ହୋମ୍ » ଓଡ଼ିଶା ନ୍ୟୁଜ୍ » ଓଡ଼ିଶା»ମାଷ୍ଟର କ୍ୟାଣ୍ଟିନ ଛକରେ ଗୋଷ୍ଠୀ ସଙ୍ଘର୍ଷ; ରେଳ ଷ୍ଟେସନ ପାଖ ଦୋକାନ ଭାଙ୍ଗିଲା ପୋଲିସ

ମାଷ୍ଟର କ୍ୟାଣ୍ଟିନ ଛକରେ ଗୋଷ୍ଠୀ ସଙ୍ଘର୍ଷ; ରେଳ ଷ୍ଟେସନ ପାଖ ଦୋକାନ ଭାଙ୍ଗିଲା ପୋଲିସ

ଷ୍ଟେସନ ସାମ୍ନାରେ ଥିବା ଏକାଧିକ କ୍ୟାବିନରେ ବ୍ୟବସାୟ ବନ୍ଦ କରିବା ପାଇଁ ମଧ୍ୟ ନିର୍ଦ୍ଦେଶ ଜାରି କରିଛି କମିଶନରେଟ ପୋଲିସ। ତେବେ ଏହି ଗୋଷ୍ଠୀ ସଂଘର୍ଷ ପଛରେ ବେଆଇନ ନିଶା କାରବାର ମୁଖ୍ୟ କାରଣ ବୋଲି ପୋଲିସ ସ୍ପଷ୍ଟ କରିଛି।

ମାଷ୍ଟର କ୍ୟାଣ୍ଟିନ ଛକରେ ଗୋଷ୍ଠୀ ସଙ୍ଘର୍ଷ; ରେଳ ଷ୍ଟେସନ ପାଖ ଦୋକାନ ଭାଙ୍ଗିଲା ପୋଲିସ
ଦୋକାନ ଘର ଭାଙ୍ଗିଲା କମିଶନରେଟ ପୋଲିସ (ପ୍ରତୀକାତ୍ମକ ଛବି)
  • Share this:
  • Byline Facebook
  • Byline Twitter
  • Byline Linkedin
News 18 Odia Digital

ଭୁବନେଶ୍ୱର : ସୋମବାର ଭୁବନେଶ୍ୱର ମାଷ୍ଟର କ୍ୟାଣ୍ଟିନ ଛକରେ ଘଟିଥିବା ରକ୍ତାକ୍ତ ଗୋଷ୍ଠୀ ସଙ୍ଘର୍ଷପରେ ଆକ୍ସନ ମୁଡକୁ ଓହ୍ଲାଇଛି କମିଶନରେଟ ପୋଲିସ । ରେଳ ଷ୍ଟେସନ ପ୍ରବେଶ ପଥରେ ଥିବା ଦୁଇଟି ଦୋକାନ ଘରକୁ ଭାଙ୍ଗି ଦେଇଛି ପୋଲିସ । ଏହା ସହ ଷ୍ଟେସନ ସାମ୍ନାରେ ଥିବା ଏକାଧିକ କ୍ୟାବିନରେ ବ୍ୟବସାୟ ବନ୍ଦ କରିବା ପାଇଁ ମଧ୍ୟ ନିର୍ଦ୍ଦେଶ ଜାରି କରାଯାଇଛି । ଏହି ଗୋଷ୍ଠୀ ସଙ୍ଘର୍ଷ ପଛରେ ବେଆଇନ ନିଶା କାରବାର ମୁଖ୍ୟ କାରଣ ବୋଲି ପୋଲିସ ସ୍ପଷ୍ଟ କରିଛି ।

"ସୋମବାର ମାଷ୍ଟର କ୍ୟାଣ୍ଟିନ ଛକରେ ଘଟିଥିବା ଘଟଣାର ମୂଳ କାରଣ ହେଉଛି ନିଶା ବ୍ୟବସାୟ । ଏହାକୁ ନେଇ ଗତ କିଛି ମାସ ହେଲା ଉଭୟ ରାଜା ଓ ସୟଦ୍ ଗୋଷ୍ଠୀ ଭିତରେ ଛକାପଞ୍ଝା ଲାଗି ରହିଥିଲା ଯାହାର ପରିମାଣ ସ୍ୱରୂପ ସୋମବାର ଅପରାହ୍ନରେ ବଜାରରେ ସ୍ପଷ୍ଟ ଦିବାଲୋକରେ ଏହି ରକ୍ତାକ୍ତ ସଂଘର୍ଷ ଘଟିଥିଲା ।," କହିଛନ୍ତି ଭୁବନେଶ୍ୱର ଜୋନ -୧ ଏସିପି ମାନସ ଗଡ଼ନାୟକ ।

ଘଟଣାର ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବା ରାଜାକୁ ପୋଲିସ ଗିରଫ କରିଥିବା ବେଳେ ଅଧିକ ତଦନ୍ତ ଜାରି ରହିଛି । ଖୁବ୍‌ଶୀଘ୍ର ଏଭଳି ଘଟଣାରେ ସମ୍ପୃକ୍ତ ସମସ୍ତ ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରିବାକୁ ଉଦ୍ୟମ ଜାରି ରଖିଛି। ପୋଲିସର ଏହି ଚଢ଼ାଉ ସମୟରେ ଘଟଣା ସ୍ଥଳରେ ଦୁଇ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯାଇଥିଲା। ପୋଲିସର ଚଢ଼ାଉ ସମୟରେ କିଛି ଅପ୍ରୀତିକର ସ୍ଥିତି ଉପୁଜି ନ ଥିଲା।

ପୋଲିସର ଏଭଳି ପଦକ୍ଷେପକୁ ଭୁବନେଶ୍ୱରବାସୀ ସ୍ୱାଗତ କରିଛନ୍ତି। ସ୍ଥାନୀୟ ଅଶୋକ ନଗର ବାସିନ୍ଦା ସ୍ୱରୂପ ମହାନ୍ତି କହିଛନ୍ତି ଯେ ରେଳ ଷ୍ଟେଶନ ପ୍ରକଳ୍ପକୁ ଶୀଘ୍ର କାର୍ଯ୍ୟକାରୀ କରାଯିବାର ଆବଶ୍ୟକତା ଅଛି। ଏହା ଦ୍ବାରା ଏହି ଅଞ୍ଚଳରେ ବାରମ୍ବାର ଘଟୁଥିବା ଅପରାଧିକ କାର୍ଯ୍ୟକଳାପ କମିଯିବ।

ଏସବୁ ଭିତରେ ଚିନ୍ତାରେ ପଡ଼ିଯାଇଛନ୍ତି ରେଳ ସାମ୍ନାରେ ଦୋକାନ କରି ଘର ଚଳାଉଥିବା ବ୍ୟବସାୟୀମାନେ । ଦୋକାନ ବନ୍ଦ ନ କରି ସେମାନଙ୍କୁ ଦୋକାନ ଖୋଲିବାକୁ ଅନୁମତି ଦିଆଯାଉ ବୋଲି କିଛି ଦୋକାନୀ ପୋଲିସକୁ ଅନୁରୋଧ କରିଛନ୍ତି । ରେଳ ଷ୍ଟେସନ ସାମ୍ନାରେ ଚା' ଦୋକାନ କରିଥିବା ସର୍ବେଶ୍ୱର ନାୟକ କହିଛନ୍ତି ଯେ କିଛି ହାତଗଣତି ଲୋକଙ୍କ ପାଇଁ ଆମ ଜୀବିକା ବୁଡ଼ି ଯିବାକୁ ବସିଲାଣି। ସେମାନଙ୍କ କଥା ଚିନ୍ତା କରିବାକୁ ପୋଲିସ ଅନୁରୋଧ କରିଛନ୍ତି କିଛି ଦୋକାନୀ ।
Published by: Soumya Das
First published: July 27, 2021, 6:15 PM IST