News18 Odia Digital
ବ୍ରହ୍ମପୁର: ଲୁଟର ପୁରୁଣା ତରିକା କିନ୍ତୁ ଟାର୍ଗେଟ୍ ଥିଲା ନୂଆ। ଏଭଳି କିଛି ଲୁଟ ସାମ୍ନାକୁ ଆସିଛି ବ୍ରହ୍ମପୁର ସହରରୁ । ଲୁଟରା ମାନେ ଟାର୍ଗେଟ କରିଛନ୍ତି ଟ୍ରେନରେ ଯାତ୍ରା କରୁଥିବା ବୟସ୍କ ମହିଳା ଓ ପୁରୁଷଙ୍କୁ । ଆଉ ଏଥିରେ ଶୀକାର ହୋଇଛନ୍ତି ବ୍ରହ୍ମପୁରର ଦୁଇ ଜଣ ବୟସ୍କ ମହିଳା ଓ ପୁରୁଷ । ପଇଡରେ ନିଶା ଦ୍ରବ୍ୟ ମିଶାଇ ପିଇବାକୁ ଦେବା ପରେ ଅଚେତ ହେବା ପରେ ସେମାନଙ୍କ ଠାରୁ ଲୁଟି ନେଇଛନ୍ତି ସୁନା ରୂପା ଅଳଙ୍କାର, ଟଙ୍କା ଓ ମୋବାଇଲ । ଗତକାଲି ଅଚେତ ଅବସ୍ଥାରେ ବ୍ରହ୍ମପୁର ରେଳ ଷ୍ଟେସନରୁ ଜିଆରପି ପୋଲିସ ଉଦ୍ଧାର କରିବା ପରେ ସେମାନଙ୍କ ଚିକିତ୍ସା ପାଇଁ ଏମକେସିଜି ମେଡିକାଲରେ ଭର୍ତ୍ତି କରି ଘଟଣାର ତଦନ୍ତ ଆରମ୍ଭ କରିଛି ପୋଲିସ ।
ରେଳ ଯାତ୍ରା କରୁଥିବା ବେଳେ ପ୍ରଥମେ ସାହାଯ୍ୟ ଓ ପରେ ବନ୍ଧୁତା । ଅତି ଚାଲାକର ସହ ଟ୍ରେନ ଯାତ୍ରୀଙ୍କ ସହ ନିକଟତର ହେବା ପରେ ତାଙ୍କୁ ପଇଡ଼ ପିଇବାକୁ ଦେଇ ବେହୋସ କରିବା ପରେ ଲୁଟେରା ଲୁଟି ନେଲେ ଲକ୍ଷାଧିକ ଟଙ୍କା ସୁନା ଅଳଙ୍କାର, ଟଙ୍କା, ମୋବାଇଲ ଓ ଅନ୍ୟାନ୍ୟା ସାମଗ୍ରୀ । ଏଭଳି ଏକ ଅଭାବନୀୟ ଘଟଣା ଘଟିଯାଇଛି ପୁରୀ- ଗୁଣୁପୁର ଟ୍ରେନରେ ଯାତ୍ରା କରୁଥିବା ଚାରି ଜଣ ଯାତ୍ରୀଙ୍କଠାରେ । ବ୍ରହ୍ମପୁର ଆଙ୍କୋଲି ଅଞ୍ଚଳର ଦୁଇ ଦମ୍ପତ୍ତି କେ. ସୁବାଷ ଚନ୍ଦ୍ର ଆଚାରୀ, କେ.ସୁମତୀ ଆଚାରୀ ଓ କେ.କିଶୋର ଚନ୍ଦ୍ର ଆଚାରୀ, ସାରାଦା ଆଚାରୀ ଗତ ରବିବାର ଦିନ ପୁରୀ ବୁଲିବାକୁ ଯାଇଥିଲେ। ପୁରୀ ବୁଲିବା ପରେ ଗତକାଲି ପୁରୀ-ଗୁଣପୁର ଟ୍ରେନ ଯୋଗେ ବ୍ରହ୍ମପୁରକୁ ଫେରୁଥିଲେ ।

‘‘ପୁରୀ ରେଳ ଷ୍ଟେସରେ ଦୁଇ ଜଣ ଯୁବକ ତାଙ୍କ ବ୍ୟାଗ ଓ ବିଭିନ୍ନ ସାମଗ୍ରୀ ଟ୍ରେନରେ ରଖିବାରେ ସାହାଯ୍ୟ କରିଥିଲେ । ପରେ ଟ୍ରେନ ଚାଲିବା ସମୟରେ ତାଙ୍କ ସହ ଅଧିକ କଥାବାର୍ତ୍ତା ହୋଇ ନିକଟତର ହୋଇଥିଲେ। ଏହାର କିଛି ସମୟ ପରେ ସାକ୍ଷୀଗୋପାଳ ନିକଟରେ ଦୁଇ ଦମ୍ପତ୍ତିଙ୍କୁ ପଇଡ଼ ପିଇବା ଲାଗି ଦେଇଥିଲେ ଦୁଇ ଯୁବକ । ଚାରିଜଣ ଯାତ୍ରୀ ଲୁଟେରା ଦୁହିଁଙ୍କ କଥାରେ ପଇଡ଼ ପିଇଥିଲେ । ପଇଡ଼ ପିଇବାର କିଛି ସମୟ ପରେ ଚାରି ଜଣ ଅଚେତ ହୋଇପଡ଼ିଥିଲେ। ଏହାର ସୁଯୋଗ ନେଇ ଲୁଟେରା ମାନେ ବ୍ୟାଗରେ ଥିବା ଟଙ୍କା, ପିନ୍ଧିଥିବା ସୁନା ଅଳଙ୍କାର ଓ ମୋବାଇଲ ଲୁଟି ନେଇଥିଲେ।
ଅଚେତ ଅବସ୍ଥାରେ ଟ୍ରେନ ଯାତ୍ରା କରୁଥିବା ନେଇ ଆରପିଏଫେ ପୋଲିସ ଦେଖିବା ପରେ ବ୍ରହ୍ମପୁର ଜିଆରପି ପୋଲିସକୁ ଖବର ଦେଇଥିଲେ। ପୋଲିସ ଅଚେତ ଅବସ୍ଥାରେ ଚାରି ଜଣଙ୍କୁ ଉଦ୍ଧାର କରି ବଡ଼ ମେଡିକାଲରେ ଭର୍ତ୍ତି କରିଥିଲା।
ବର୍ତ୍ତମାନ ଚାରି ଜଣ ଯାତ୍ରୀ ବ୍ରହ୍ମପୁର ଏମକେସିଜି ମେଡ଼ିକାଲରେ ଚିକିତ୍ସାଧିନ ଅବସ୍ଥାରେ ରହିଥିବା ବେଳେ ବର୍ତ୍ତମାନ ସୁଦ୍ଧା ସେମାନଙ୍କର ସ୍ବାସ୍ଥ୍ୟରେ ସମ୍ପୂର୍ଣ୍ଣ ଉନ୍ନତି ହୋଇପାରିନାହିଁ। ତେବେ ପ୍ରଥମେ ସାହାର୍ଯ୍ୟ କରିବା ସହିତ ମିଠା ମିଠା କଥା କହି ସମସ୍ତ ପ୍ରକାରର ଅଳଙ୍କାର ଲୁଟି ନେଇଥିବା ଅଭିଯୋଗ କରିଛନ୍ତି ଲୁଟର ଶୀକାର ହୋଇଥିବା ଯାତ୍ରୀ କେ.ସୁମତି ଆଚାରୀ ।
ଆରପିଏଫ୍ ପୋଲିସଠାରୁ ଜିଆରପି ପୋଲିସ ଖବର ପାଇବା ପରେ ଟ୍ରେନରୁ ଚାରି ଜଣ ଯାତ୍ରୀଙ୍କୁ ଅଚେତ ଅବସ୍ଥାରେ ବ୍ରହ୍ମପୁର ରେଳ ଷ୍ଟେସନରେ ଓହ୍ଲାଇବା ସହ ସେମାନଙ୍କ ବ୍ୟାଗ୍ ଗୁଡ଼ିକୁ ଉଦ୍ଧାର କରିଥିଲା । ତୁରନ୍ତ ୧୦୮ ଆମ୍ବୁଲାନ୍ସ ଯୋଗେ ବ୍ରହ୍ମପୁର ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା। ଗତ କାଲି ଠାରୁ ଦୁଇ ଦମ୍ପତ୍ତିଙ୍କ ଚିକିତ୍ସା ଜାରୀ ରହିଥିବା ବେଳେ ଦୁଇ ଜଣ ସାମାନ୍ୟ ସୁସ୍ଥ ହୋଇଥିବା ଜଣାପଡିଛି ।

‘‘ଲୁଟର ଶୀକାର ହୋଇଥିବା ବ୍ୟକ୍ତି ମାନେ ଅଚେତ ଅବସ୍ଥାରେ ଥିବାରୁ ବର୍ତ୍ତମାନ ଥାନାରେ କୌଣସି ଅଭିଯୋଗ ସେମାନଙ୍କ ପକ୍ଷରୁ ହୋଇନାହିଁ । ଚାରିଜଣ ସମ୍ପୂର୍ଣ୍ଣ ଭାବେ ସୁସ୍ଥ ହେବା ପରେ ଘଟଣା ସମ୍ପର୍କରେ ଲିଖିତ ଭାବେ ଜଣାଇଲେ ଘଟଣାର ଅଧିକ ତଦନ୍ତ କରାଯିବ । ଯାତ୍ରୀ ମାନଙ୍କୁ କେଉଁ ଭଳିଆ ନିଶା ସେବନ କରିବାକୁ ଦିଆଯାଇଛି ସେଥିପାଇଁ ସେମାନଙ୍କ ରକ୍ତ ନମୁନା ମଧ୍ୟ ସଂଗ୍ରହ କରାଯାଇ ପରୀକ୍ଷା ନିମନ୍ତେ ପଠାଯାଇଛି,‘‘ ସୂଚନା ଦେଇଛନ୍ତି ଜିଆରପି ସବ-ଇନ୍ସପେକ୍ଟର ବିକାଶ କୁମାର ପଲେଇ ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।