାଚନରେ ରାଜ୍ୟରେ ବିଜେପି କ୍ଷମତାକୁ ଆସିବା ପାଇଁ ସ୍ଵପ୍ନ ଦେଖୁଥିବା ବେଳେ କେନ୍ଦ୍ରିୟ ନେତୃତ୍ୱ ତାହାକୁ ଗୁରୁତ୍ୱ ଦେଉନାହାନ୍ତି ବୋଲି କୁହାଯାଇପାରେ । ତେଣୁ ଏହି ପ୍ରସଙ୍ଗକୁ ରାଜ୍ୟ ବିଜେପି ନେତୃତ୍ୱ ଠିକଣା ଢଙ୍ଗରେ କେନ୍ଦ୍ରୀୟ ନେତୃତ୍ୱ ଆଗରେ ଉପସ୍ଥାପନ କରିବା ଜରୁରୀ ।
Published by:Soubhagya Mishra
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।