News 18 Odia Digital
ବ୍ରହ୍ମପୁର; ଦେଶର ଦ୍ୱିତୀୟ ସର୍ବବୃହତ ଅଶୋକ ସ୍ତମ୍ଭ ସ୍ଥାପିତ ହେବ ବ୍ରହ୍ମପୁର ଉପକଣ୍ଠ ଗୋଳାବନ୍ଧରେ ରହିଥିବା ଆର୍ମି ଏଡ଼ି କଲେଜରେ । ଏହି ଅଶୋକ ସ୍ତମ୍ଭକୁ ଲୋକାର୍ପିତ କରିବେ ମହାମହିମ ରାଷ୍ଟ୍ରପତି ଦୌପଦୀ ମୁର୍ମୁ । ଏହି ଅଶୋକ ସ୍ତମ୍ଭକୁ ନିର୍ମାଣ କରିଛନ୍ତି ବ୍ରହ୍ମପୁରର ଶିଳ୍ପୀ ରାଜକୁମାର ବେହେରା । ଆର୍ମି ଏଡ଼ି କଲେଜ ପକ୍ଷରୁ ଗତ କିଛି ମାସ ପୂର୍ବରୁ ରାଜକୁମାରଙ୍କୁ ୧୦ ଫୁଟ ଉଚ୍ଚତାର ଅଶୋକ ସ୍ତମ୍ଭ ନିର୍ମାଣ କରିବା ନିମନ୍ତେ ନିର୍ଦ୍ଦେଶ ହୋଇଥିଲା । ନିର୍ଦ୍ଦେଶ ପାଇବା ପରେ ଅଶୋକ ସ୍ତମ୍ଭର କାର୍ଯ୍ୟ ଆରମ୍ଭ କରିଥିଲେ ରାଜକୁମାର । ୧୦ ଫୁଟ ବଦଳରେ ୧୩ ଫୁଟ ଉଚ୍ଚତା ବିଶିଷ୍ଟ ଅଶୋକ ସମ୍ଭକୁ ନିର୍ମାଣ କରିଥିଲେ ରାଜକୁମାର ।
‘‘ଏହି ଅଶୋକ ସ୍ତମ୍ଭକୁ ନିର୍ମାଣ କରିବା ପାଇଁ ୪୦ ଦିନ ସମୟ ଲାଗିଥିଲା । ୧୨ ଜଣ କାରିଗରଙ୍କ ସହାୟତାରେ ଏହାକୁ ନିର୍ମାଣ କରାଯାଇଥିଲା । ଏଥିରେ ୮୦୦ କିଲୋଗ୍ରାମର ଗ୍ଲାସ ଫାଇବର ବ୍ୟବୃହତ ହୋଇଥିବା ବେଳେ ଏହାର ଓସାର ରହିଛି ୬ ଫୁଟ ୧୦ ଇଞ୍ଚ । ଏହି ଅଶୋକ ସ୍ତମ୍ଭରେ ଚାରୋଟି ସିଂହ ରହିଛି । ତଳ ଅଂଶରେ ଅଶୋକ ଚକ୍ର, ଗୋଟିଏ ଲେଖାଏଁ ହାତୀ, ଘୋଡ଼ା, ସିଂହ, ଷଣ୍ଢ ରହିଛି । ଅଶୋକ ସ୍ତମ୍ଭର କାର୍ଯ୍ୟ ଶେଷ ହୋଇଛି । ବର୍ତ୍ତମାନ ତାହାକୁ ଆର୍ମି ଏଡ଼ି କଲେଜ ପରିସରରେ ସ୍ଥାପନ କରାଯାଇଛି । ଏହି ଅଶୋକ ସ୍ତମ୍ଭ ନିକଟରେ ଏକ ଫାଉଣ୍ଟେନ୍ ତିଆରି ଚାଲିଛି । ଏହାର ଚତୁଃପାର୍ଶ୍ୱରେ ଚୋରୋଟି ସିଂହ ମଧ୍ୟ ସ୍ଥାନିତ କରାଯିବ । ଚାରୋଟି ସିଂହ ମଧ୍ୟରୁ ଗୋଟିଏ ସିଂହର କାର୍ଯ୍ୟ ଶେଷ ହୋଇଛି । ଖୁବଶୀଘ୍ର ଅନ୍ୟ ତିନୋଟି ସିଂହ କାର୍ଯ୍ୟ ଶେଷ ହେବ । ପରେ ରାଷ୍ଟ୍ରପତି ଦୌପଦୀ ମୁର୍ମୁଙ୍କ କରକମଳରେ ଏହାକୁ ଲୋକାର୍ପିତ କରାଯିବା ନେଇ ପ୍ରତିରକ୍ଷା ବିଭାଗ ପକ୍ଷରୁ ଯୋଜନା ରହିଥିବା ନେଇ ସୂଚନା ଦେଇଛନ୍ତି,‘‘ ଶିଳ୍ପୀ ରାଜକୁମାର ବେହେରା ।
‘‘ଦେଶର ସର୍ବବୃହତ ଅଶୋକ ସ୍ତମ୍ଭ ନୂଆଦିଲ୍ଲୀ ସ୍ଥିତ ନୂତନ ସଂସଦ ଭବନ ପରିସରରେ ରହିଛି । ଉକ୍ତ ଅଶୋକ ସ୍ତମ୍ଭର ଉଚ୍ଚତା ୨୧ ଫୁଟ । ଏହାପରେ ଦ୍ୱିତୀୟ ସର୍ବବୃହତ ଅଶୋକ ସ୍ତମ୍ଭ ରାଜକୁମାର କରିଥିବା ଯୋଗୁଁ ବ୍ରହ୍ମପୁର ସହର ପାଇଁ ଏହା ଗର୍ବଗୌରବର ବିଷୟ । କାରଣ ବ୍ରହ୍ମପୁରର ଶିଳ୍ପୀ ରାଜକୁମାର ଦେଶର ଦ୍ୱିତୀୟ ସର୍ବବୃହତ ଅଶୋକ ସ୍ତମ୍ଭ ନିର୍ମାଣ କରିବାରେ ସଫଳ ହୋଇପାରିଛନ୍ତି । ସବୁଠାରୁ ଅଧିକ ଗର୍ବର କଥା ହେଲା ଏହି ଅଶୋକ ସମ୍ଭକୁ ଲୋକାର୍ପିତ କରିବେ ମହାମହିମ ରାଷ୍ଟ୍ରପତି ଦୌପଦୀ ମୁର୍ମୁ । ଯାହାକି ସମସ୍ତ ଓଡ଼ିଶା ଓ ବ୍ରହ୍ମପୁର ସହରବାସିନ୍ଦାଙ୍କ ପ୍ରତି ଗର୍ବର କଥା ବୋଲି କହିଛନ୍ତି,‘‘ ବ୍ରହ୍ମପୁର ବାସିନ୍ଦା ସଞ୍ଜିତ ପାଣିଗ୍ରାହୀ ।
‘‘ପୂର୍ବରୁ ଶିଳ୍ପୀ ରାଜକୁମାର ବ୍ରହ୍ମପୁର ସହରରେ ରହିଥିବା ରାମଲିଙ୍ଗମ ପୋଖରୀର ମଧ୍ୟ ଭାଗରେ ରହିଥିବା ଶିବଙ୍କ ପ୍ରତିମୂର୍ତ୍ତିକୁ ନିର୍ମାଣ କରିଥିଲେ । ଯାହା ଦେଖିବାକୁ ଯେତେ ଆକର୍ଷଣ ସେତେ ସୁନ୍ଦର ମଧ୍ୟ । ଠିକ ସେହିପରି ଅଶୋକ ସ୍ତମ୍ଭଟି ମଧ୍ୟ ସୁଉଚ୍ଚ ରହିଥିବା ବେଳେ ଏହା ଦେଖିବାକୁ ମଧ୍ୟ ଅଧିକ ସୁନ୍ଦର ହୋଇଥିବା ବେଳେ ସ୍ତମ୍ଭ ରହିଥିବା କାରୁକାର୍ଯ୍ୟ ଶିଳ୍ପୀର ପାରଦର୍ଶିତାକୁ ପ୍ରତିପାଦିତ କରୁଛି ବୋଲି କହିଛନ୍ତି,‘‘ ବ୍ରହ୍ମପୁର ବାସିନ୍ଦା କାହ୍ନ ପାତ୍ର । ଖୁବଶୀଘ୍ର କାର୍ଯ୍ୟ ସମ୍ପୂର୍ଣ୍ଣ ହେବା ପରେ ରାଷ୍ଟ୍ରପତି ଆସି ଏହାକୁ ଲୋକାର୍ପିତ କରିବେ । ଏହି ସମୟକୁ ସମସ୍ତେ ଅପେକ୍ଷା କରିଛନ୍ତି ।
Published by:Soubhagya Mishra
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।