ଲିଙ୍ଗରାଜ ମନ୍ଦିରରେ ଶୀତଳ ଷଷ୍ଠୀ ଅନୁଷ୍ଠିତ ହୋଇଛି (ପ୍ରତୀକାତ୍ମକ ଛବି)
News18 Odia Digital
ଭୁବନେଶ୍ୱର: ନାନା ବାଦ ବିବାଦ, ବୈଠକ, ଆଲୋଚନା। ପ୍ରଭୁ ଲିଙ୍ଗରାଜଙ୍କ ଶୀତଳଷଷ୍ଠୀ ଯାତ୍ରା ନେଇ ଶନିବାର ଦିନତମାମ ଏଭଳି ଅନିଶ୍ଚିତତା ଲାଗି ରହିଥିଲା। ଶେଷରେ ବିଳମ୍ବିତ ରାତିରେ ପ୍ରଶାସନର ପ୍ରଚେଷ୍ଟାରେ ଦେବବିବାହ ନୀତିକାନ୍ତି ଆରମ୍ଭ ହୋଇଥିଲା। ତା ପରେ ମନ୍ଦିରରୁ ବାହାରିଥିଲେ ପ୍ରଭୁ ଲିଙ୍ଗରାଜ, ମାତା ପାର୍ବତୀ ଓ ଅନନ୍ତ ବାସୁଦେବ। ବାଜା, ବାଣ, ରୋଷଣୀ କରି ଆଗକୁ ବଢିଥିଲେ ଦେବ ବରଯାତ୍ରୀ ଦଳ। ରଙ୍ଗ ବେରଙ୍ଗର ଆଲୋକମାଳାରେ ପ୍ରଜ୍ଵଳିତ ହୋଇଥିଲା ବାୟୁମଣ୍ଡଳ। ଘଣ୍ଟ ଘଣ୍ଟା ଶଙ୍ଖ ଧ୍ୱନିରେ ଗୁଞ୍ଜରିତ ହୋଇଥିଲା ପରିବେଶ।
ଭୋର ୪ଟା ରୁ ଲିଙ୍ଗରାଜ ମନ୍ଦିରରୁ ବାହାରି ଥିଲେ ପ୍ରଭୁ ଲିଙ୍ଗରାଜ। ବରଯାତ୍ରୀ ରୋଷଣୀ କରି ୫ଟା ୧୦ ବେଳକୁ ପହଞ୍ଚିଥିଲେ କେଦାରଗୌରୀ ମନ୍ଦିରରେ। ପରେ ବାଟବରଣୀ କରି ମନ୍ଦିର ଭିତରକୁ ପାଛୋଟି ନେଇଥିଲେ ଦେବଦମ୍ପତିଙ୍କୁ। ବିବାହ ବେଦୀ ଉପରେ ଆରମ୍ଭ ହୋଇଥିଲା କର୍ମ। ମାନବୀୟ ବିବାହ ଭଳି ଗୋଟିଏ ପରେ ଗୋଟିଏ ବିବାହ କର୍ମ ହୋଇଥିଲା ଦେବଦେବୀଙ୍କର। ପରେ ଠାକୁରାଣୀ ମନ୍ଦିରରୁ ଆସି ଲବଣ ଚଉରୀ ପକାଇଥିଲେ। ତାପରେ ଆରମ୍ଭ ହୋଇଥିଲା ବିବାହ ହୋମ। ଦେବାଦେବୀଙ୍କ ହସ୍ତଗଣ୍ଠି ପଡ଼ିଛି। ବିବାହ ବେଦୀରେ ବିବାହ କାର୍ଯ୍ୟ ସମ୍ପନ୍ନ ପରେ ମନ୍ଦିର ଭିତରକୁ ପ୍ରବେଶ କରିଛନ୍ତି ଦେବାଦେବୀ। ପରେ ମନ୍ଦିର ଭିତରେ ଠାକୁରଙ୍କୁ ଭୋଗ ଲାଗି କରାଯାଇଛି। ତା ପରେ ଆରମ୍ଭ ହୋଇଥିଲା କଉଡ଼ି ଖେଳ। ମଙ୍ଗଳ ଆଳତୀ, ଅବକାଶ, ଫୁଲ ଲାଗି, ବେଶ ଲାଗି ଭଳି ଗୋଟିଏ ପରେ ଗୋଟିଏ ନୀତିକାନ୍ତି ଅନୁଷ୍ଠିତ ହୋଇଛି।
"ଦେବ ବିବାହ ଦେଖି ବହୁତ ଖୁସି ଲାଗୁଛି। ଭାଗ୍ୟରେ ଥିଲେ ଏ ସୁଯୋଗ ମିଳେ। ବିଳମ୍ବ ହେଲେ ବି ଦର୍ଶନ ମିଳିଲା। ସମସ୍ତେ ଦେଖିକି ବହୁତ ତୃପ୍ତି ଲାଗୁଛି," କହିଛନ୍ତି ପୁରୁଣା ଭୁବନେଶ୍ୱର ବାସିନ୍ଦା କଳ୍ପନା ସିଂ।
Published by:Soumya Das
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।