ରାଜ୍ୟ ବିଜେପି ମହିଳା ମୋର୍ଚ୍ଚା ପକ୍ଷରୁ ରଜ ଉତ୍ସବ ପାଳିତ

ମହିଳାଙ୍କ ସଚେତନତା ଉଦ୍ଦେଶ୍ୟରେ ରାଜ୍ୟର ପ୍ରତି ମହିଳାଙ୍କ ପାଖକୁ ଯିବ ରାଜ୍ୟ ବିଜେପି। ରଜ ଉତ୍ସଵ ଶେଷ ଦିନ ଅବସରରେ ରାଜ୍ୟ ବିଜେପି ମହିଳା ମୋର୍ଚ୍ଚା ପକ୍ଷରୁ ରଜର ବିଦାୟ ଶୁଭେଚ୍ଛା ସହିତ ଏହି ବାର୍ତ୍ତା ଦିଆଯାଇଛି।

ରାଜ୍ୟ ବିଜେପି ମହିଳା ମୋର୍ଚ୍ଚା ପକ୍ଷରୁ ରଜ ଉତ୍ସବ ପାଳିତ ହୋଇଛି (ପ୍ରତୀକାତ୍ମକ ଛବି)

ରାଜ୍ୟ ବିଜେପି ମହିଳା ମୋର୍ଚ୍ଚା ପକ୍ଷରୁ ରଜ ଉତ୍ସବ ପାଳିତ ହୋଇଛି (ପ୍ରତୀକାତ୍ମକ ଛବି)

  • Share this:
News18 Odia Digital

ଭୁବନେଶ୍ୱର: ରାଜ୍ୟର ପ୍ରଗତିରେ ମହିଳାଙ୍କ ଭାଗୀଦାରୀ ବଢିବା ଦରକାର। ମହିଳାଙ୍କ ସଚେତନତା ଉଦ୍ଦେଶ୍ୟରେ ରାଜ୍ୟର ପ୍ରତି ମହିଳାଙ୍କ ପାଖକୁ ଯିବ ରାଜ୍ୟ ବିଜେପି। ଓଡ଼ିଶାର ଗଣପର୍ବ ଭାବେ ପରିଚିତ ରଜ ଉତ୍ସଵ ଶେଷ ଦିନ ଅବସରରେ ରାଜ୍ୟ ବିଜେପି ମହିଳା ମୋର୍ଚ୍ଚା ପକ୍ଷରୁ ରଜର ବିଦାୟ ଶୁଭେଚ୍ଛା ସହିତ ଏହି ବାର୍ତ୍ତା ଦିଆଯାଇଛି।

ବିଜେପି ରାଜ୍ୟ ମହିଳା ସଭାନେତ୍ରୀ ସ୍ମୃତି  ପଟ୍ଟନାୟକଙ୍କ ସୂଚନା ଅନୁସାରେ, ରଜ ପର୍ବ କେବଳ ଉପକୂଳ ଓଡିଶାର ନୁହେଁ, ସମୟକ୍ରମେ ଏହା ସାରା ଓଡ଼ିଶାର ଗଣପର୍ବ ପାଲଟିଛି। ଏବେ ବି ରାଜ୍ୟର ଅନେକ ମହିଳା ଉପେକ୍ଷିତ। ମହିଳାଙ୍କ ପ୍ରତି ଅସଦାଚରଣ ଘଟଣା ଵୃଦ୍ଧି ପାଉଛି। ମହିଳା ନିର୍ଯ୍ୟାତନା ଘଟଣା ବଢୁଛି। ହେଲେ ରାଜ୍ୟ ସରକାର ଏସବୁ ଘଟଣା ପ୍ରତି ଉଦାସୀନ। ତେଣୁ ରାଜ୍ୟର ମହିଳାମାନେ ନିଜକୁ ନିଜେ ସଶକ୍ତ ହେବା ଜରୁରୀ।

ସେହିଭଳି କାର୍ଯ୍ୟକ୍ରମରେ ଯୋଗଦେଇ ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତି କହିଛନ୍ତି,"ସମୟ ବଦଳିବା ଅନୁସାରେ ଲୋକଙ୍କ ମାନସିକତା ବଦଳୁଛି। ଫିକା ପଡୁଛି ପରମ୍ପରା ଓ ଲୋକ ଚଳଣୀ। ତେଣୁ ଇଏ ସବୁ ଏକ ଅବସର, ଏକ ସୁଯୋଗ  ଯେଉଁଠି  ଲସମସ୍ତଙ୍କୁ ନେଇ ଆଗକୁ ଚାଲିବା। ପରମ୍ପରା ଓ ଚଳଣି ଭିତରେ ସମସ୍ତଙ୍କୁ ଏକାଠି କରିବା ଏକ ଉଦ୍ୟମ ମାତ୍ର। ଏଥିରେ କିଛି ରାଜନୈତିକ ଉଦ୍ଦେଶ୍ୟ ନାହିଁ"।

ତେବେ ରାଜନୀତି ସମୀକ୍ଷକ ଅକ୍ଷୟ ସାହୁଙ୍କ ମତରେ ପୁଜା ପାର୍ବଣ ହେଉଛି ଏକ ସୁଯୋଗ ଯାହା ଜରିଆରେ ଅଧିକରୁ ଅଧିକ ଲୋକଙ୍କ ସହ ଯୋଡି ହୋଇଥାନ୍ତି ବିଭିନ୍ନ ରାଜନୈତିକ ଦଳ। ଏଣୁ ବିଜେପି ମହିଳା ମୋର୍ଚ୍ଚା ଏହି ପର୍ବ ଜରିଆରେ ଲୋକଙ୍କ ସହ ଯୋଡ଼ି ହେବାକୁ ପ୍ରୟାସ କରୁଛି ବୋଲି ନିଃସନ୍ଦେହରେ କୁହାଯାଇପାରେ।

ରଜପର୍ବ ଅବସରରେ ବିଜେପିର ରାଜ୍ୟ ମହିଳା ମୋର୍ଚ୍ଚା ପକ୍ଷରୁ ରାଜ୍ୟ ବିଜେପି ମୁଖ୍ୟାଳୟରେ  ଗୁରୁବାର ଅପରାହ୍ଣରେ ଅୟୋଜିତ ହୋଇ ଥିଲା ଏହି ରଜ ଉତ୍ସଵ ୨୦୨୨। ବିଜେପି ରାଜ୍ୟ କାର୍ଯ୍ୟାଳୟର ସାମ୍ନାରେ ପ୍ରସ୍ତୁତ ହୋଇଥିଲା ମଞ୍ଚ। ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ବିଜେପି ମହିଳା ମୋର୍ଚାର ରାଜ୍ୟ ସଭାନେତ୍ରୀ ସ୍ମୃତି ପଟ୍ଟନାୟକ। କାର୍ଯ୍ୟକ୍ରମରେ ରାଜ୍ୟ ବିଜେପି ସଭାପତି ଯୋଗଦେଇ ମହିଳାଙ୍କ ଅବଦାନକୁ ପ୍ରଶଂସା କରିବା ସହିତ ଏଭଳି ଆୟୋଜନକୁ ସାଧୁବାଦ ଜଣାଇଥିଲେ।। ଏହି ଅବସରରେ କବିତା ଆସର ସହିତ ମେହେନ୍ଦୀ, ପାନ ଆସରର ଆୟୋଜନ କରାଯାଇଥିଲା।
Published by:Soumya Das
First published: