ଓଡ଼ିଶାରେ ନିଶା କାରବାର ଯୋଗୁଁ ବଢୁଛି କଳା ଧନ; ଚିନ୍ତା ପ୍ରକଟ କଲେ ଜଷ୍ଟିସ ଅରିଜିତ ପଶାୟତ

ନିଶା ବେପାର କଳାଧନର ଅଭିବୃଦ୍ଧିରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି। କଳାଧନ ଫେରାଇ ଆଣିବା ପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ଗଠିତ SITର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକରେ ଏହି ଚାଞ୍ଚଲ୍ୟକର ସତ ସାମ୍ନାକୁ ଆସିଛି।

ଉପାଧ୍ୟକ୍ଷ ଜଷ୍ଟିସ ଅରିଜିତ ପଶାୟତ

ଉପାଧ୍ୟକ୍ଷ ଜଷ୍ଟିସ ଅରିଜିତ ପଶାୟତ

  • Share this:
News18 Odia Digital

କଟକ: ଦେଶରେ ଦ୍ରୁତ ଗତିରେ ବଢି ଚାଲିଛି ନିଶା କାରବାର। ବିଶେଷ କରି ଓଡ଼ିଶାରେ ଏହି କାରବାର ବିପଦ ଜଣକ ସ୍ଥିତିରେ ପହଞ୍ଚିଛି। ଯାହାକି କଳାଧନର ଅଭିବୃଦ୍ଧିରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି। କଳାଧନ ଫେରାଇ ଆଣିବା ପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ଗଠିତ SITର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକରେ ଏହି ଚାଞ୍ଚଲ୍ୟକର ସତ ସାମ୍ନାକୁ ଆସିଛି।

ଏହି ବୈଠକରେ ଓଡ଼ିଆ IPS ଅଫିସର ତଥା ନର୍କଟିକ୍ସ ବିଭାଗର ମହାନିର୍ଦ୍ଦେଶକ ସତ୍ୟନାରାୟଣ ପ୍ରଧାନ ଓ ଓଡ଼ିଶା କ୍ୟାଡର IPS ଅଫିସର ତଥା ନାର୍କୋଟିକ୍ସ ବିଭାଗର ଡେପୁଟି ଡ଼ାଇରେକ୍ଟର ସଞ୍ଜୟ ସିଂଙ୍କ ପକ୍ଷରୁ ପ୍ରଦାନ କରାଯାଇ ଥିବା ତଥ୍ୟ ନିଶା କାରବାର ସାମ୍ରାଜ୍ୟ ବାବଦରେ ସମସ୍ତଙ୍କ ଧାରଣାକୁ ପରିବର୍ତ୍ତିତ କରି ଦେଇଛି । ଏହି ତଥ୍ୟଗୁଡ଼ିକ ପାଇବା ପରେ ଏହାକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି SIT ଉପାଧ୍ୟକ୍ଷ ଜଷ୍ଟିସ ଅରିଜିତ ପଶାୟତ । ଏହା ସହିତ ଦୁର୍ନୀତି ଖୋର ସରକାରୀମାନେ କଳାଧନର ବ୍ୟାପକ କାରବାର କରୁଥିବାରୁ ଏଣିକି ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ମାମଲାର ତଦନ୍ତରେ ଇଡି ଓ ଆୟକର ବିଭାଗକୁ ସାମିଲ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି SIT ଉପାଧ୍ୟକ୍ଷ ଜଷ୍ଟିସ ଅରିଜିତ ପଶାୟତ।

ନିଶା କାରବାର ସହିତ GST ଠକେଇ କରି କୋଟି କୋଟି ଟଙ୍କାର କଳାଧନ ସଂଗୃହିତ କରାଯାଉଛି । ଗତ ୬ ରୁ ୭ ମାସ ଭିତରେ ଦେଶରେ ୧୦୦୦ କୋଟି ଟଙ୍କାରୁ ଉର୍ଦ୍ଧ୍ବ ଜିଏସଟି ଠକେଇ ହୋଇଥିବା କଥା GST ବିଭାଗ ପକ୍ଷରୁ SITଙ୍କୁ ଅବଗତ କରାଯାଇଛି । ତେବେ କଳାଧନକୁ ଲୁଚାଇ ରଖିବା ପାଇଁ ପନାମା ଓ ପାଣ୍ଡେରା ପେପର୍ସର ତଦନ୍ତ କ୍ଷେତ୍ରରେ ଆଖି ଦୃଶିଆ ଅଗ୍ରଗତି ହୋଇଥିବା କଥା ପ୍ରମାଣ ସହିତ ବିଭାଗୀୟ ଅଧିକାରୀ ମାନେ SIT ବୈଠକରେ ଉପସ୍ଥାପିତ କରିଛନ୍ତି । ବିଶେଷ ପାନାମା ପେପରସ କ୍ଷେତ୍ରରେ ୪୦୦ ରୁ ଉର୍ଦ୍ଧ୍ବ ମାମଲା ରୁଜୁ ହୋଇଛି। ଏହା ଭିତରୁ ପ୍ରାୟ ୩୦୦ ଟି ମାମଲାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ସେହିପରି ପଣ୍ଡୋରା ପେପରସ ମାମଲାରେ ମାସକ ଭିତରେ ୭୦ ଟି ମାମଲା ରୁଜୁ ହୋଇଥିବା କହିଛନ୍ତି ଉପାଧ୍ୟକ୍ଷ ଜଷ୍ଟିସ ଅରିଜିତ ପଶାୟତ।

"ନିଶା କାରବାର କ୍ଷେତ୍ରରେ ବ୍ୟାପକ ଢଙ୍ଗରେ କଳାଧନର ଉପଯୋଗ ହେଉଛି । ଦେଶରେ ବିଶେଷ କରି ଓଡ଼ିଶାରେ ଯେଉଁ ଭଳି ଢଙ୍ଗରେ ନିଶା କାରବାର ହେଉଛି ତାହା ଜାଣି ମୁଁ ଚକିତ ହୋଇଯାଇଛି । ଏହାର ନିରାକରଣ ପାଇଁ ଏହି ଦିଗରେ ଅଧିକ କ୍ରିୟାଶିଳ ହୋଇ କାର୍ଯ୍ୟ କରିବାର ଆବଶ୍ୟକତା ରହିଛି । ସେଥିପାଇଁ ବିଭିନ୍ନ ବିଭାଗ ମଧ୍ୟରେ ସମନ୍ବୟ ରକ୍ଷା କରିବା ପାଇଁ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି," କହିଛନ୍ତି କଳାଧନ ସମ୍ପର୍କିତ SITର ଉପାଧ୍ୟକ୍ଷ ଜଷ୍ଟିସ ଅରିଜିତ ପଶାୟତ ।

ଦେଶ ତଥା ଦେଶ ବାହାରେ ଗଚ୍ଛିତ ଥିବା କଳାଧନ ବାବଦରେ ତଦନ୍ତ କରିବା ପାଇଁ କେନ୍ଦ୍ର ସରକାର ୨୦୧୧ ମସିହାରେ ସୁପ୍ରିମକୋର୍ଟଙ୍କ ତତ୍ୱବାଧାନରେ ଏକ SIT ଗଠନ କରିଥିଲେ । ସୁପ୍ରିମକୋର୍ଟର ପୂର୍ବତନ ବିଚାରପତି ଜଷ୍ଟିସ ଅରିଜିତ ପଶାୟତଙ୍କୁ ଏହି SITର ଉପାଦ୍ଧକ୍ଷ ଭାବେ ନିୟୋଜିତ କରାଯାଇଥିଲା । ଇତି ମଧ୍ୟରେ SIT ସୁପ୍ରମିକୋର୍ଟଙ୍କୁ ୮ଟି ରିପୋର୍ଟ ପ୍ରଦାନ କରିସାରିଛି । ଆଗାମୀ ମାସ ମଧ୍ୟରେ SIT ତାର ନବମ ରିପୋର୍ଟ ଦାଖଲ କରିବ । ତେବେ ଜଷ୍ଟିସ ଅରିଜିତ ପଶାୟତଙ୍କ କଟକ ସ୍ଥିତ ବାସଭବନ ରେ ଅନୁଷ୍ଠିତ ହୋଇଥିବା ଏହି ବୈଠକରେ ସିବିଆଇ, କଷ୍ଟମ, ଏକସାଇଜ୍, ନାରକୋଟିକ୍ସ ଡ଼ାଇରେକ୍ଟ ଟ୍ୟାକ୍ସ, ଆୟକର ବିଭାଗର ଉଚ୍ଚ ଅଧିକାରୀଙ୍କ ସହ ଓଡିଶା କ୍ରାଇମବ୍ରାଞ୍ଚର ବହୁ ବରିଷ୍ଠ ଅଧିକାରୀ ଯୋଗ ଦେଇଥିଲେ।
Published by:Soumya Das
First published: